ଅନୁଗୁଳ: ଅନୁଗୁଳ ଜିଲ୍ଲା ବନଖଣ୍ଡ ବଡ଼କନ୍ତକୁଳ ଗାଁରେ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଦ୍ୱୟ ହେଲେ ମୂଳି ପ୍ରଧାନ (୪୫) ଓ ଗୌରୀ ରାଉଳ।
ଖବର ଅନୁଯାୟୀ ମୂଳି ଓ ଗୌରୀ ଆଜି ସକାଳେ ନିକଟସ୍ଥ ଆମ୍ବ ବଗିଚାକୁ ଯାଇଥିଲେ। ଏହି ସମୟରେ ଉଭୟ ଏକ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ। ଦନ୍ତା ଉଭୟଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ମୂଳିଙ୍କ ମୃତ୍ୟୁ ଘଟିଥିବା ବେଳେ ଗୌରୀଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।ଏହି ଘଟଣା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ ମହିଳାଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବାକୁ ଲୋକେ ଦାବି କରିଛନ୍ତି। ଖବର ପାଇବା ପରେ ବନ୍ତଳା ବନ ବିଭାଗ କର୍ମଚାରୀମାନେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି। ମୃତ ମହିଳା ଦ୍ୱୟଙ୍କ ପରିବାରକୁ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।