୧୫ ମାସରେ ନାରଖାର ବିଶ୍ୱସ୍ତରୀୟ ବରମୁଣ୍ଡା ବସ୍‌ ଟର୍ମିନାଲ୍‌, ଏସି କାମ କରୁ ନ ଥିବା ବେଳେ ଅଚଳ ହୋଇଗଲାଣି ପାଣି ଟ୍ୟାପ୍‌

Madhusudan Das Picture
Published On

ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡାରେ ଥିବା ପୁରୁଣା ବସ୍‌ଷ୍ଟାଣ୍ଡକୁ ୨୦୨୪ ମସିହାରେ କୋଟିକୋଟି ଟଙ୍କା ବ୍ୟୟରେ ନବକଳେବର କରାଯାଇ ଏହାକୁ ବାବା ସାହେବ ଆମ୍ବେଦକର ବସ୍ ଟର୍ମିନାଲ ନାମରେ ନାମିତ କରାଯାଇଥିଲା। ଯାହା ବିଶ୍ୱସ୍ତରୀୟ ବସ୍ ଟର୍ମିନାଲର ମାନ୍ୟତା ହାସଲ କରିଥିଲା। କିନ୍ତୁ ସରକାର ବଦଳିବା ପରେ ବସ୍ ଟର୍ମିନାଲ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଠିକ୍ ଭାବେ କରାଯାଇପାରୁ ନାହିଁ। ଟର୍ମିନାଲ୍ ଭିତରେ ଏସି କାମ କରୁ ନ ଥିବା ବେଳେ ପାଣି ଟ୍ୟାପ୍‌ଗୁଡ଼ିକ ଅଚଳ ହୋଇପଡ଼ିଛି। ସେହିଭଳି ଭିତରେ ପଡ଼ିଥିବା ବିଶ୍ରାମ ଚେୟାରଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିରୁଜି ଗଲାଣି।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ବରମୁଣ୍ଡାସ୍ଥିତ ବାବାସାହେବ ଆମ୍ବେଦକର ବସ୍‌ ଟର୍ମିନାଲରୁ ପ୍ରତିଦିନ ଦୈନିକ ୩ ହଜାର ବସ୍‌ରେ ୨୦ ହଜାରରୁ ଅଧିକ ଯାତ୍ରୀ ବିଭିନ୍ନ ଜିଲ୍ଲା ସମେତ ରାଜ୍ୟ ତଥା ରାଜ୍ୟ ବାହାରକୁ ଯାତାୟାତ କରିଥାନ୍ତି। ଟର୍ମିନାଲ ଭିତରେ ଏସି ବ୍ୟବସ୍ଥା ହୋଇଥିଲେ ମଧ୍ୟ ତାହା ଦୀର୍ଘଦିନ ହେଲା ଅଚଳ ହୋଇପଡ଼ୁଛି। ଖରାଦିନ ତ ଖରାଦିନ ରାତି ଏବଂ ବର୍ଷା ଦିନେ ମଧ୍ୟ ଭିତରେ ଗୁଳୁଗୁଳି ଅନୁଭୂତ ହେଉଛି। ବିଡିଏ ପକ୍ଷରୁ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀକୁ ୫ ବର୍ଷ ପାଇଁ କଣ୍ଟ୍ରାକ୍ଟ ଦିଆଯାଇଥିଲା। ହେଲେ ଏହି କମ୍ପାନୀ ଅନ୍ୟ ଏକ ଡ଼ାଇକିନ୍୍ କମ୍ପାନୀକୁ ଏସି ଲଗାଇବା ପାଇଁ ସୁପାରିଶ କରିଥିଲେ। କିନ୍ତୁ ବାହାଘର ପରେ ବେଦି ମୁହଁ ପୋଡ଼ା ଭଳି ଏସିର  ୱାରେଣ୍ଟି ସରିବା ପରେ ପ୍ରାୟ ବର୍ଷେ ହୋଇଯିବ ଠିକ୍‌ ଭାବେ ପରିଚାଳନା କରା ନ ଯିବାରୁ ବାରମ୍ବାର ଏସି ସମସ୍ୟା ଦେଖାଦେଉଛି। ସେହିଭଳି ଟର୍ମିନାଲ ଭିତରେ ପିଲାଙ୍କ ପାଇଁ ଗେମ୍ ଜୋନ୍ ରହିଥିଲେ ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ସେଗୁଡ଼ିକ ଭାଙ୍ଗିରୁଜି ଗଲାଣି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ଟର୍ମିନାଲ ଉଦ୍‌ଘାଟନ ବେଳେ ଏଠାରେ ପ୍ରିପେଡ୍ ଅଟୋ ବ୍ୟବସ୍ଥା କରାଯାଇଥିବା ଘୋଷଣା ହୋଇଥିଲା। ଏହି ପ୍ରିପେଡ୍ ମାଧ୍ୟମରେ ଯାତ୍ରୀ ସ୍ୱତନ୍ତ୍ର କାଉଣ୍ଟର୍‌ରୁ ଅଗ୍ରୀମ ବୁକିଂ କରିବାର ବ୍ୟବସ୍ଥା କରାଯାଇଥିଲା। ଆପ୍ ମାଧ୍ୟରେ ଯାତ୍ରୀ ଅଟୋଚାଳକଙ୍କ ପରିଚୟ ସହିତ ଗନ୍ତବ୍ୟସ୍ଥଳକୁ ଟ୍ରାକ୍ କରିବାର ବ୍ୟବସ୍ଥା ଥିଲା। କିନ୍ତୁ ଏହି ପ୍ରିପେଡ୍‌ ବ୍ୟବସ୍ଥା ଅଧିକାଂଶ ସମୟରେ ବନ୍ଦ ରହୁଛି। ଫଳରେ ଯାତ୍ରୀମାନେ ବାହାର ଅସାଧୁ ଅଟୋ ଚାଳକଙ୍କ ଶିକାର ହେଉଛନ୍ତି। ବାହାରୁ ଆସୁଥିବା ଯାତ୍ରୀଙ୍କୁ ବିଭିନ୍ନ ଉପାୟରେ ଲୁଟ୍‌ପାଟ୍ କରୁଛନ୍ତି ଅସାଧୁ ଅଟୋ ଚାଳକ।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

ବସ୍‌ଷ୍ଟାଣ୍ଡ ପରିସରରେ ଥିବା ଶୌଚାଳୟଗୁଡ଼ିକ କେତେକ ଟ୍ୟାବ୍ ଭାଙ୍ଗି ଯାଇଥିବା ବେଳେ ଅନେକ ଟ୍ୟାପ୍ ଚୋରି ହୋଇଯାଇଛି। ବିଶେଷକରି ପୁରୁଷ ଶୌଚାଳୟ ଏବଂ ବାହାରେ ଥିବା ରିଫ୍ରେସ୍‌ମେଣ୍ଟ ଜୋନ୍‌ରୁ ଟ୍ୟାପ୍ ନ ଥିବାରୁ ଯାତ୍ରୀ ପାଣି ପାଇଁ ଡହକବିକଳ ହେଉଛନ୍ତି। ଏତେ ବଡ଼ ଟର୍ମିନାଲ ଭିତରେ ସିସିଟିଭି ଲାଗିକିି ଯଦି ଚୋରି ହୋଇଯାଉଛି ତେବେ ଯାତ୍ରୀ ଏବଂ ଯାତ୍ରୀଙ୍କ ସାମଗ୍ରୀ କେତେ ସୁରକ୍ଷିତ ତାକୁ ନେଇ ଉଠିଛି ପ୍ରଶ୍ନ। ସେହିଭଳି ବସ୍ ଯାତ୍ରୀଙ୍କ ରାତ୍ରୀ ରହଣି ଦୃଷ୍ଟିରୁ ଏଠାରେ ଡର୍ମିଟୋରି ବ୍ୟବସ୍ଥା ରହିଥିଲେ ମଧ୍ୟ ସରକାର ବଦଳିବା ପରେ ଆଉ ବେଡ୍ ପଡ଼ି ପାରି ନାହିଁ। ଫଳରେ ଦୂରଦୂରାନ୍ତକୁ ଯିବା ପାଇଁ ଅପେକ୍ଷା କରିଥିବା ଯାତ୍ରୀ ବାହାରେ ଚଟାଣରେ ଶୋଉଛନ୍ତି ଏବଂ ଅସାମାଜିକ ଲୋକଙ୍କ ଶିକାର ହେଉଛନ୍ତି। ବସ୍ ଟର୍ମିନାଲର ବଡ଼ ସମସ୍ୟା ହେଉଛି ଯାତ୍ରୀଙ୍କୁ ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ଅନ୍ୟାନ୍ୟ ଜିନିଷ ଯୋଗାଇ ଦେବା ପାଇଁ ୧୩୦ଟି ଦୋକାନ ଘର ତିଆରି କରାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ସେଗୁଡ଼ିକ ଆବଣ୍ଟନ କରାଯାଇପାରି ନାହିଁ। ଯାହାକୁ ନେଇ ବିବାଦ ଉପୁଜୁଥିବା ବେଳେ ତେଣେ ଯାତ୍ରୀମାନେ ପାଣି ବୋତଲ ପାଇଁ ମଧ୍ୟ ବସ୍‌ଷ୍ଟାଣ୍ଡ ବାହାରକୁ ଆସୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର