ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା: ଖୋର୍ଦ୍ଧା ଜିଲ୍ଲାରେ ୩୧ ତାରିଖ ଯାଏଁ ସମସ୍ତ ସ୍କୁଲ୍‌ ଛୁଟି

ଭୁବନେଶ୍ୱର: ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଥିବା ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଆଖିଆଗରେ ରଖି ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି।

ଖୋର୍ଦ୍ଧା ସମଗ୍ର ଶିକ୍ଷା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାର ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ଏକ ଜରୁରୀକାଳୀନ ଚିଠି ମାଧ୍ୟମରେ ଏହି ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶାନୁସାରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ହାଇସ୍କୁଲ୍, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ସମସ୍ତ ସରକାରୀ, ବେସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAVs) ଗୁଡ଼ିକ ଜୁଲାଇ ୩୦ ଏବଂ ଜୁଲାଇ ୩୧ ତାରିଖରେ ବନ୍ଦ ରହିବ।

ଆଜି ଅପରାହ୍ନ ଗୋଟାଏ ସୁଦ୍ଧା ବିଦ୍ୟାଳୟ ଗୁଡିକୁ ଛୁଟି ଘୋଷଣା କରିବା ସହିତ ଆସନ୍ତାକାଲି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀମାନେ ଯେପରି ସୁରକ୍ଷିତ ଭାବେ ନିଜ ଘରକୁ ଫେରିପାରିବେ, ସେଥିପାଇଁ ଜୁଲାଇ ୩୦ ତାରିଖରେ ସକାଳୁ ସଅଳ ମଧ୍ୟାହ୍ନ ଭୋଜନ (MDM) ପ୍ରଦାନ କରିବାକୁ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ତେବେ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଛୁଟି ଥିଲେ ମଧ୍ୟ ସମସ୍ତ ଶିକ୍ଷକ ଏବଂ ଅନ୍ୟାନ୍ୟ କର୍ମଚାରୀ ନିୟମିତ ସମୟରେ ବିଦ୍ୟାଳୟରେ ଉପସ୍ଥିତ ରହିବେ। 

ପ୍ରଶାସନ ପକ୍ଷରୁ ଆଗାମୀ ୪ ଦିନ ପାଇଁ ଶିକ୍ଷକ ଓ କର୍ମଚାରୀଙ୍କ କୌଣସି ପ୍ରକାରର ଛୁଟି (Casual Leave) ନେବା ଉପରେ କଡ଼ା କଟକଣା ଲଗାଯାଇଛି। ଆବଶ୍ୟକ ପଡ଼ିଲେ ସ୍କୁଲ୍ କୋଠା ଏବଂ ଅନ୍ୟାନ୍ୟ ସୁବିଧାକୁ ରିଲିଫ୍ କେନ୍ଦ୍ର ଭାବରେ ବ୍ୟବହାର କରାଯିବ ବୋଲି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିନା କାରଣରେ ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶକୁ ଅବମାନନା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି। ଆସନ୍ତା ଅଗଷ୍ଟ ୧, ୨୦୨୬ ତାରିଖରେ ସ୍କୁଲ୍ ଗୁଡ଼ିକ ପୁନର୍ବାର ଖୋଲିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସୂତ୍ରରୁ ସୂଚନା ମିଳିଛି।

About The Author: Madhusudan Das