ଖୁବ୍‌‌ଶୀଘ୍ର ନିଯୁକ୍ତି ପାଇବେ ଆଉ ୩୦ ହଜାର ଶିକ୍ଷକ

ଭୁବନେଶ୍ୱର: ଜାତୀୟ ସ୍ତରରେ ଉଲ୍ଲେଖନୀୟ ପ୍ରଦର୍ଶନ କରୁଛନ୍ତି ରାଜ୍ୟର ଛାତ୍ରଛାତ୍ରୀ। ସୁଦୃଢ଼ ହୋଇଛି ରାଜ୍ୟର ଶୈକ୍ଷିକ ଭିତ୍ତିଭୂମି। ଓଡ଼ିଶା ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ଜାତୀୟ ହାରକୁ ଅତିକ୍ରମ କରି ପ୍ରଦର୍ଶନ ଗ୍ରେଡିଂ ଇଣ୍ଡେକ୍ସ(ପିଜିଆଇ) ଏବଂ ନ୍ୟାସନାଲ ଆଚିଭମେଣ୍ଟ ସର୍ଭେ(ଏନଏଏସ)ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ବିଗତ ୪ ବର୍ଷ ମଧ୍ୟରେ ରାଜ୍ୟ ସରକାର ଗଣଶିକ୍ଷା ବିଭାଗ ବଜେଟ୍‌‌କୁ ୫୫ପ୍ରତିଶତ ବୃଦ୍ଧି କରିଛନ୍ତି। ମୋ ସ୍କୁଲ, ୫-ଟି ସ୍କୁଲ ରୂପାନ୍ତରଣ ଭଳି ଯୋଜନା ରାଜ୍ୟର ଶିକ୍ଷା ଭିତ୍ତିଭୂମି […]

ଭୁବନେଶ୍ୱର: ଜାତୀୟ ସ୍ତରରେ ଉଲ୍ଲେଖନୀୟ ପ୍ରଦର୍ଶନ କରୁଛନ୍ତି ରାଜ୍ୟର ଛାତ୍ରଛାତ୍ରୀ। ସୁଦୃଢ଼ ହୋଇଛି ରାଜ୍ୟର ଶୈକ୍ଷିକ ଭିତ୍ତିଭୂମି। ଓଡ଼ିଶା ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ଜାତୀୟ ହାରକୁ ଅତିକ୍ରମ କରି ପ୍ରଦର୍ଶନ ଗ୍ରେଡିଂ ଇଣ୍ଡେକ୍ସ(ପିଜିଆଇ) ଏବଂ ନ୍ୟାସନାଲ ଆଚିଭମେଣ୍ଟ ସର୍ଭେ(ଏନଏଏସ)ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ବିଗତ ୪ ବର୍ଷ ମଧ୍ୟରେ ରାଜ୍ୟ ସରକାର ଗଣଶିକ୍ଷା ବିଭାଗ ବଜେଟ୍‌‌କୁ ୫୫ପ୍ରତିଶତ ବୃଦ୍ଧି କରିଛନ୍ତି। ମୋ ସ୍କୁଲ, ୫-ଟି ସ୍କୁଲ ରୂପାନ୍ତରଣ ଭଳି ଯୋଜନା ରାଜ୍ୟର ଶିକ୍ଷା ଭିତ୍ତିଭୂମି ବିକାଶରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି। ଗତ ୪ ବର୍ଷରେ ୧୪୮୪୯ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ଏବଂ ଖୁବ୍‌‌ ଶୀଘ୍ର ଆଉ ୩୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି ଯେ ରାଜ୍ୟସରକାର ଦେଇଥିବା ପ୍ରତିଶ୍ରୁତିକୁ ବିଭାଗ ସଫଳତାର ସହ ପୂରଣ କରିଛି। ରାଜ୍ୟର ସମସ୍ତ ବ୍ଲକରେ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ହେବା ସହ ଉନ୍ନତ ଶିକ୍ଷାଦାନର ବ୍ୟବସ୍ଥା ସୁନିଶ୍ଚିତ କରାଯାଉଛି। ମୋ ସ୍କୁଲ ଓ ‘୫-ଟି’ ରୂପାନ୍ତରୀକରଣ ଯୋଜନାରେ ଶିକ୍ଷାନୁଷ୍ଠାନଗୁଡ଼ିକର ନବକଳେବର ସାଙ୍ଗକୁ ପ୍ରତ୍ୟେକ ହାଇ ସ୍କୁଲରେ ଆଇଟି ଲ୍ୟାବ୍‌‌ ପ୍ରତିଷ୍ଠା ଓ ପ୍ରତି ପୌରସଂସ୍ଥାରେ ଗୋଟିଏ ମଡେଲ୍‌‌ ସ୍କୁଲ ପ୍ରତିଷ୍ଠା କରିବା ଲକ୍ଷ୍ୟ ରହିଛି। ଏଥି ସହ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ଛାତ୍ରୀମାନଙ୍କୁ ମାଗଣା ଶିକ୍ଷା ସୁନିଶ୍ଚିତ କରାଯାଇଛି। ଗଣଶିକ୍ଷା ବିଭାଗକୁ ସୁଦୃଢ଼ କରିବା ପାଇଁ ବିଗତ ୪ ବର୍ଷ ମଧ୍ୟରେ ବଜେଟ ବ୍ୟୟ ବରାଦ ୫୫% ବୃଦ୍ଧି କରାଯାଇଛି। ୨୦୧୮-୧୯ ମସିହାରେ ଗଣଶିକ୍ଷା ବାବଦ ବ୍ୟୟବରାଦ ୧୪,୫୨,୬୯୯ କୋଟି ଟଙ୍କା ରହିଥିବାବେଳେ ୨୦୨୩-୨୪ରେ ବ୍ୟୟବରାଦ ୨୨,୫୨,୭୮୦କୋଟି ଟଙ୍କାରେ ପହଞ୍ଚିଛି। ବିଗତ ୩ପର୍ଯ୍ୟାୟରେ ରାଜ୍ୟର ୬,୧୨୩ଟି ବିଦ୍ୟାଳୟର ରୂପାନ୍ତରଣ କରାଯାଇଥିବା ଓ ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଉଚ୍ଚ ବିଦ୍ୟାଳୟକୁ ରୂପାନ୍ତରଣରେ ସାମିଲ୍‌‌ ପାଇଁଯୋଜନା ପ୍ରସ୍ତୁତ ହୋଇଥିବା ଏହି ଅବସରରେ ମନ୍ତ୍ରୀ ସୂଚନା ଦେଇଛନ୍ତି।

ସେହିପରି ଆଦର୍ଶ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳ ପିଲାଙ୍କୁ ଆବାସିକ ଇଂରାଜୀ ମାଧ୍ୟମ ଶିକ୍ଷା ଏବଂ ୱାର୍ଲ୍ଡ ଇଣ୍ଡିଆ ସ୍କୁଲ ଶ୍ରେଷ୍ଠ ୧୦ଟି ର‍୍ୟାଙ୍କିଂରେ ଗଞ୍ଜାମର ହାତୀଓଟ ଓ ମୟୂରଭଞ୍ଜର ରାଣୀଭୋଲିନ୍‌‌ ସ୍ଥାନିତ ହୋଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟରେ ରେକର୍ଡ଼ ସଂଖ୍ୟକ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ସମ୍ପର୍କରେ ଶ୍ରୀ ମାର୍ଣ୍ଡି ସୂଚନା ଦେଇ କହିଥିଲେ ୨୦୧୯ ପରଠାରୁ ବିଭିନ୍ନ ବର୍ଗରେ ଗଣଶିକ୍ଷା ବିଭାଗରେ ୧୪ହଜାର ୮୪୯ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ୩୦ହଜାର ୨୭୯ଜଣ ଶିକ୍ଷକ ଓ ୧୭୯୯ଜଣ ଅଣଶିକ୍ଷକଙ୍କ ଚୟନ ପ୍ରକ୍ରିୟା ଜାରି ରହିଛି। ସେହିପରି ମାଟ୍ରିକ୍‌‌ ଓ ଦ୍ୱାଦଶ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା ଓ ବିଭାଗ ଅଧୀନରେ କାର୍ଯ୍ୟରତ କାର୍ମଚାରୀଙ୍କ ଅନୁକମ୍ପା ରାଶି ୨ଲକ୍ଷରୁ ୫ଲକ୍ଷକୁ ବୃଦ୍ଧି କରାଯାଇଛି। ଚଳିତ ବର୍ଷରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ସହ ନବମ ଓ ଦଶମ ଶ୍ରେଣୀ ପାଇଁ ମାଗଣା ପୋଷାକ(ସ୍କୁଲ ୟୁନିଫର୍ମ) ଯୋଜନା ଓ ନବମ ଶ୍ରେଣୀ ପିଲାଙ୍କୁ ସାଇକେଲ୍‌‌ କିଣିବା ବାବଦ ଅନୁଦାନ ରାଶିକୁ ୨୬ଶହ ୩୫ଶହ ଟଙ୍କାକୁ ବୃଦ୍ଧି କରାଯାଇଥିବା ସେ ଦର୍ଶାଇଛନ୍ତି। ଚଳିତ ବର୍ଷରୁ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଉଥିବା ନୋଟ୍‌‌ ବୁକ୍‌‌ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନା ବାବଦରେ ଗଣଶିକ୍ଷା ମନ୍ତ୍ରୀ ସବିଶେଷ ସୂଚନା ଦେଇଥିଲେ। ମାଟ୍ରିକ୍‌‌ ଛାତ୍ରଛାତ୍ରୀଙ୍କ ସଫଳତା ହାର ବୃଦ୍ଧି ଓ ପିଲାଙ୍କ ଡ୍ରପ୍‌‌ ଆଉଟକୁ ନିୟନ୍ତ୍ରଣ କରିବା ଲାଗି ଚଳିତ ବର୍ଷରୁ ରାଜ୍ୟରେ ୧୦୬ଟି ବିଦ୍ୟାଳୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ କରାଯାଇଥିବା ସମ୍ପର୍କରେ ଦର୍ଶାଇଥିଲେ। ଏହା ଦ୍ୱାରା ରାଜ୍ୟରେ ୧୩ ହଜାରରୁ ଅଧିକ +୨ ସିଟ୍‌‌ ବୃଦ୍ଧି ହେବ ବୋଲି ମନ୍ତ୍ରୀ କହିଛନ୍ତି। ଗୀତଗୋବିନ୍ଦ ସଦନରେ ଆୟୋଜିତ ସମ୍ମିଳନୀରେ ଗଣଶିକ୍ଷା ମନ୍ତ୍ରୀଙ୍କ ସମେତ ବିଭାଗୀୟ ପ୍ରମୁଖ ସଚିବ ଅଶ୍ୱଥୀ ଏସ୍‌‌ ଓ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ଉପସ୍ଥିତ ଥିଲେ।

About The Author: The Sakala