ଭୁବନେଶ୍ବର :ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର କାର୍ଯ୍ୟକୁ ଆଉ ଏକ ଆନ୍ତର୍ଜାତିକ ସ୍ୱୀକୃତି। ରାଜ୍ୟ ସରକାରଙ୍କ ଅଭିନବ, ସ୍ଥାୟୀ ତଥା ଉନ୍ନତଧରଣର ସହରୀ ବିକାଶ ପଦକ୍ଷେପ ପାଇଁ ଓଡିଶା ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ଜାରି ରଖିଛି। ବିଭିନ୍ନ ସହର ଓ ଅଂଚଳରେ ସାମାଜିକ, ଅର୍ଥନୈତିକ ଓ ପରିବେଶଗତ ଉନ୍ନତି ପାଇଁ ଅଭିନବ ଯୋଜନା ଆପଣାଇଥିବାରୁ ଗୃହ ନଗର ଉନ୍ନୟନ ବିଭାଗକୁ ପ୍ରଶଂସା ମିଳିଛି।
ସହରାଞ୍ଚଳରେ ରୋଜଗାର ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା (MUKTA) ଏବଂ ଫେକାଲ୍ ସ୍ଲେଜ୍ ଆଣ୍ଡ ସେପେଜ୍ ମ୍ୟାନେଜମେଣ୍ଟ (FSSM)କୁ ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ମିଳିଛି। ଓଡ଼ିଶା ସରକାରଙ୍କ ଏହି ଦୁଇ ଦୁଇଟି ପ୍ରମୁଖ ପଦକ୍ଷେପକୁ ଆଜି ଅନୁଷ୍ଠିତ ହୋଇଥିବା ବିଶ୍ୱ ସହରୀ ଇନୋଭେସନ୍ ୨୦୨୧ରେ ଗୁଆଙ୍ଗଝୁ ପୁରସ୍କାର ମିଳିଛି। ଏହି ପୁରସ୍କାର ଜିତିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭାଗକୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।
ଅନ୍ୟପଟେ ପୁଣି ଜାତୀୟସ୍ତରରେ ପୁରସ୍କାର ହାତେଇଛି ଓଡ଼ିଶା।ପୌରାଞ୍ଚଳରେ ଜନସାଧାରଣଙ୍କୁ ବିଭିନ୍ନ ସରକାରୀ ସୁବିଧା ଯୋଗାଇ ଦେବାରେ ରାଜ୍ୟର ଏକାଧିକ ପୌରସଂସ୍ଥା ବିଭିନ୍ନ ସମୟରେ ଉଚ୍ଚ ପ୍ରଶଂସିତ ହେବା ସହ ପୁରସ୍କୃତ ହୋଇଛନ୍ତି। ଏହି କ୍ରମରେ ଗତ ୧୧ ତାରିଖରେ ଜାତୀୟସ୍ତରରେ ପ୍ରଦାନ କରାଯାଇଥିବା ୩ଟି ପୁରସ୍କାର ଓଡ଼ିଶା ହାତେଇ ପାରିଛି। ରାଜ୍ୟ ସରକାରଙ୍କ ସଂସ୍ଥା ୱାଟକୋ, କଟକ ମହାନଗର ନିଗମ (ସିଏମସି)ର ବହୁଚରାମାତା ଏସଏଚଜିର ସଦସ୍ୟା କିନ୍ନର ଶୀତଲ ବସ୍ତିଆ ଏବଂ ଢେଙ୍କାନାଳ ପୌରପାଳିକା ଜାତୀୟସ୍ତରରେ ସମ୍ମାନିତ ହୋଇଛନ୍ତି। ସାମଗ୍ରିକ ଭାବେ ସାରା ଦେଶର ପୌରସଂସ୍ଥା ଗୁଡିକର ପରିମଳ ବ୍ୟବସ୍ଥାକୁ ନେଇ ଏହି ସମ୍ମାନ ୫ମ ଥର ପାଇଁ ପ୍ରଦାନ କରାଯାଇଛି। ରାଜ୍ୟର ୩ଟି ବର୍ଗରେ ମିଳିଥିବା ଏହି ପୁରସ୍କାର ଆଇଏସସି- ଏଫଆଇସିସିଆଇ ପ୍ରଦାନ କରିଛି।
ଗରିମା’ ଯୋଜନାକୁ ସାରା ରାଜ୍ୟରେ ସଫଳତାର ସହ ଲାଗୁ କରିବାରେ ୱାଟକୋ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି । ଏହା ସିଧାସଳଖ ଭାବେ ପରିମଳ କର୍ମଚାରୀଙ୍କ ସହଭାଗିତା ବୃଦ୍ଧି କରିବାରେ ସହାୟକ ହେଉଛି। ସେମାନେ ପୂର୍ବାପେକ୍ଷା ଅଧିକ ସମ୍ମାନ ସହ କାର୍ଯ୍ୟ କରିପାରୁଥିବା ଜଣାପଡ଼ିଛି। ସେହିପରି ସହରାଞ୍ଚଳ ଘରଗୁଡିକର ମଳ ପରିଚାଳନା ପାଇଁ ପାଏସଲ ବ୍ଲକ ଏବଂ ସେପ୍ଟେଜ ମ୍ୟାନେଜମେଣ୍ଟ ମଡେଲ (ଅର୍ବାନ) କ୍ଷେତ୍ରରେ ମଧ୍ୟ ଓଡ଼ିଶା ସଫଳତା ପାଇଛି। କେବଳ ସହରାଞ୍ଚଳ ନୁହେଁ ଗ୍ରାମାଞ୍ଚଳରେ ମଧ୍ୟ ଏହି ପଦ୍ଧତିରେ ମଳ ପରିଚାଳନା ସୁଫଳ ଆଣି ଦେଇଛି। ଏହି ବର୍ଗରେ ଓଡ଼ିଶାର ଢେଙ୍କାନାଳ ପୌରସଂସ୍ଥା ଜାତୀୟସ୍ତର ପୁରସ୍କୃତ ହୋଇଛି। ଏଥିସହ ୫ମ ଆଇଏସସି-ଏଫଆଇସିସିଆଇ ପୁରସ୍କାର ଲାଭ କରିଛି। ବ୍ଲକ ଅନୁରୂପ ଭାବେ ସିଏମସିର ପରିମଳ କର୍ମଚାରୀ ଶୀତଳ ବସ୍ତିଆଙ୍କୁ ମଧ୍ୟ ‘ୱମେନ୍ ଚେଞ୍ଜ ମେକର୍ ଇନ୍ ସାନିଟେସନ୍’ ପୁରସ୍କାର ପାଇଛନ୍ତି।