କଟକ: ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ACF) ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ଶକ୍ତ ଝଟକା ଲାଗିଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟ (ହାଇକୋର୍ଟ) ତାଙ୍କର ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଏହି ନିଷ୍ପତ୍ତି ପରେ ବିଦ୍ୟାଭାରତୀଙ୍କ ଗିରଫଦାରି ସମ୍ଭାବନା ବୃଦ୍ଧି ପାଇବା ସହ ତଦନ୍ତକାରୀ ସଂସ୍ଥା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହଜ ହୋଇଛି।
ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ବିଦ୍ୟାଭାରତୀ ଗିରଫଦାରିରୁ ବର୍ତ୍ତିବା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ମାତ୍ର କୋର୍ଟ ସମସ୍ତ ଦିଗକୁ ବିଚାର କରି ଏହି ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। ଏହି ହାଇପ୍ରୋଫାଇଲ ମାମଲାଟି ଦୀର୍ଘ ଦିନ ଧରି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନାଯୋଗ୍ୟ ଯେ, ୨୦୨୧ ମସିହାରେ ସୌମ୍ୟରଞ୍ଜନ ମହାପାତ୍ରଙ୍କର ସନ୍ଦେହଜନକ ଭାବେ ନିଆଁରେ ପୋଡ଼ି ହୋଇ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ବିଦ୍ୟାଭାରତୀଙ୍କ ଭୂମିକାକୁ ନେଇ ସୌମ୍ୟରଞ୍ଜନଙ୍କ ପରିବାର ଲୋକେ ପ୍ରଶ୍ନ ଉଠାଇବା ସହ ଥାନାରେ ଅଭିଯୋଗ କରିଥିଲେ। ପୂର୍ବରୁ ଏହି ମାମଲାରେ ପୋଲିସ ଓ କ୍ରାଇମବ୍ରାଞ୍ଚ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ଜେରା କରାଯାଇଥିଲା।
ଆଗୁଆ ଜାମିନ ଖାରଜ ହେବା ପରେ ଏବେ ତଦନ୍ତକାରୀ ଅଧିକାରୀମାନେ ବିଦ୍ୟାଭାରତୀଙ୍କୁ ହେପାଜତକୁ ନେଇ ଅଧିକ ପଚରାଉଚରା କରିବା ପାଇଁ ପ୍ରସ୍ତୁତି ଚଳାଇପାରନ୍ତି । ଘଟଣା ସମୟରେ କ’ଣ ପରିସ୍ଥିତି ଥିଲା ଏବଂ ସୌମ୍ୟଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ କ’ଣ, ସେ ନେଇ ରହସ୍ୟ ଉନ୍ମୋଚନ ହେବା ନେଇ ଆଶା କରାଯାଉଛି।