ବାଲେଶ୍ଵର: ରାସ୍ତାକଡ଼ରେ ମେଡିସିନ୍ ଫୋପାଡ଼ିବା ଘଟଣାରେ ୨ ANM ସସ୍ପେଣ୍ଡ ହୋଇଛନ୍ତି । ୨ ANM କୁ ନିଲମ୍ବନ କଲେ ବାଲେଶ୍ୱର CDMO । ରୋଗୀଙ୍କୁ ନଦେଇ ଅବଧି ଥିବା ଔଷଧକୁ ରାସ୍ତାପାର୍ଶ୍ୱରେ ଅଳିଆ ଗଦାରେ ଫିବିଜିଆ ଯାଇଥିବା ନେଇ ଗତ କିଛି ଦିନ ତଳେ ଗଣମାଧ୍ୟମରେ ପ୍ରସାରଣ ହୋଇଥିଲା । ଏହି ଘଟଣାରେ ଆଜି ଶ୍ରୀଜଙ୍ଗ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରର ଦୁଇ ଜଣ ଏ.ଏନ.ଏମ ନିଲମ୍ବିତ ହୋଇଛନ୍ତି । ନିଲମ୍ବିତ କଲେ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଡ଼ଃ ପ୍ରଭାତ କୁମାର ବେହେରା। ନିଲମ୍ବିତ ଏ.ଏନ.ଏମ ମଧ୍ୟରୁ ଜଣେ କୁଳିଗାଁ ସବ୍ ସେଣ୍ଟରର ତନୁସ୍ମିତା ନାୟକ ଏବଂ ଇଞ୍ଚୁଡ଼ି ସବ୍ ସେଣ୍ଟର ର କବିତା ବେହେରା ବୋଲି ବାଲେଶ୍ଵର ସିଡିଏମଓ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଗତ ୧୧ ତାରିଖରେ ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ହୋଇଥିଲା। ଏହା ପରେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସତ୍ୟତା ନେଇ ତଲବ କରାଯାଇଥିଲା। ତେବେ ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଶ୍ରୀଜଙ୍ଗ - ରସାଳପୁର ରାସ୍ତାର ଶ୍ରୀଜଙ୍ଗ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର କିଛି କିମି ଦୂରରେ ତୁଣ୍ଡରା ରାସ୍ତା ପାର୍ଶ୍ୱରେ ଔଷଧ ପଡିଥିବାର ଦେଖିବାକୁ ମିଳିଥିଲା। ରାସ୍ତା ପାର୍ଶ୍ୱରେ ପଡ଼ିଥିବା ଔଷଧ ଗୁଡ଼ିକର ଓଡିଶା ସରକାରଙ୍କ ଯୋଗାଣ, ବିକ୍ରୟ ପାଇଁ ନୁହଁ ବୋଲି ଲେଖା ଥିବା ବେଳେ ସେହି ଔଷଧର ପ୍ରସ୍ତୁତି ତାରିଖ ୨୦୨୫ ମସିହା ଏପ୍ରିଲ ମାସ ଏବଂ ଏକ୍ସପାଇରି ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ରହିଥିବା ଦେଖିବାକୁ ମିଳିଥିଲା। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ପ୍ରଭାତ କୁମାର ବେହେରାଙ୍କ ନିର୍ଦ୍ଦେଶରେ ଶ୍ରୀଜଙ୍ଗ ପ୍ରଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସୁପରିଟେନଡେଣ୍ଟଙ୍କ ନେତୃତ୍ୱରେ ଯାଞ୍ଚ କମିଟି ଘଟଣା ସ୍ଥଳରେ ପହଞ୍ଚି ରିପୋର୍ଟ୍ ଦେଇଥିଲା। ଏହାକୁ ଭିତ୍ତି କରି ଦୁଇ ଏ.ଏନ.ଏମ ନିଲମ୍ବିତ ହୋଇଛନ୍ତି।