ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ତହସିଲ୍ ଅନ୍ତର୍ଗତ ଗୁଆପୁର ଗ୍ରାମର ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅଳିଆଗଦା ତଳେ ପୋତି ହୋଇ ରହିଛି ଅନେକ ପୁରାତନ କୀର୍ତ୍ତିରାଜି ଓ ପ୍ରାଚୀନ ମୂର୍ତ୍ତି। ନିକଟରେ ସ୍ଥାନ ପରିଦର୍ଶନ କରିଥିବା ଐତିହ୍ୟ ଗବେଷକ ଦୀପକ କୁମାର ନାୟକ, ଐତିହ୍ୟପ୍ରେମୀ ବିକ୍ରମ ନାୟକ ଓ ସୁମନ ପ୍ରକାଶ ସ୍ୱାଇଁଙ୍କ ପ୍ରଚେଷ୍ଟାରେ ଅତି ପୁରାତନ ହରପାର୍ବତୀ, ଆସ୍ତିକ ଜରତକରୁ, ଶୈବ ଦ୍ୱାରପାଳ, ଗଜଲକ୍ଷ୍ମୀ ଚିତ୍ରିତ ନବଗ୍ରହ ପ୍ୟାନେଲ୍ ସହିତ ଅନେକଗୁଡ଼ିଏ ପ୍ରସ୍ତର ଖମ୍ବ ଅଳିଆ ଗଦା ମଧ୍ୟରୁ ସନ୍ଧାନ ମିଳିଥିଲା। ହେଲେ ଏ ପର୍ଯ୍ୟନ୍ତ ରାଜ୍ୟ ସଂସ୍କୃତି ବିଭାଗ କିମ୍ବା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ଦୃଷ୍ଟି ଏ ସ୍ଥାନ ଉପରେ ପଡ଼ିନାହିଁ। କେବଳ ‘ଆମ ଗାଁ ଆମ ବିକାଶ’ ଯୋଜନା ଅନ୍ତର୍ଗତ ଏକ ଘରଟିଏ ନିର୍ମାଣ କରାଯାଇଛି। ଗ୍ରାମବାସୀ ନିଜସ୍ୱ ଉଦ୍ୟମରେ ଭାଙ୍ଗିଯାଇଥିବା ମନ୍ଦିରର ପୁନରୁଦ୍ଧାର ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ତାହା ଯଥେଷ୍ଟ ହୋଇପାରିନାହିଁ।
ଐତିହ୍ୟ ଗବେଷକ ଦୀପକ କୁମାର ନାୟକଙ୍କ ମତରେ, ଗୁଆପୁର ଗ୍ରାମର ଏହି ସ୍ଥାନରେ ପୂର୍ବରୁ ଏକ ଅତି ପ୍ରାଚୀନ ମନ୍ଦିର ଥିଲା। କୌଣସି କାରଣରୁ ସେହି ପ୍ରାଚୀନ ମନ୍ଦିରଟି ଭାଙ୍ଗି ପଡ଼ିଥିଲା। ମନ୍ଦିର ପରିସରରୁ ଅଳିଆ ଗଦା ମଧ୍ୟରେ ପୋତି ହୋଇ ରହିଥିବା ଅନେକ ପୁରାତନ ମୂର୍ତ୍ତି ସବୁ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ କେତେକ ମୂର୍ତ୍ତି ମଧ୍ୟ ଉଦ୍ଧାର ହୋଇଥିଲା। ମିଳିଥିବା ମୂର୍ତ୍ତିମାନଙ୍କ ମଧ୍ୟରେ ସବୁଠାରୁ ଉଲ୍ଲେଖଯୋଗ୍ୟ ଥିଲା ହରପାର୍ବତୀଙ୍କ ଏକ ବୃହତ୍ ଆକୃତିର ମୂର୍ତ୍ତି। ଆଲିଙ୍ଗନ ମୁଦ୍ରାରେ ଥିବା ଏହି ଶିବ-ପାର୍ବତୀଙ୍କ ମୂର୍ତ୍ତିରେ ଉଭୟ ବାହନ ବୃଷଭ ଓ ସିଂହ ଚିହ୍ନିତ ହୋଇଛନ୍ତି। ଏହାସହ ପୂର୍ବ ମନ୍ଦିରର ଶ୍ରୀଗଣେଶ, କାର୍ତ୍ତିକେୟ, ଗଜଲକ୍ଷ୍ମୀ ଚିତ୍ରିତ ନବଗ୍ରହ ପ୍ୟାନେଲ୍, ଆସ୍ତିକ ଜରତକରୁ ମୂର୍ତ୍ତି, ସୁକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ଶୀଳାଖଣ୍ଡ ଓ ଅନେକଗୁଡ଼ିଏ ପ୍ରସ୍ତରଖମ୍ବ ଏହି ସ୍ଥାନରୁ ମିଳିଛି। ମୂର୍ତ୍ତିଗୁଡ଼ିକର ଗଠନଶୈଳୀ ଓ କାରୁକାର୍ଯ୍ୟରୁ ମନ୍ଦିରଟି ପ୍ରାୟ ଦଶମ କିମ୍ବା ଏକାଦଶ ଶତାବ୍ଦୀର ସୋମବଂଶୀ ଶାସନକାଳୀନ ହୋଇପାରେ ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି। ଏଠାରେ ଖନନ କାର୍ଯ୍ୟ ହେଲେ ସବୁ ପୁରୁଣା ମୂର୍ତ୍ତି ମିଳିପାରିବ ବୋଲି ଶ୍ରୀ ନାୟକ କହିଛନ୍ତି। ଏନେଇ ଇନ୍ଟାକ୍ ଭୁବନେଶ୍ୱର ଶାଖାର ଆବାହକ ଐତିହାସିକ ଅନିଲ ଧୀର ମାଟି ତଳେ ପୋତି ହୋଇ ରହିଥିବା ପ୍ରାଚୀନ ଅବଶେଷର ସନ୍ଧାନ ପାଇଁ ପ୍ରତ୍ନତତ୍ତ୍ୱ ବିଭାଗ ଏଠାରେ ଆବଶ୍ୟକୀୟ ପ୍ରତ୍ନତାତ୍ତ୍ୱିକ ଖନନ କରୁ ବୋଲି ଗୁରୁତ୍ୱାରୋପ କରିଛନ୍ତି।