ଭୁବନେଶ୍ୱର : ପ୍ରେମ ସତ୍ୟ…ପ୍ରେମ ଶାଶ୍ୱତ….ପ୍ରେମ ଚିରନ୍ତନ। ଚଳଚ୍ଚିତ୍ର ଓ ନାଟକରେ ଏମିତି ଅନେକ ସଂଳାପ ରହିଛି। କିନ୍ତୁ ପ୍ରେମିକା ଓ ପ୍ରେମିକଙ୍କୁ ଖୁସିରେ ରଖିବା ଲାଗି ଚୋରି କରିବା ଏବେ ନୂଆ ଟ୍ରେଣ୍ଡ୍ ଦେଖାଯାଇଛି। ପ୍ରେମୀଯୁଗଳ ମଉଜ କରିବା ଲାଗି ଚୋରି କରିବାକୁ ପଛାଉ ନାହାନ୍ତି। ରାଜଧାନୀରେ ‘ପ୍ରେମ ପାଇଁ କୁଛ୍ ଭି କରେଗା’ ନାରାରେ ଅନେକ ଘଟଣା ସାମ୍ନାକୁ ଆସିଛି। କିଏ ପ୍ରେମିକକୁ ଖସି କରିବା ଲାଗି ଲାଗି ଭଉଣୀ ଓ ମା’ର ସୁନାଗହଣା ଲୁଟ୍କରୁଛି ତ କିଏ ପ୍ରେମିକାକୁ ଖୁସି କରିବା ଲାଗି ଘରୁ କିମ୍ବା ଅଫିସରୁ ଅଫିସରୁ ଚୋରି କରୁଛି। ଏମିତିକି ମଲ୍, ଦୋକାନରୁ ଜିନିଷ ଚୋରି କରି ପ୍ରେମିକାକୁ ଦାମୀ ଉପହାର ଦେବାର ଘଟଣା ରାଜଧାନୀରେ ଘଟୁଛି।
ପ୍ରେମିକା ପଛରେ ଉଡ଼ାଉଥିଲା ଟଙ୍କା। ଦେଉଥିଲା ସୁନା, ହୀରା ଭଳି ଦାମୀ ଉପହାର। ବିବାହ କରିବ ବୋଲି ଚୋରି କରି ସୁନାଗହଣାକୁ ଘରେ ସାଇତି ରଖୁଥିଲା। କେବଳ ଏତିକି ନୁହେଁ ମହିଳାଙ୍କ ଅନ୍ତଃବସ୍ତ୍ର ବି ଲୁଟ୍ କରୁଥିଲା। କିଛି ଚୋରି ଗହଣା ବିକି ବାପା ଓ ମା’ଙ୍କ ଚିକିତ୍ସା କରିଥିଲା। ଆଉ ଅୟସ ଜୀବନ ବିତାଉଥିଲା ଚୋରି ଟଙ୍କାରେ। ଏମିତି ଜଣେ ବିବିଏ ପଢ଼ୁଆ କୁଖ୍ୟାତ ଚୋର ପଡ଼ିଛି କମିସନରେଟ ପୁଲିସ ପଞ୍ଝାରେ। ଗିରଫ ପ୍ରେମିକପ୍ରବର ହେଲା ସଞ୍ଜୟ କୁମାର ନିଶାଙ୍କ(୩୩)। ସଞ୍ଜୟର ଘର ଖୋର୍ଦ୍ଧା ଜିଲ୍ଲା ବାଘମାରୀରେ ହୋଇଥିବା ବେଳେ ସେ ଖଣ୍ଡଗିରି ଅଞ୍ଚଳରେ ରହୁଥିଲା।
ସେହିପରି ସଞ୍ଜୟ ରହୁଥିବା ସୌଭାଗ୍ୟନଗରରେ ଭଡ଼ାଘରକୁ ଛୋଟ ଶୋ’ ରୁମ୍ ଖୋଲିଥିଲା। ଉକ୍ତ ଘରୁ ୪୨୩ ଗ୍ରାମର ସୁନା ଅଳଙ୍କାର, ୬୫୦ ଗ୍ରାମ୍ ରୁପା, ୨୫୦ଟି ଦାମୀ ଜିନ୍ସ ପ୍ୟାଣ୍ଟ, ମହିଳାଙ୍କ ଅନ୍ତଃବସ୍ତ୍ର, ୨ଟି ଲାପଟପ୍, ୨ଟି ଫୋନ, ବାଇକ ଓ ଘର ତାଡ଼ିବା ଲାଗି ବ୍ୟବହୃତ ସାମଗ୍ରୀ ମିଳିଛି। ୫ ମାସରେ ଲୁଟିଥିବା ୨୫ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ଜବତ ହୋଇଛି। ପୂର୍ବରୁ ସଞ୍ଜୟ ନାମରେ ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର ଥାନାରେ ୧୮ଟି ମାମଲା ରହିଥିବା ବେଳେ ଏବେ ଆଉ ୫ଟି ମାମଲା ରୁଜୁ ହୋଇଛି। ଏନେଇ ଏସିପି ସ୍ପେଶାଲ ସ୍କ୍ୱାଡ୍ ଏସିପି ସଞ୍ଜୀବ ଶତପଥୀ କହିଛନ୍ତି, ଗିରଫ ସଞ୍ଜୟ ଚୋରିର ଶୈଳୀରୁ ତାକୁ ଧରିବା ପୁଲିସ ଲାଗି ସହଜ ହୋଇଥିଲା। ତାଲା ପକାଇ ବୁଲିବାକୁ ବାହାରକୁ ଯାଉଥିବା ଲୋକଙ୍କ ପଶି କଳାକନା ବୁଲାଉଥିଲା। ଚୋରି ସୁନାଗହଣାକୁ ଆଉ କାହାକୁ ଦେଇଛି କି ନାହିଁ, ଏବିଷୟରେ ଜାଣିବା ଲାଗି ତାକୁ ରିମାଣ୍ଡରେ ଆଣି ଜେରା କରାଯିବା ବୋଲି ସେ ସୂଚନା ଦେଇଛନ୍ତି।
ବିବାହ ଲାଗି ଟଙ୍କା ସଞ୍ଚୁଥିଲା
ସଞ୍ଜୟ ପ୍ରେମିକାକୁ ଖୁସି କରିବା ଲାଗି ଚୋରିକରି ଦାମୀ ଉପହାର ଦେଉଥିଲେ। ୨୦୧୮ ମସିହାରେ ଚନ୍ଦ୍ରଶେଖରପୁର ପୁଲିସ ସଞ୍ଜୟକୁ ଗିରଫ କରିଥିଲା। ତା’ ଠାରୁ ଲକ୍ଷାଧିକ ଟଙ୍କାର ସୁନାଗହଣା, ଫୋନ୍ ଓ ଲାପଟପ ଆଦି ଜବତ ହୋଇଥିଲା। ଜେରା ବେଳେ ସେ ନିଜ ଗାର୍ଲଫ୍ରେଣ୍ଡକୁ ଖୁସି କରିବାକୁ ଏପରି ଚୋରି କରୁଥିବା ସ୍ୱୀକାର କରିଥିଲା। ନିକଟରେ ସଞ୍ଜୟର ବାହାଘର ହୋଇଥାଆନ୍ତା। ବାହାଘର ଲାଗି ସେ ବିଭିନ୍ନ ସ୍ଥାନରୁ ଚୋରି କରିଥିବା ସୁନାକୁ ନିଜ ପାଖରେ ସାଇତି ରଖିଥିଲା। ବିବାହ ଲାଗି ନିଜ ଭାବୀ ପତ୍ନୀଙ୍କ ପାଇଁ ସୁନାଗହଣା ଚୋରି କରୁଥିବା ପୁଲିସ କହିଛି। କିନ୍ତୁ ଗିରଫ ହେବା ପରେ ସଞ୍ଜୟର ବିବାହ କରିବାର ସ୍ୱପ୍ନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।
ଚୋରି ନିଶା ବଦଳାଇଦେଲା ପେଶା
ଗିରଫ ସଞ୍ଜୟଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଅଟ୍ରି ଶରଧାପୁରରେ। ସେ ଭୁବନେଶ୍ୱର ଏକ ପ୍ରତିଷ୍ଠିତ କଲେଜରେ ପାଠ ପଢ଼ୁଥିଲା। ପଢ଼ା ସରିବା ପରେ ଏକ ଡେଳଭରି କମ୍ପାନୀରେ କାମ କରୁଥିଲା। ସେଠାରେ ମାସିକ ୨୦ରୁ ୨୫ ହଜାର ଟଙ୍କା ବେତନ ପାଉଥିଲା। ଉକ୍ତ ଡେଲିଭରୀ କମ୍ପାନୀରେ କାମ କରିବା ସମୟରେ ରାଜଧାନୀର ଗଳିକନ୍ଦି ସହ ସେ ବେଶ୍ ପରିଚିତ ଥିଲା। ଏଣୁ ଦିନ ବେଳେ ସହରର ବିଭିନ୍ନ ସ୍ଥାନରେ ବୁଲି ତାଲା ପଡ଼ିଥିବା ଘରଗୁଡ଼ିକୁ ଚିହ୍ନଟ କରୁଥିଲା। ଉକ୍ତ ଘରେ ପଶିଲା ଲାଗି ମଉକା ଖୋଜୁଥିଲା। ସୁବିଧା ସୁଯୋଗ ମିଳିଲା ପରେ କଟରରେ ଘରର ତାଲା ଭାଙ୍ଗି ପଶିବା ସହ ସୁନା ଗହଣା ଓ ଟଙ୍କା ଲୁଟି ନେଉଥିଲା। ଏମିତିକି ମହିଳାଙ୍କ ଅନ୍ତବସ୍ତ୍ର ନେବାକୁ ପଛାଉ ନ ଥିଲା ସଞ୍ଜୟ। ଗତ ୧୪ ତାରିଖ ନୂଆପଲ୍ଲୀ ଥାନା ଅଞ୍ଚଳର ରଞ୍ଜନ କୁମାର ନନ୍ଦଙ୍କ ଘରୁ ୧ ଲକ୍ଷ ଟଙ୍କା, ଓ ସୁନାଗହଣା ଲୁଟି ନେଇଥିଲା। ଗତ ଦୁଇ ଓ ତିନି ମାସ ମଧ୍ୟରେ ରାଜଧାନୀରେ ସମାନ ଶୈଳୀରେ ଚୋରି ହେବା ପରେ ତଦନ୍ତ ଆରମ୍ଭ କରିଥିଲା କମିସନରେଟ ପୁଲିସ।
ଅପରେସନ୍ ‘ହାଇଟେକ୍ ଲୁଟେରା’
ସଞ୍ଜୟ ଅଭିନେତା ଭଳି ବେଶଭୂଷା ପରିଧାନ କରୁଥିଲା। ପୋଷାକ ଓ ଷ୍ଟାଇଲ୍ରୁ କେହି ବି ସଞ୍ଜୟକୁ ସହଜରେ ଚୋର ଭାବେ ଜାଣିପାରିବେ ନାହିଁ। କିନ୍ତୁ ଅଭିଯୁକ୍ତକୁ ଧରିବା ଲାଗି କମିସନରଟ୍ ପୁଲିସ ଆରମ୍ଭ କରିଥିଲା ଅପରେସନ୍ ହାଇଟେକ୍ ଲୁଟେରା। ଲୁଟ୍ ହୋଇଥିବା ସ୍ଥାନଗୁଡ଼ିକର ସିସିଟିଭି ଫୁଟେଜକୁ ଯାଞ୍ଚ କରିବାରୁ ଜଣେ ବ୍ୟକ୍ତି ହିଁ ଏଥିରେ ସମ୍ପୃକ୍ତି ରହିଥିବା ଜଣାପଡ଼ିଥିଲା। ପରେ ସଞ୍ଜୟକୁ ପିଛା କରି ଖଣ୍ଡଗିରି ଥାନା ସୌଭାଗ୍ୟନଗରରୁ କାବୁ କରିଥିଲା ସ୍ପେଶାଲ ସ୍କ୍ୱାଡ। ଆଉ ଘରୁ ଜବତ ହୋଇଥିଲା ସୁନାଗହଣା ଓ ଦାମୀ ଜିନିଷ।
ରାଜଧାନୀରେ ଘଟିଥିବା କିଛି ଘଟଣା
- ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟିର ୯୭ ଲକ୍ଷ ଟଙ୍କା ଆତ୍ମସାତ୍ କରିଥିଲେ ପ୍ରେମୀଯୁଗଳ। ୟୁନିଭର୍ର୍ସିଟିରେ ସେକ୍ସନ ଅଫିସ ଆସିଷ୍ଟାଣ୍ଡ୍ ପାୟଲ ମହାପାତ୍ର ଛାତ୍ରଛାତ୍ରୀଙ୍କ କଲେଜ ଫି’କୁ ଆଦାୟ କରୁଥିଲେ। ସେଥିରୁ ପ୍ରେମିକ ବିକାଶ କୁମାରଙ୍କୁ ୯୭ ଲକ୍ଷ ଟଙ୍କା ଦେଇ ଦେଇଥିଲା ପ୍ରେମିକ। ପରେ ପ୍ରେମୀଯୁଗଳଙ୍କୁ ଗିରଫ କରାଯାଇଥିଲା।
- ପାର୍କରୁ ହୋଇଥିଲା ପ୍ରେମ। ଆଉ ୧୪ ବର୍ଷର ନାବାଳିକାକୁ ଚୋରି ଜିନିଷ ଉପହାର ଦେବା ଅଭିଯୋଗରେ ଆଶିଷ୍ କୁମାର ଜେନା ନାମକ ଜଣେ ଯୁବକକୁ ପୁଲିସ ଗିରଫ କରିଥିଲା। ତା’ଠାରୁ ୧୦୦ ଗ୍ରାମ୍ର ସୁନା ଅଳଙ୍କାର ଜବତ କରାଯାଇଥିଲା। ଜବତ ଚୋରି ସାମଗ୍ରୀ ମଧ୍ୟରେ ୩ଟି ସୁନାହାର, ୨ଟି ଚେନ୍, ବ୍ରେସ୍ଲେଟ୍ ରହିଥିଲା।
- ଭଉଣୀ ଘରେ ରହି ହୋଟେଲରେ କାର୍ଯ୍ୟ କରୁଥିଲା ରଞ୍ଜିତ ବିଶ୍ୱାଳ ନାମକ ତିର୍ତ୍ତୋଲ ଅଞ୍ଚଳର ଜଣେ ଯୁବକ। ପରେ ପ୍ରେମିକା ମା’ର ଦେହ ଖରାପ ହେବାରୁ ରଞ୍ଜିତ ନିଜ ଭଉଣୀଙ୍କ ଘରୁ ଚୋରି କରିଥିଲା। ଆଉ ଚୋରି ଜିନିଷକୁ ପ୍ରେମିକାକୁ ଉପହାର ଆକାରରେ ଦେଇଥିଲା। ଏହି ଘଟଣାରେ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ପଟିଆ ବରଦେବୀ କଲୋନୀରୁ ରଞ୍ଜିତକୁ ଗିରଫ କରିବା ସହ ପ୍ରେମିକା ଠାରୁ ଟଙ୍କା ଓ ସୁନା ଆଦି ଜବତ କରିଥିଲା ପୁଲିସ।
- ପ୍ରେମିକାକୁ ଦେଉଥିଲା ଦାମୀ ଉପହାର। ତାହା ପୁଣି ଚୋରି କରି। କାହାକୁ ଦେଉଥିଲା ସୁନାର ମୁଦି ତ ଆଉ କାହାକୁ ସୁନାକାନ ଫୁଲ। ତେବେ ଏମିତି ଜଣେ ପ୍ରେମିକା ନାରାୟଣ ମହାନ୍ତି ଓରଫ ନାରୁକୁ ଗିରଫ କରିବା ସହ ତା’ଠାରୁ ପୁଳାପୁଳା ସୁନା ଓ ଟଙ୍କା ଜବତ କରିଥିଲା ପୁଲିସ।
- ଖଣ୍ଡଗିରି ଥାନା ଅଞ୍ଚଳରେ ଜଣେ ଯୁବକ ମଲ୍ରୁ ମହିଳାମାନେ ବ୍ୟବହାର କରୁଥିବା ସାମଗ୍ରୀ ଚୋରି କରୁଥିଲା। ପରେ ଗୋଟିଏ ପରେ ଗୋଟିଏ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଉଥିଲା। ସେମାନଙ୍କୁ ଦାମୀ ଉପହାର ଦେବା ସହ ରାଜ୍ୟ ବାହାରେ ମଉଜ କରୁଥିଲା।
- ଖାରବେଳ ନଗର ଥାନା ଅଞ୍ଚଳରେ ଜଣେ ନାବାଳକ ତା’ ଠାରୁ ଦୁଇବର୍ଷ ବଡ଼ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ଉକ୍ତ ଯୁବତୀଙ୍କୁ ଖୁସି କରିବା ଲାଗି ତାଙ୍କ ଜନ୍ମଦିନରେ ଦେଇଥିଲେ ହୀରା ମୁଦିର ଉପହାର। ଘରୁ ପ୍ରାୟ ଦେଢ଼ବର୍ଷରେ ୨୫ ଲକ୍ଷ ଟଙ୍କା ଟଙ୍କା ଚୋରିକରି ପ୍ରେମିକାକୁ ଦେଇଥିଲେ ଉପହାର।