ଭୁବନେଶ୍ୱର: ରାଜ୍ୟରେ ଅଧିକରୁ ଅଧିକ ଅକ୍ଷୟ ଶକ୍ତିର ଉତ୍ପାଦନ ଓ ବ୍ୟବହାରକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ରାଜ୍ୟ ସରକାରଙ୍କ ‘ଓଡ଼ିଶା ଅକ୍ଷୟ ଶକ୍ତି ନୀତି-୨୦୨୨’ ଅଧିନରେ ୨୦୩୦ ସୁଦ୍ଧା ରାଜ୍ୟରେ ପ୍ରାୟ ୧୧୦୦୦ ମେଗାୱାଟ ସବୁଜ ଶକ୍ତି ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହିକ୍ରମରେ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ସୌରଶକ୍ତି ସମ୍ପନ୍ନ କରାଯିବ। ଭିତ୍ତିଭୂମି ନିର୍ମାଣକୁ ଗୁରୁତ୍ବ ଦିଆଯିବା ସହ ଖୁବ୍ଶୀଘ୍ର କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯିବ। ଆସନ୍ତା ମାର୍ଚ୍ଚ ମାସରୁ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇ ଡିସେମ୍ବର ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।
ସୂଚନା ଅନୁଯାୟୀ, ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ରାଜ୍ୟ ଶକ୍ତି ବିଭାଗ ନିଷ୍ପତ୍ତି ନେଇଛି। ପାୱାର ଗ୍ରୀଡ କର୍ପୋରେସନ ଲିମିଟେଡ ଏହି ପ୍ରକଳ୍ପ କାର୍ଯ୍ୟରେ ସହଯୋଗ କରିବ। କାର୍ଯ୍ୟାଳୟ ଚିହ୍ନଟ ସହ କେତେ ଅଞ୍ଚଳରେ ସୌର ପ୍ୟାନେଲ ଲାଗିବ ତା’ର ଆକଳନ କରାଯିବ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗ୍ରୀଡ୍କୋ, ଓରେଡା ଏବଂ ରାଜ୍ୟର ବିତରକ କମ୍ପାନୀକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ପ୍ରାଥମିକ ଆଲୋଚନା ସରିଛି। କେବଳ ସୌରଶକ୍ତି ନୁହେଁ, ବିଭିନ୍ନ ଅକ୍ଷୟ ଶକ୍ତି ସ୍ରୋତର କିପରି ସଠିକ୍ ବିନିଯୋଗ ହୋଇପାରିବ ସେନେଇ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଛନ୍ତି। ବିଶେଷକରି ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ରିଆତି ବ୍ୟବସ୍ଥା କରିଥିବା ବେଳେ ଧିରେ ଧିରେ ନିବେଶକ ମଧ୍ୟ ଓଡ଼ିଶାରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ଏହିକ୍ରମରେ ଓଡ଼ିଶା ‘ଅକ୍ଷୟ ଶକ୍ତି ନୀତି-୨୦୨୨’ ଅଧୀନରେ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହୀ ନିବେଶକଙ୍କ ପ୍ରସ୍ତାବର ତ୍ୱରିତ୍ ସମୀକ୍ଷା କରିବା ପାଇଁ ଶକ୍ତି ବିଭାଗ ପକ୍ଷରୁ ଏକ ରାଜ୍ୟସ୍ତରୀୟ ସୁବିଧା କକ୍ଷ ବା ଷ୍ଟେଟ ଲେଭେଲ ଫେସିଲିଟେସନ ସେଲ୍ ମଧ୍ୟ ଖୋଲାଯାଇଛି। ଅକ୍ଷୟ ଶକ୍ତି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଆଗତ ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ ସହ ଅକ୍ଷୟ ଶକ୍ତି ନୀତି କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଏହି ସେଲ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ। ଏହି ସେଲ୍ ନିବେଶ ପ୍ରସ୍ତାବର ସମୀକ୍ଷା କରିବା ପରେ ସିଙ୍ଗଲ ୱିଣ୍ଡୋ କମିଟିର ମଞ୍ଜୁରୀ ପାଇଁ ଦାଖଲ କରିବ। ଯାହାଫଳରେ କୌଣସି ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଆଉ ବିଶେଷ ସମୟ କିମ୍ବା ଅସୁବିଧା ଉତ୍ପନ୍ନ ହେବ ନାହିଁ। ଏହାଦ୍ୱାରା ନିବେଶକ ବିଶେଷ ମାତ୍ରାରେ ଉପକୃତ ହେବାକୁ ଥିବା ବେଳେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଓଡ଼ିଶା ଆହୁରି ସମୃଦ୍ଧ ହେବ ବୋଲି ଆଶା କରାଯାଉଛି।
ସୂଚନାଯୋଗ୍ୟ ଯେ ଓଡ଼ିଶା ଅକ୍ଷୟ ଶକ୍ତି ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ଶକ୍ତି ବିଭାଗ ପକ୍ଷରୁ ପରିଚାଳନା ନିୟମାବଳୀକୁ ଅନୁମୋଦନ ମିଳିସାରିଛି। ନିୟମାବଳୀର ଅନୁପାଳନ ପାଇଁ ବିଭାଗ ସମସ୍ତ ବିଭାଗ, ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆଗାମୀ ଦିନରେ ତଦନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ। ଅପରପକ୍ଷେ ରାଜ୍ୟରେ ଅକ୍ଷୟ ଶକ୍ତି ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏହିକ୍ରମରେ ଅକ୍ଷୟ ଶକ୍ତି ଉତ୍ପାଦନ କେନ୍ଦ୍ରରୁ ‘ଲୋଡ ସେଣ୍ଟର’ ପର୍ଯ୍ୟନ୍ତ ଶକ୍ତି ପରିବହନ ଭିତ୍ତିଭୂମି ନିର୍ମାଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଶକ୍ତି ଉନ୍ନୟନ କାର୍ଯ୍ୟକ୍ରମ ଅଧିନରେ ତଥା ସବୁଜ ଶକ୍ତି ଉତ୍ପାଦନ ଓ ପରିବହନ କରିଡର ମାଧ୍ୟମରେ ସ୍ୱତନ୍ତ୍ର ଗ୍ରୀଡ ଷ୍ଟେସନ ଓ ଟ୍ରାନ୍ସମିଶନ ଲାଇନ ନିର୍ମାଣ କରାଯିବ। ଏହି ପ୍ରକଳ୍ପ ପାଇଁ ଆସନ୍ତା ୫ ବର୍ଷରେ ୧୩୪୫ କୋଟି ଟଙ୍କା ଖର୍ଚ୍ଚହେବ। ‘ଇନ୍ଦ୍ରାବତୀ ପମ୍ପଡ୍ ଷ୍ଟୋରେଜ ପ୍ରକଳ୍ପ’ ଓ ମନମୁଣ୍ଡା ସୌର ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରୁ ଶକ୍ତି ଉତ୍ପାଦନ ପାଇଁ ଏହି ପ୍ରକଳ୍ପ ସହାୟକ ହେବ ବୋଲି ଆଶା କରାଯାଉଛି।