ବଢୁଛି ହାତୀ-ମଣିଷ ଲଢ଼େଇ: କାଳ ସାଜୁଛି ଫଳ ସଂଗ୍ରହ, ୩ ମାସରେ ଗଲାଣି ୫୭ ଜୀବନ

ଭୁବନେଶ୍ୱର: ରାଜ୍ୟରେ ଗତ ୩ ମାସରେ ହାତୀ ଆକ୍ରମଣରେ ୫୭ ଜଣ ଲୋକଙ୍କ ଜୀବନ ଯାଇଛି। ମାତ୍ର ୩ ମାସରେ ଏତେ ସଂଖ୍ୟକ ଲୋକଙ୍କ ପ୍ରାଣହାନୀ ହେବା ଗତ ୧୦ ବର୍ଷର ରେକର୍ଡ ଭାଙ୍ଗିଛି। ଏପ୍ରିଲ୍‌‌, ମେ ଏବଂ ଜୁନ୍‌‌ ମାସରେ ରାଜ୍ୟରେ ଅଧିକାଂଶ ଫଳ ପାଚୁଥିବା ବେଳେ ହାତୀମାନେ ଏହାକୁ ଖାଇବାକୁ ଆସୁଛନ୍ତି ଓ ଏହି ସମୟରେ ଲୋକମାନେ ଫଳ ସଂଗ୍ରହ କରିବାକୁ ଯାଇ ହାତୀ ଆକ୍ରମଣର ଶିକାର ହେଉଛନ୍ତି। କାରଣ ରାଜ୍ୟରେ ପ୍ରାଣ ହରାଇଥିବା […]

ଭୁବନେଶ୍ୱର: ରାଜ୍ୟରେ ଗତ ୩ ମାସରେ ହାତୀ ଆକ୍ରମଣରେ ୫୭ ଜଣ ଲୋକଙ୍କ ଜୀବନ ଯାଇଛି। ମାତ୍ର ୩ ମାସରେ ଏତେ ସଂଖ୍ୟକ ଲୋକଙ୍କ ପ୍ରାଣହାନୀ ହେବା ଗତ ୧୦ ବର୍ଷର ରେକର୍ଡ ଭାଙ୍ଗିଛି। ଏପ୍ରିଲ୍‌‌, ମେ ଏବଂ ଜୁନ୍‌‌ ମାସରେ ରାଜ୍ୟରେ ଅଧିକାଂଶ ଫଳ ପାଚୁଥିବା ବେଳେ ହାତୀମାନେ ଏହାକୁ ଖାଇବାକୁ ଆସୁଛନ୍ତି ଓ ଏହି ସମୟରେ ଲୋକମାନେ ଫଳ ସଂଗ୍ରହ କରିବାକୁ ଯାଇ ହାତୀ ଆକ୍ରମଣର ଶିକାର ହେଉଛନ୍ତି। କାରଣ ରାଜ୍ୟରେ ପ୍ରାଣ ହରାଇଥିବା ୫୭ ଜଣଙ୍କ ମଧ୍ୟରୁ ୧୪ ଜଣଙ୍କ ପ୍ରାଣ ଆମ୍ବ ବଗିଚାରେ ଯାଇଥିବା ବେଳେ ୩ ଜଣ କାଜୁ ବଗିଚା, ୭ ଜଣ ବାହାରକୁ ଯାଇଥିବା ବେଳେ ପ୍ରାଣ ହରାଇଛନ୍ତି। ସେହିପରି ୭ ଜଣ ଗାଁରେ ବୁଲୁଥିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ୩ ଜଣ ନିଜ ଫସଲ କ୍ଷେତରେ ଏବଂ ଜଙ୍ଗଲକୁ କାଠ, କେନ୍ଦୁ, ଶାଳପତ୍ର ସଂଗ୍ରହ, ମହୁଲ ଫୁଲ ଓ ଛତୁ ସଂଗ୍ରହ ପାଇଁ ଯାଇ ୮ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି।

ମୃତକଙ୍କ ମଧ୍ୟରେ ଢେଙ୍କାନାଳ ଜିଲ୍ଲାରୁ ୧୪ ଜଣ ରହିଥିବା ବେଳେ ଅନୁଗୁଳରେ ୧୩, କେନ୍ଦୁଝର ୮, ମୟୂରଭଞ୍ଜ ୫, ସମ୍ୱଲପୁର ୫, ସୁନ୍ଦରଗଡ଼ ୨, ଏବଂ କଟକରୁ ୨ ଜଣ ଲୋକ ରହିଛନ୍ତି। ଅନୁଗୁଳ ଜିଲ୍ଲାରେ ୩ ମାସରେ ଏହି ଘଟଣା ବୃଦ୍ଧି ପାଇବା ସହିତ ମୃତକଙ୍କ ସଂଖ୍ୟା ବଢ଼ିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ିଛି।

ସାତକୋଶିଆ ଅଭୟାରଣ୍ୟରୁ ହାତୀମାନେ ବାହାରକୁ ବାହାରି ଆସିବା ସହିତ ଅଧିକାଂଶ ସମୟରେ ସେମାନେ ନିଜ ବାସସ୍ଥାନ ଛାଡ଼ି ଜନବସତିମୁହାଁ ହେଉଛନ୍ତି। ଯାହାଫଳରେ ହାତୀ ମଣିଷ ଲଢ଼େଇ ବଢୁଛି। ଘଟଣା ସମ୍ପର୍କରେ ବନ୍ୟପ୍ରାଣୀ ବିଶେଷଜ୍ଞ ଡ. ବିଶ୍ୱଜିତ ମହାନ୍ତି କହିଛନ୍ତି ଯେ ବର୍ଷସାରା ଘଟୁଥିବା ହାତୀ ମଣିଷ ଲଢ଼େଇରେ ପ୍ରଥମ ତ୍ରୈମାସିକ ଅଧିକ ତୀବ୍ର ହୋଇଥାଏ। କାରଣ ଏହି ଉଭୟ ମଣିଷ ଏବଂ ହାତୀ ଆମ୍ୱ, ବେଲ ଓ ପଣସ ଆଦି ସଂଗ୍ରହ କରିବାକୁ ଚେଷ୍ଟା କରିଥାନ୍ତି। ମନୁଷ୍ୟର ବାସସ୍ଥାନ ଏବଂ ଜଙ୍ଗଲ ଭିତରେ ଏହି ଫଳ ସଂଗ୍ରହ ସମୟରେ ହାତୀ ମଣିଷ ଲଢ଼େଇ ବଢ଼଼ିଥାଏ।

ଗତ ୯ ବର୍ଷ ତୁଳନାରେ ଚଳିତ ବର୍ଷ ଏପ୍ରିଲ୍‌‌, ମେ, ଜୁନ୍‌‌ ମାସରେ ହାତୀ ମଣିଷ ଲଢ଼େଇ ସଂଖ୍ୟାରେ ୨୬ ପ୍ରତିଶତ ବୃଦ୍ଧି ଘଟିଛି, ଯାହା ପୂର୍ବ ଅପେକ୍ଷା ଅଧିକ ମଣିଷଙ୍କ ମୃତ୍ୟୁର କାରଣ ସାଜିଛି। ଏହା ସହିତ ଲୋକଙ୍କ ଆହତ ସଂଖ୍ୟାରେ ୫୦ ପ୍ରତିଶତ ବୃଦ୍ଧି ଘଟଥିବା ବେଳେ ଗତ ବର୍ଷର ମୃତ୍ୟୁ ସଂଖ୍ୟା ତୁଳନାରେ ଅଧିକ ତୀବ୍ର ହୋଇଛି। ଗତ ବର୍ଷ ରାଜ୍ୟରେ ୧୪୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚଳିତ ବର୍ଷ ପ୍ରଥମ ୩ ମାସରେ ଏହି ସଂଖ୍ୟା ୫୭ରେ ପହଞ୍ଚିଯାଇଛି। ଗତ ଦଶ ବର୍ଷ ମଧ୍ୟରେ ଯେକୌଣସି ତ୍ରୈମାସିକରେ ଚଳିତ ବର୍ଷ ଅଧିକ ଲୋକଙ୍କ ଜୀବନ ଯାଇଥିବା ଡ. ମହାନ୍ତି କହିଛନ୍ତି। ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ହାତୀ ମଣିଷ ଲଢ଼େଇ ରୋକିବା ପାଇଁ ଅନେକ ପଦକ୍ଷେପ ନେଉଥିବା ନେଇ ଦାବି କରୁଛି। ଏଥିପାଇଁ ବାହାର ରାଜ୍ୟର ପରାମର୍ଶଦାତାଙ୍କୁ କୋଟି କୋଟି ଟଙ୍କା ଦିଆଯାଇଥିବା ସତ୍ତ୍ବେ ହାତୀ ମଣିଷ ଲଢ଼େଇ ହ୍ରାସ ନ ହେବା ଓ ଗତ ସାତ ବର୍ଷ ମଧ୍ୟରେ ପ୍ରତିବର୍ଷ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜ୍ୟର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ କ୍ରସର ଚାଳନା ଯୋଗୁଁ ହାତୀମାନେ ଜଙ୍ଗଲ ବାହାରକୁ ଚାଲି ଆସୁଥିବା ବେଳେ ଟ୍ରକ ଏବଂ ଟ୍ରାକ୍ଟରର ରାତି ସମୟରେ ଯିବା ଆସିବା ମଧ୍ୟ ଏକ ବଡ଼ କାରଣ ସାଜିଛି। ଏଥିପାଇଁ ହାତୀମାନେ ଅଧିକରୁ ଅଧିକ ବ୍ୟାଘାତ ପାଇବା ସହ ନିଜ ବାସସ୍ଥାନରୁ ବାହାରକୁ ଯାଉଛନ୍ତି।

ସେହିପରି ଜଙ୍ଗଲରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ମିଳୁ ନ ଥିବା ବେଳେ ଗାଁଗଣ୍ଡାରେ ଫସଲ ଏବଂ ଖାଦ୍ୟ ଶସ୍ୟ ଲୋଭରେ ହାତୀ ଆସୁଛନ୍ତି। ସେହିପରି ଜଙ୍ଗଲରେ ମିଳୁଥିବା ହାତୀଙ୍କ ଖାଦ୍ୟ ଉପରେ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ଜୁନ୍‌‌ ଓ ଜୁଲାଇରେ ହାତୀ ଖଜୁରୀ ଖାଇଥାନ୍ତି। ହେଲେ ଖଜୁରୀ ଗଛର ବହୁଳ କାଟିବା କାରଣରୁ ଏହାର ଅଭାବ ଦେଖାଦେଇଛି। ତାମିଲନାଡୁକୁ ଖଜୁରି ଗଛ ରପ୍ତାନୀ ବଢ଼ିବା ସହିତ ଅନୁଗୁଳ, ଙ୍କୋନାଳ, ଦେବଗଡ଼ ଜିଲ୍ଲାରେ ଗତ ତିନିବର୍ଷରେ ହଜାର ହଜାର ଖଜୁରୀ ଗଛ କଟାଯାଇଥିବା ଜଣାପଡ଼ିଛି। ବଡ଼ କଥା ହେଉଛି ଯେ ଅନ୍ୟ କିଛି ରାଜ୍ୟ ଯଥା କର୍ଣ୍ଣାଟକ, କେରଳ, ତାମିଲନାଡ଼ୁ, ଆଦି ତୁଳନାରେ ଓଡ଼ିଶାରେ ହାତୀ ସଂଖ୍ୟା କମ୍‌‌ ଥିଲେ ମଧ୍ୟ ସେହି ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାରେ ଅଧିକ ହାତୀ ମଣିଷ ଲଢ଼େଇ ହେଉଛି ଓ ଏଥିରେ ଅଧିକ ଲୋକ ପ୍ରାଣ ହରାଉଛନ୍ତି ।

About The Author: The Sakala