କୋରାପୁଟ : ଜୟପୁରରୁ ଭୁବନେଶ୍ୱରକୁ ବିମାନ ସେବା ସୋମବାରଠାରୁ ଶୁଭାରମ୍ଭ ହେବ । ଦୀର୍ଘ ୩୫ବର୍ଷ ପରେ ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ପୂର୍ବାହ୍ନ ୧୦.୩୦ରେ ବିମାନ ସେବା ଶୁଭାରମ୍ଭ କରିବେ। ଏହି ବିମାନ ସେବା ଯୋଗୁଁ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାବାସୀ ଉପକୃତ ହେବେ।
ସୂଚନା ଅନୁସାରେ, ୧୯୬୨ରେ ସୁନାବେଡ଼ାରେ ହିନ୍ଦୁସ୍ଥାନ ଏରୋନେଟିକସ୍ ଲିମିଟେଡ୍ (ହାଲ୍) ପ୍ରତିଷ୍ଠା ସମୟରେ ୬୦ ଏକର ଜମିରେ ଜୟପୁରରେ ଏୟାରଷ୍ଟ୍ରିପ୍ ନିର୍ମାଣ ହୋଇଥିଲା । ତେବେ ପ୍ରଥମ ଥର ଲାଗି ଜୟପୁର ଏୟାରଷ୍ଟ୍ରିପ୍ରୁ ୮୦ ଦଶକର ଦ୍ୱିତୀୟାର୍ଦ୍ଧରେ ବାୟୁଦୂତ ବିମାନ ଜୟପୁରରୁ ବିଶାଖାପାଟଣା ଦେଇ ଭୁବନେଶ୍ୱରକୁ ଉଡ଼ିଥିଲା । ଏହା କିଛିମାସ ଚାଲିବା ପରେ କୌଣସି କାରଣ ବଶତଃ ବନ୍ଦ ହୋଇ ଯାଇଥିଲା । ସେହି ଦିନରୁ ଜୟପୁର ଏୟାରଷ୍ଟ୍ରିପ୍ ଏକ ପ୍ରକାର ସ୍ଥାଣୁ ଅବସ୍ଥାରେ ରହିଥିଲା। ୨୦୧୧ରେ ଏହାର ପୁନରୁଦ୍ଧାର ନିମନ୍ତେ ରାଜ୍ୟ ସରକାର ଚିନ୍ତା କରିଥିଲେ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପୂର୍ତ୍ତ ବିଭାଗ ଏୟାରଷ୍ଟ୍ରିପ୍ର ପୁନରୁଦ୍ଧାର ନିମନ୍ତେ ୬ କୋଟି ଟଙ୍କାର ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଥିଲେ ।
ମାଷ୍ଟର ପ୍ଲାନରେ ଟର୍ମିନାଲ୍ କୋଠାର ଉନ୍ନତିକରଣ, ରନ୍ ୱେର ଚଉଡ଼ା ବୃଦ୍ଧି, ପାଚେରୀ ନିର୍ମାଣ ଏବଂ ୨୬ନଂ ଜାତୀୟ ରାଜପଥରୁ ଏୟାରଷ୍ଟ୍ରିପ୍ ରାସ୍ତାର ପ୍ରଶସ୍ତିକରଣ ଇତ୍ୟାଦି ରଖାଯାଇଥିଲା। ପରବର୍ତ୍ତୀ ସମୟରେ ଏୟାରଷ୍ଟ୍ରିପ୍ର ସମ୍ପ୍ରସାରଣ ନିମନ୍ତେ ଅଧିକ ଜମି ଅଧିଗ୍ରହଣ କରିବାକୁ ଯୋଜନା କରି ରାଜ୍ୟ ସରକାର ୨୦୧୩ରେ ଆର୍ ଏଣ୍ଡ୍ ବି ବିଭାଗକୁ ଦାୟିତ୍ୱ ଦେବା ସହ ୫୫ କୋଟି ଟଙ୍କା ମଞ୍ଜୁର କରିଥିଲେ । ରନ୍ ୱେର ଚଉଡ଼ା ୧୫ମିଟରରୁ ୨୪ ମିଟରକୁ ବୃଦ୍ଧି କରାଯିବା ସହ ୨.୫ କିଲୋମିଟର ପାଚେରି ନିର୍ମାଣ ହୋଇଥିଲା। ୨୦୧୯ରେ ରାଜ୍ୟ ସରକାର ରନୱେର ଚଉଡ଼ା ୫୦୦୦ ଫୁଟକୁ ବୃଦ୍ଧି କରି ଏହାକୁ ଉନ୍ନିତ କରିବା ନିମନ୍ତେ ଏୟାର୍ ପୋର୍ଟ ଅଥରିଟି ଅଫ୍ ଇଣ୍ଡିଆଙ୍କୁ ଯୋଗାଯୋଗ କରିଥିଲେ ।
ଏହି ସମସ୍ତ କାର୍ଯ୍ୟ ଶେଷ ପରେ ଏଏଆଇର ପ୍ରତିନିଧି ଏକାଧିକ ଥର ଜୟପୁର ଏୟାରପୋର୍ଟ ଗସ୍ତ କରି ପରୀକ୍ଷା ନିରୀକ୍ଷା କରିବା ପରେ ୨୦୨୨ ଅକ୍ଟୋବର ୨୦ରେ ଏଠାରୁ ବ୍ୟବସାୟିକ ବିମାନ ଉଡାଣ ନିମନ୍ତେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ଲାଇସେନ୍ସ ପ୍ରଦାନ କରିଥିଲେ । ଜୟପୁର ଏୟାରପୋର୍ଟ ରାଜ୍ୟର ତୃତୀୟ ବ୍ୟବସାୟିକ ବିମାନ ବନ୍ଦର ହୋଇଥିବା ବେଳେ ଖୁବ୍ଶୀଘ୍ର ଜୟପୁରରୁ ବିଶାଖାପାଟଣା ଏବଂ ଅନ୍ୟାନ୍ୟ ସ୍ଥାନକୁ ବିମାନ ସେବା ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଜୟପୁର-ଭୁବନେଶ୍ୱର ବିମାନ ସେବା ହେଉଥିବାରୁ ଜିଲ୍ଲା ବିଜେଡି ସଭାପତି ଇଂ.ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ, କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲ, କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ, ପଟାଙ୍ଗି ବିଧାୟକ ପୀତମ ପାଡ଼ି, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଯାନୀ, ଏସଡିସି ଅଧ୍ୟକ୍ଷ ଚନ୍ଦ୍ର ଶେଖର ମାଝି, ପୂର୍ବତନ ସାଂସଦ ପ୍ରଦୀପ ମାଝି, ଝିନ୍ନ ହିକକା, ପୂର୍ବତନ ବିଧାୟକ କୈଳାଶ କୁଲେସିକା ପ୍ରମୁଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।