ଭୁବନେଶ୍ବର: ରାଜ୍ୟ କଂଗ୍ରେସର ଖୁବ୍ଶୀଘ୍ର ନବକଳେବର ହେବାକୁ ଯାଉଛି। ପିସିସି ସହ ବିଧାୟକ ଦଳ ନେତାର ରୂପରେଖ ମଧ୍ୟ ବଦଳିବାକୁ ଯାଉଛି। କିଛିଦିନ ପୂର୍ବରୁ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏବଂ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଇସ୍ତଫା ଦେଇଥିବା କୁହାଯାଉଛି। ଉଭୟ ନେତା ଇସ୍ତଫା ଖବରକୁ ଖଣ୍ଡନ କରିନାହାନ୍ତି । ଇତି ମଧ୍ୟରେ ଆଉ ଏକ ଦଳୀୟ ସୂଚନା କଂଗ୍ରେସ ଅଭ୍ୟନ୍ତର ରାଜନୀତିକୁ ସରଗରମ କରିଛି ।
ବରିଷ୍ଠତା ଦୃଷ୍ଟିରୁ ସୁରେଶ କୁମାର ରାଉତରାୟଙ୍କୁ କାଳେ ହାଇକମାଣ୍ଡ ବିଧାୟକ ଦଳ ନେତା ଘୋଷଣା କରିଦେବେ । ଏହାକୁ ଦୃଷ୍ଟିରେ ରଖି ତାଙ୍କୁ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ଜନୈକ କଂଗ୍ରେସ ନେତା ନାମ ଗୋପନ ରଖିବା ସର୍ଗରେ କହିଛନ୍ତି। କୌଣସି ବିଶୃଙ୍ଖଳା ହେଲେ ଶୃଙ୍ଖଳା କମିଟି ବୈଠକ ଡକାଇ କାରଣ ଦର୍ଶାଅ ନୋଟିସ୍ ଜାରି କରିବା କଥା। ମାତ୍ର ସିଧାସଳଖ ପିସିସି ସଭାପତିଙ୍କ ଦ୍ବାରା ନୋଟିସ୍ କରାଯିବା ପରମ୍ପରା ନୁହେଁ । ଏହା ପରଦିନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ମନ୍ତବ୍ୟରେ କହିଥିଲେ, ସୁର ବାବୁ ଜଣେ ବରିଷ୍ଠ ନେତା ଓ ବିଧାୟକ । ସେ ଜଣେ ଏଆଇସିସି ମେମ୍ବର। ତେଣୁ ଏପରି ମନ୍ତବ୍ୟ ଦେବା ଠିକ୍ ନାହିଁ । ସେ କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖନ୍ତୁ, ତାଙ୍କର ବିଚାର ଏଆଇସିସି କରିବ। ରାତିଅଧିଆ ନୋଟିସ୍ ସହ ନିରଞ୍ଜନଙ୍କ ଏହି ମନ୍ତବ୍ୟ କ’ଣ ସୁରଙ୍କ ବିରୋଧରେ ଏକ ଶୀତଳ ଷଡଯନ୍ତ୍ର । ଏଆଇସିସି ଯଦି ଶ୍ରୀ ରାଉତରାୟଙ୍କ ନାଁ ବିଚାର କରିବ, ତେବେ ଏହି କାରଣ ଦର୍ଶାଅ ନୋଟିସ୍ର ଦ୍ବାହି ଦେଇ ତାଙ୍କ ନିଯୁକ୍ତି ଉପରେ ରୋକ୍ ଲଗାଯାଇ ପାରିବ ବୋଲି ସେ କହିଛନ୍ତି ।