ବ୍ରହ୍ମପୁର : ସ୍ୱାସ୍ଥ୍ୟକ୍ଷେତ୍ରରେ ଉନ୍ନତି ଆଣିବାକୁ ପ୍ରାଥମିକତା ଦେଉଛନ୍ତି ରାଜ୍ୟ ସରକାର। ଦୁର୍ଗମ ଅଞ୍ଚଳରେ ରୋଗୀଙ୍କୁ ଉନ୍ନତ ତଥା ଅତ୍ୟାଧୁନିକ ଚିକିତ୍ସାସେବା ଯୋଗାଇ ଦେବା ପାଇଁ ନିଆଯାଉଛି ଅନେକ ପଦକ୍ଷେପ। ସମସ୍ତ ସରକାରୀ ଚିକିତ୍ସାଳୟରେ ଆଧୁନିକ ଯନ୍ତ୍ରପାତି ସହିତ ୨୪ଘଣ୍ଟିଆ ଚିକିତ୍ସାସେବା ଯୋଗାଇଦେବାକୁ ପଦକ୍ଷେପ ଗ୍ରହଣ କରାଯାଉଛି। ସେହିଭଳି ରାଜ୍ୟରେ ଡାକ୍ତରଙ୍କ ଅଭାବକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଉପରେ ଦିଆଯାଉଛି ଗୁରୁତ୍ତ୍ୱ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଆଉ ପାଦେ ଆଗକୁ ଯାଇ ନେଇଛନ୍ତି ବଡ଼ ପଦକ୍ଷେପ। ଦୁର୍ଗମ ଅଞ୍ଚଳକୁ ବିମାନ ଚିକିତ୍ସାସେବା ଯୋଗାଇବା ପରେ ବର୍ତ୍ତମାନ ସହରାଞ୍ଚଳରେ କିଭଳି ଗୁରୁତର ରୋଗୀଙ୍କୁ ଉନ୍ନତ ଚିକିତ୍ସାସେବା ଯୋଗାଇ ଦିଆଯାଇପାରିବ ଏବଂ ନିର୍ଦ୍ଧାରିତ ସମୟରେ ରୋଗୀଙ୍କୁ ଏମ୍ସ ଭଳି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇପାରିବ ସେଥିପାଇଁ ଯୋଜନା ଚୂଡାନ୍ତ ହୋଇଛି।
ରାଜ୍ୟର ପ୍ରମୁଖ ୪ଟି ହସ୍ପିଟାଲ ପରିସରରେ ପ୍ରତିଷ୍ଠା କରାଯିବ ୪ଟି ସ୍ଥାୟୀ ହେଲିପ୍ୟାଡ। କଟକ ସ୍ଥିତ ଏସସିବି ମେଡିକାଲ, ସମ୍ବଲପୁରର ଭିଏସଏସ୍ ମେଡିକାଲ ଓ ବ୍ରହ୍ମପୁରର ଏମକେସିଜି ମେଡିକାଲ ସହିତ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲକୁ ବାୟୁମାର୍ଗରେ ସଂଯୋଗ କରାଯିବ। ଫଳରେ ଗୁରୁତର ରୋଗୀଙ୍କୁ ସ୍ଥାନାନ୍ତର କରିବାରେ ଅଧିକ ସମୟ ଲାଗିବ ନାହିଁ କିମ୍ବା ଟ୍ରାଫିକ ଜନିତ ସମସ୍ୟା ଯୋଗୁଁ କାହାର ଜୀବନ ଯିବନାହିଁ। ଏଥିପାଇଁ ସରକାରୀ ସ୍ତରରେ ନିତିଗତ ନିଷ୍ପତ୍ତି ହୋଇସାରିଛି। ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଖୁବଶୀଘ୍ର ‘ଲକ୍ଷ୍ମୀ’ ଯୋଜନା ଜରିଆରେ ଗ୍ରାମାଞ୍ଚଳରେ ସଡକ ପରିବହନ ସୁବିଧା ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ଏହି ଯୋଜନାରେ ସାମିଲ କରି ରାଜ୍ୟର ୪ଟି ମେଡିକାଲ କ୍ୟାମ୍ପସରୁ ବିମାନସେବାକୁ ଖୁବଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।
ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଡିପିଆଇ ଆଣ୍ଡ ରୋଡ୍ସ ବିଭାଗ ମୁଖ୍ୟ ଯନ୍ତ୍ରୀ(ଓଡ଼ିଶା)ଙ୍କୁ ଚିଠି ଲେଖି ଲେଖାଯାଇଥିବା ଜଣାପଡ଼ିଛି। ଏହି ମର୍ମରେ ଡିଏମଇଟି ଓ ଏଭିଏସନ ଉପଦେଷ୍ଟାଙ୍କୁ ମଧ୍ୟ ଗତ ସେପ୍ଟେମ୍ବର ପହିଲାରେ ୧୦୩୩୯ ନମ୍ବରରେ ଚିଠି ଲେଖାଯାଇଛି। ଏଥି ସହିତ କଟକ ସ୍ଥିତ ଏସ ସି ବି ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ, ସମ୍ବଲପୁର ସ୍ଥିତ ବୀର ସୁରେନ୍ଦ୍ର ସାଏ ଇନ୍ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚର ଅଧ୍ୟକ୍ଷଙ୍କ ସମେତ ଭୁବନେଶ୍ୱର ସ୍ଥିତ ଏମ୍ସ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି। ଚିଠି ଜରିଆରେ ହସ୍ପିଟାଲ କ୍ୟାମ୍ପସ ପରିସରରେ ଉପଯୁକ୍ତ ସ୍ଥାନ ଚିହ୍ନଟ କରିବାକୁ ମଧ୍ୟ କୁହାଯାଇଛି।
ଏଥିପାଇଁ ରାଜ୍ୟ (ଡିପିଆଇ ଆଣ୍ଡ ରୋଡ୍ସ) ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଭୁବନେଶ୍ୱର ପୂର୍ତ୍ତ ବିଭାଗ (ରାସ୍ତା ଓ କୋଠାବାଡି) ଡିଭିଜନ-୨, କଟକ ପୂର୍ତ୍ତ ବିଭାଗ(ରାସ୍ତା ଓ କୋଠାବାଡି) ଡିଭିଜନ-୧, ବ୍ରହ୍ମପୁର ପୂର୍ତ୍ତ ବିଭାଗ(ରାସ୍ତା ଓ କୋଠାବାଡି) ଡିଭିଜନ -୧ ଓ ସମ୍ବଲପୁର ପୂର୍ତ୍ତ ବିଭାଗ (ରାସ୍ତା ଓ କୋଠାବାଡି) ଡିଭିଜନ-୨ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି। ଏହି ପ୍ରସଙ୍ଗରେ ବ୍ରହ୍ମପୁର ପୂର୍ତ୍ତବିଭାଗ(ରାସ୍ତା ଓ କୋଠାବାଡି) ଡିଭିଜନ-୧ର ଅଧିକ୍ଷଣ ଯନ୍ତ୍ରୀ ବଙ୍କିମ ଚନ୍ଦ୍ର ପଣ୍ଡା କହିଛନ୍ତି ସ୍ଥାୟୀ ହେଲିପ୍ୟାଡ ପାଇଁ ଅନ୍ୟୁନ ଅଧା ଏକର ଜମିର ଆବଶ୍ୟକତା ରହିଛି। ଏବଂ ହେଲିପ୍ୟାଡର ଆଖପାଖରେ କୌଣସି ବଡ କୋଠା ନଥିଲେ ହେଲିକେପ୍ଟର ଉଡାଣ ଓ ଅବତରଣ କରିବାରେ କୌଣସି ସମସ୍ୟା ରହିବ ନାହିଁ। ଏହି ମର୍ମରେ ବିଭାଗ ପକ୍ଷରୁ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଡିନଙ୍କୁ ଅବଗତ କରାଯାଇଥିବା ସେ କହିଛନ୍ତି। କ୍ୟାମ୍ପସ ଭିତରେ ଉପଯୁକ୍ତ ସ୍ଥାନ ଚିହ୍ନଟ ପରେ ହେଲିପ୍ୟାଡ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।
ସେପଟେ ମେଡିକାଲ କ୍ୟାମ୍ପସରେ ଏକାଧିକ ବହୁତଳ କୋଠା ଥିବା ବେଳେ କେଉଁ ସ୍ଥାନ ଉପଯୁକ୍ତ ହେବ ତାହା ପୂର୍ତ୍ତ ବିଭାଗ ଅଧିକାରୀଙ୍କ ସହ ଆଲୋଚନା ପରେ ସ୍ଥିର ହେବ। କିନ୍ତୁ ସବୁ ଦୃଷ୍ଟିରୁ ଦେଖିଲେ ମେଡିକାଲ କ୍ୟାମ୍ପସରେ ଥିବା ବିସ୍ତିର୍ଣ୍ଣ ଖେଳପଡ଼ିଆର ଏକ ଅଂଶରେ ହେଲିପ୍ୟାଡ କରାଗଲେ କୌଣସି ସମସ୍ୟା ରହିବ ନାହିଁ ବୋଲି ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଡିନ ପ୍ରଫେସର ଡାକ୍ତର ସନ୍ତୋଷ କୁମାର ମିଶ୍ର କହିଛନ୍ତି। ଅନେକ ସମୟରେ ବ୍ରହ୍ମପୁରରୁ ଗୁରୁତର ରୋଗୀଙ୍କୁ ଭୁବନେଶ୍ୱର, କଟକ ଅଥବା ବିଶାଖପାଟଣାକୁ ସ୍ଥାନାନ୍ତର କରାଯାଉଛି।