ଅନୈତିକ କାର୍ଯ୍ୟରେ ଲିପ୍ତ ସେବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ସେବାରୁ ନିଲମ୍ବନ, ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା

ପୁରୀ: ମହାପ୍ରଭୁଙ୍କ ସେବାରେ ନିୟୋଜିତ ସେବକମାନଙ୍କୁ ଭକ୍ତମାନେ ଏକ ଭିନ୍ନ ଦୃଷ୍ଟିରେ ଦେଖିଥା’ନ୍ତି। ମହାପ୍ରଭୁଙ୍କ ସେବା କରୁଥିବାରୁ ସେମାନଙ୍କ ପ୍ରତି ସମସ୍ତଙ୍କ ସମ୍ମାନ ଥାଏ। ହେଲେ ଏମିତି ହାତଗଣତି କିଛି ସେବକ ରହିଛନ୍ତି ଯେଉଁମାନେ ତାଙ୍କ ଆଚାର ବ୍ୟବହାରରେ ଶାଳୀନତା ରଖୁନାହାନ୍ତି। ବିଭିନ୍ନ ବିଭ୍ରାଟ ପାଇଁ ସେମାନଙ୍କ ଉପରକୁ ଅଙ୍ଗୁଳି ଉଠୁଛି। ମନ୍ଦିର ପ୍ରଶାସନ ମଧ୍ୟ ସେମାନଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଆପଣାଉଛି। ଏମିତି ଜଣେ ଶୁଦ୍ଧ ସୁଆର ଓ ଦଇତାପତି ସେବକ ଶ୍ରଦ୍ଧାନନ୍ଦ ଦାସ ମହାପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। 

ସମ୍ପୃକ୍ତ ସେବକ ଶ୍ରୀ ଦାସମହାପାତ୍ର ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ତାଙ୍କ ବିରୋଧରେ ପୁଲିସ ମୋକଦ୍ଦମା ରୁଜୁ କରାଯାଇଥିବା ଶ୍ରୀମନ୍ଦିର ପ୍ରଶାସନଙ୍କ ଦୃଷ୍ଟିକୁ ଆସିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଶ୍ରୀମନ୍ଦିର ଆଇନ ଅନୁଯାୟୀ ତାଙ୍କୁ ଅନ୍ୟାଦେଶ ପାଇଁ ନିଲମ୍ବନ କରିଛନ୍ତି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ। ଉକ୍ତ ସେବକଙ୍କ ଅନୈତିକ କାର୍ଯ୍ୟ ସମଗ୍ର ସେବକ ସମାଜ ଏବଂ ଶ୍ରୀମନ୍ଦିରର ସମ୍ମାନ ଓ ମର୍ଯ୍ୟାଦା କ୍ଷୁଣ୍ଣ କରିଥିବା ପରିପ୍ରେକ୍ଷୀରେ ତାଙ୍କ ବିରୋଧରେ ନିଲମ୍ବନ ଆଦେଶ ଜାରି କରାଯାଇଛି। ଏହା ଅନ୍ୟାଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବା ସହିତ ନିଲମ୍ବନ ଅବଧିରେ ସମ୍ପୃକ୍ତ ସେବକ ସେବାରୁ ବଞ୍ଚିତ ହେବା ସହିତ ଶ୍ରୀମନ୍ଦିରରେ ପ୍ରବେଶ କରିବା ପାଇଁ ନିଷେଧାଜ୍ଞା ଜାରି କରିଛନ୍ତି ମୁଖ୍ୟ ପ୍ରଶାସକ। ଶ୍ରୀମନ୍ଦିରର ପ୍ରାୟତଃ ସେବକଙ୍କ ଆଚାର ବ୍ୟବହାର ସଠିକ୍‌ ଯୋଗୁଁ ନୀତିକାନ୍ତି ସମ୍ପାଦନ ଶୃଙ୍ଖଳିତ ହୋଇପାରୁଛି। କିନ୍ତୁ କିଛି ସେବକଙ୍କ ଅବାଞ୍ôଛତ କାର୍ଯ୍ୟକଳାପ ସମଗ୍ର ସେବକସମାଜକୁ ବଦନାମ୍‌ କରୁଥିବା ଦର୍ଶାଇ କୌଣସି ବି ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ଡ. ପାଢ଼ୀ।

About The Author: Madhusudan Das