ନୟାଗଡ଼: ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ଯୁବତୀଙ୍କ ମୃତ୍ୟୁ । ନୟାଗଡ଼ ଜିଲ୍ଲା ଭାପୁରରୁ ଆସିଛି ଏପରି ସଂଗୀନ ଅଭିଯୋଗ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସହ ଚାପା ଉତ୍ତେଜନା ଦେଖାଦେଇଛି। ମୃତ ଛାତ୍ରୀଜଣକ ହେଉଛନ୍ତି ଭାପୁର ବ୍ଳକ ଗୋଳାପୋଖରୀ ଗ୍ରାମର ଗୋପାଳ ଚନ୍ଦ୍ର ବେହେରାଙ୍କ ଝିଅ ସନ୍ତୋଷୀ ବେହେରା ।
ମିଳିଥିବା ସୂଚନା ଅନୁଯାୟୀ, ଯୁବତୀଙ୍କୁ ଗତକାଲିଠାରୁ ସାଧାରଣ ଜ୍ୱର ହୋଇଥିଲା । ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ଆଜି ସକାଳେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ଦେଖିବା ପରେ ଏକ ଇଞ୍ଜେକ୍ସନ ଦେଇଥିଲେ। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ହିଁ ସନ୍ତୋଷୀଙ୍କ ମୃତ୍ୟୁ ଘଟିଛି । ଡାକ୍ତରଙ୍କ ଅବହେଳା ଯୋଗୁଁ ସେମାନେ ନିଜ ଝିଅକୁ ହରାଇଲେ ବୋଲି ବାପା ଗୋପାଳ ବେହେରା କାନ୍ଦି କାନ୍ଦି ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ଫତେଗଡ଼ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଅନ୍ୟପଟେ ଘଟଣା ସ୍ଥଳରୁ ଡାକ୍ତର ଫେରାର ହୋଇଯାଇଛି।