ଦୁର୍ଘଟଣାରେ ଆହତଙ୍କ ପାଖରେ ଅବିଳମ୍ବେ ପହଞ୍ଚିବ ଆମ୍ବୁଲାନ୍ସ, ଗଠନ ହେଲା ଉଚ୍ଚସ୍ତରୀୟ କମିଟି

ଭୁବନେଶ୍ୱର: ସଡ଼କ ଦୁର୍ଘଟଣାରେ ଆହତ ଶୀଘ୍ର ଡାକ୍ତରଖାନାରେ ପହଞ୍ଚିବେ ଆଉ ତୁରନ୍ତ ଚିକିତ୍ସା ଆରମ୍ଭ ହେବ। ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରୀ ସଂସ୍ଥାର ଆମ୍ବୁଲାନ୍ସ ମିଳିତ ଭାବେ କାମ କରିବେ। ରୋଗୀ କିମ୍ବା ଆହତଙ୍କ ପରିବହନରେ ଥିବା କଟକଣା କୋହଳ କରାଯିବ। ରାଜ୍ୟର ଉପାନ୍ତ ଅଞ୍ଚଳ ହେଉ ଅବା ପ୍ରମୁଖ ସହର ସବୁଠି ନିର୍ଦ୍ଧାରିତ ସମୟ ଭିତରେ ପହଞ୍ଚିବ ଆମ୍ବୁଲାନ୍ସ। ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌‌ଏଚ୍‌‌ଏଆଇ)ର ଆମ୍ବୁଲାନ୍ସ ହେଲ୍ପ ଲାଇନ୍‌‌ ନମ୍ବର ୧୦୩୩ ଏବଂ ରାଜ୍ୟ […]

ଭୁବନେଶ୍ୱର: ସଡ଼କ ଦୁର୍ଘଟଣାରେ ଆହତ ଶୀଘ୍ର ଡାକ୍ତରଖାନାରେ ପହଞ୍ଚିବେ ଆଉ ତୁରନ୍ତ ଚିକିତ୍ସା ଆରମ୍ଭ ହେବ। ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରୀ ସଂସ୍ଥାର ଆମ୍ବୁଲାନ୍ସ ମିଳିତ ଭାବେ କାମ କରିବେ। ରୋଗୀ କିମ୍ବା ଆହତଙ୍କ ପରିବହନରେ ଥିବା କଟକଣା କୋହଳ କରାଯିବ। ରାଜ୍ୟର ଉପାନ୍ତ ଅଞ୍ଚଳ ହେଉ ଅବା ପ୍ରମୁଖ ସହର ସବୁଠି ନିର୍ଦ୍ଧାରିତ ସମୟ ଭିତରେ ପହଞ୍ଚିବ ଆମ୍ବୁଲାନ୍ସ। ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌‌ଏଚ୍‌‌ଏଆଇ)ର ଆମ୍ବୁଲାନ୍ସ ହେଲ୍ପ ଲାଇନ୍‌‌ ନମ୍ବର ୧୦୩୩ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ୧୦୮ ଆମ୍ବୁଲାନ୍ସ ପାଇଁ ଉଦ୍ଦିଷ୍ଟ ଜରୁରିକାଳୀନ ସହାୟତା ନିୟନ୍ତ୍ରଣ କକ୍ଷର ମିଶ୍ରଣ ହେବ। ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ଲାଗି ହାରାହାରି ୨୫ ମିନିଟ୍‌‌ ସମୟ ଲାଗୁଥିବା ବେଳେ ଉଭୟ ନିୟନ୍ତ୍ରଣ କକ୍ଷର ମିଶ୍ରଣ ଫଳରେ ଏହି ସମୟ ୧୦ରୁ ୧୫ ମିନିଟ୍‌‌କୁ ହ୍ରାସ କରିବା ପାଇଁ ଲକ୍ଷ୍ୟ ରହିଛି। ଏଥିପାଇଁ ବ୍ୟବସ୍ଥାର ପରିଚାଳନା ପାଇଁ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ରାଜ୍ୟ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଅର୍ଥ ବିଭାଗ, ଗୃହ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗ ସଚିବ, ଅର୍ଥ ବିଭାଗ ନିର୍ଦ୍ଦେଶକ, ପରିବହନ କମିଶନର, ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ, ଡିଏମ୍‌‌ଇଟି ଏହାର ସଦସ୍ୟ ନିଯୁକ୍ତ ହୋଇଛନ୍ତି। ସେହିପରି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଏହାର ଆବାହକ ଅଛନ୍ତି। ଏହି କମିଟି ଇଣ୍ଟିଗ୍ରେଟେଡ୍‌‌ ପେସେଣ୍ଟ ଟ୍ରାନ୍ସପୋର୍ଟ ଆଣ୍ଡ ହେଲଥ୍‌‌ ହେଲ୍ପଲାଇନ୍‌‌ ସର୍ଭିସ୍‌‌ (ଆଇପିଟିଏଚ୍‌‌ଏଚ୍‌‌ଏସ୍‌‌) ପରିଚାଳନା କରିବ।

ରାଜ୍ୟରେ ଏବେ ସରକାରୀ ଓ ବେସରକାରୀ ମିଶାଇ ପ୍ରାୟ ୬ ହଜାର ଆମ୍ବୁଲାନ୍ସ ରୋଗୀ ପରିବହନରେ ନିୟୋଜିତ ଅଛନ୍ତି। ସେଥିରୁ ୬୫୦ଟି ଆମ୍ବୁଲାନ୍ସ ୧୦୮ ସହାୟତା ନମ୍ବର ଅଧୀନରେ ପରିଚାଳିତ ହେଉଥିବା ବେଳେ ଜାତୀୟ ରାଜପଥ ପାଇଁ ୧୫ଟି ଆମ୍ବୁଲାନ୍ସ ଦିଆଯାଇଛି। ଅଧ୍ୟୟନ ଅନୁସାରେ ଯଦି ଗୋଲ୍‌‌ଡେନ୍‌‌ ପରିୟଡ୍‌‌ ଭିତରେ ଆହତଙ୍କୁ ଡାକ୍ତରୀ ଚିକିତ୍ସା ମିଳିବ ତା ହେଲେ ୬୦%ରୁ ଅଧିକ ଆହତଙ୍କ ଜୀବନ ରକ୍ଷା କରାଯାଇ ପାରିବ। ଆନ୍ଧ୍ର ପ୍ରଦେଶ, ରାଜସ୍ଥାନ ସରକାର ୧୦୮ ଆମ୍ବୁଲାନ୍ସ ସେବା ସହିତ ୧୦୩୩ ଆମ୍ବୁଲାନ୍ସ ସେବାର ମିଶ୍ରଣ କରି ସାରିଛନ୍ତି। ସୁପ୍ରିମ୍‌‌କୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ସୁପାରିଶ ଅନୁସାରେ ଓଡ଼ିଶା ସରକାର ସରକାରୀ ଏବଂ ଘରୋଇ ଆମ୍ବୁଲାନ୍ସର ମ୍ୟାପିଂ କାର୍ଯ୍ୟ ଶେଷ କରିଛନ୍ତି ଏବଂ ଖୁବ୍‌‌ଶୀଘ୍ର ଏହା ଗୋଟିଏ ନିୟନ୍ତ୍ରଣ କକ୍ଷରୁ ପରିଚାଳିତ ହେବାକୁ ଯାଉଛି। ସେହିପରି ସମସ୍ତ ଆମ୍ବୁଲାନ୍ସରେ ଜିପିଏସ୍‌‌ ଖଞ୍ଜିବା ପାଇଁ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଛି। ସଡ଼କ ଦୁର୍ଘଟଣାରେ ଆହତଙ୍କ ଜୀବନ ରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ସରକାରୀ ଏବଂ ଘରୋଇ ଡାକ୍ତରଖାନାରେ ନିଃଶୁଳ୍କ ଟ୍ରମା କେୟାର ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ତେବେ ଆହତଙ୍କୁ ଦୁର୍ଘଟଣାର ୨ ଘଣ୍ଟା ମଧ୍ୟରେ ଡାକ୍ତରଖାନାରେ ପହଞ୍ଚାଇବା ଏକାନ୍ତ ଆବଶ୍ୟକ। ଏହି ଲକ୍ଷ୍ୟରେ ଆଇପିଟିଏଚ୍‌‌ଏଚ୍‌‌ଏସ୍‌‌ କାର୍ଯ୍ୟକାରୀ କରାଯାଉଛି ବୋଲି କୁହାଯାଇଛି। ଯଦି ଦୁର୍ଘଟଣାସ୍ଥଳ ନିକଟରେ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ଆମ୍ବୁଲାନ୍ସ ଅଛି ତା ହେଲେ ସମ୍ପୃକ୍ତ ଆମ୍ବୁଲାନ୍ସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବ। ସେଥିପାଇଁ ଭିନ୍ନ ଭିନ୍ନ ନମ୍ବର ଫୋନ୍‌‌ କରି ସହାୟତା ମାଗିବାର ଆବଶ୍ୟକତା ରହିବ ନାହିଁ।

 

About The Author: The Sakala