ରେଭେନ୍ସା ବିଶ୍ୱବିଦ୍ୟାଳୟ ପିଜିରେ ପୂରଣ ହୋଇପାରୁନି ୧୯୭ ସିଟ୍‌‌, ୩ଟି ପର୍ଯ୍ୟାୟ ନାମଲେଖା ପରେ ବି ସିଟ୍‌‌ ଫାଙ୍କା

କଟକ : ଷ୍ଟୁଡେଣ୍ଟ ଏକାଡେମିକ ମ୍ୟାନେଜ୍‌‌ମେଣ୍ଟ ସିଷ୍ଟମ୍‌‌ (ସାମ୍‌‌ସ) ଦ୍ୱାରା ରାଜ୍ୟରେ ସ୍ନାତକୋତ୍ତର(ପିଜି) ନାମଲେଖା ହେଉଛି। ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ କଲେଜରେ ଥିବା ସିଟ୍‌‌ରେ ମାର୍କ ଅନୁଯାୟୀ, ଛାତ୍ରଛାତ୍ରୀମାନେ ନାମ ଲେଖାଇଛନ୍ତି। କିନ୍ତୁ ସାମ୍‌‌ସ ପକ୍ଷରୁ ଏବେ ସୁଦ୍ଧା ୩ଟି ପର୍ଯ୍ୟାୟରେ ନାମଲେଖା ପ୍ରକ୍ରିୟା ଶେଷ ହୋଇସାରିଥିଲେ ମଧ୍ୟ ସମସ୍ତ ସିଟ୍‌‌ ପୂରଣ ହୋଇପାରୁନାହିଁ। ଯେଉଁଥିପାଇଁ ରେଭେନ୍ସା ବିଶ୍ୱବିଦ୍ୟାଳୟ ଭଳି ରାଜ୍ୟର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ଆହୁରି ୧୯୭ଟି ସିଟ୍‌‌ ଫାଙ୍କା ପଡ଼ିଛି। ପ୍ରଥମରୁ ସାମ୍‌‌ସ ନାମଲେଖା ପ୍ରକ୍ରିୟା କରିଆସୁଥିଲା। […]

କଟକ : ଷ୍ଟୁଡେଣ୍ଟ ଏକାଡେମିକ ମ୍ୟାନେଜ୍‌‌ମେଣ୍ଟ ସିଷ୍ଟମ୍‌‌ (ସାମ୍‌‌ସ) ଦ୍ୱାରା ରାଜ୍ୟରେ ସ୍ନାତକୋତ୍ତର(ପିଜି) ନାମଲେଖା ହେଉଛି। ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ କଲେଜରେ ଥିବା ସିଟ୍‌‌ରେ ମାର୍କ ଅନୁଯାୟୀ, ଛାତ୍ରଛାତ୍ରୀମାନେ ନାମ ଲେଖାଇଛନ୍ତି। କିନ୍ତୁ ସାମ୍‌‌ସ ପକ୍ଷରୁ ଏବେ ସୁଦ୍ଧା ୩ଟି ପର୍ଯ୍ୟାୟରେ ନାମଲେଖା ପ୍ରକ୍ରିୟା ଶେଷ ହୋଇସାରିଥିଲେ ମଧ୍ୟ ସମସ୍ତ ସିଟ୍‌‌ ପୂରଣ ହୋଇପାରୁନାହିଁ। ଯେଉଁଥିପାଇଁ ରେଭେନ୍ସା ବିଶ୍ୱବିଦ୍ୟାଳୟ ଭଳି ରାଜ୍ୟର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ଆହୁରି ୧୯୭ଟି ସିଟ୍‌‌ ଫାଙ୍କା ପଡ଼ିଛି।

ପ୍ରଥମରୁ ସାମ୍‌‌ସ ନାମଲେଖା ପ୍ରକ୍ରିୟା କରିଆସୁଥିଲା। ଏବେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବଳକା ସିଟ୍‌‌ ପୂରଣ ପାଇଁ ନାମଲେଖା କରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗତ ୨୭ ତାରିଖରେ ଏକ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି। ତେବେ ସାମ୍‌‌ସର ଏଭଳି ନାମଲେଖା ପ୍ରକ୍ରିୟାକୁ ନେଇ ଶିକ୍ଷାବିତ୍‌‌ ଏବଂ ଅଧ୍ୟାପକ ଅଧ୍ୟାପିକାମାନେ ଅସନ୍ତୋଷ ପ୍ରକାଶ କରିବା ସହ ବିଭିନ୍ନ ପ୍ରଶ୍ନ ଉଠାଇଛନ୍ତି। ପୂର୍ବରୁ ରେଭେନ୍ସା ବିଶ୍ୱବିଦ୍ୟାଳୟ ଏକକ ବିଶ୍ୱବିଦ୍ୟାଳୟ ଭାବେ ନାମଲେଖା କରାଯାଉଥିଲା। ସେତେବେଳେ ପ୍ରତି ସିଟ୍‌‌ ନିମନ୍ତେ ୧୦ରୁ ଊର୍ଦ୍ଧ୍ବ ଆଶାୟୀ ଆବେଦନ କରୁଥିଲେ। ଦୁଇଟି ପର୍ଯ୍ୟାୟ ନାମଲେଖା ପରେ ସମସ୍ତ ସିଟ୍‌‌ ପୂରଣ ହୋଇଯାଉଥିଲା। ବର୍ତ୍ତମାନ ବିଶ୍ୱବିଦ୍ୟାଳୟରେ ଥିବା ମୁଖ୍ୟ ବିଭାଗଗୁଡ଼ିକରେ ବହୁ ସିଟ୍‌‌ କାହିଁକି ଖାଲି ପଡ଼ିଛି ଏବଂ ତାହା କେବେ ପୂରଣ ହେବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ନଭେମ୍ବର ମାସ ଆରମ୍ଭ ହୋଇସାରିଥିବାବେଳେ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟା ଚାଲୁ ରହିବ। ଯଦି ଚତୁର୍ଥ ପର୍ଯ୍ୟାୟରେ ସିଟ୍‌‌ ପୂରଣ ନ ହୁଏ ତାହେଲେ ପୁଣି ଥରେ ନାମଲେଖା ନିମନ୍ତେ ତାରିଖ ବୃଦ୍ଧି କରାଯିବାର ସମ୍ଭାବନା ମଧ୍ୟ ରହିଛି। ଡିସେମ୍ବର ପର୍ଯ୍ୟନ୍ତ ଯଦି ନାମଲେଖା ପ୍ରକ୍ରିୟା କରାଯାଏ ତାହେଲେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କର ସିଲାବସ୍‌‌ ଅନୁଯାୟୀ ପାଠପଢ଼଼ା ଶେଷ ହୋଇପାରିବ ନାହିଁ। ଏ ସଂକ୍ରାନ୍ତରେ ବିଶ୍ୱବିଦ୍ୟାଳୟର ପିଜି କାଉନ୍‌‌ସିଲ ଅଧ୍ୟକ୍ଷା ପ୍ରଫେସର ଅସୀମା ସାହୁଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଉଚ୍ଚଶିକ୍ଷା ବିଭାଗର ଯାହା ନିର୍ଦ୍ଦେଶ ରହିଛି ସେହି ଅନୁଯାୟୀ ନାମଲେଖା ପ୍ରକ୍ରିୟା ଚାଲୁ ରହିବ।

ରେଭେନ୍ସାରେ ପିଜି ପାଠ୍ୟକ୍ରମ ନିମନ୍ତେ ଗତ ସେପ୍ଟେମ୍ବର ୧୬ ଓ ୧୭ ତାରିଖ ପ୍ରଥମ ପର୍ଯ୍ୟାୟ ନାମଲେଖା ହୋଇଥିଲା। ସେହିଭଳି ସେପ୍ଟେମ୍ବର ୨୪ ଓ ୨୫ ତାରିଖରେ ସେକେଣ୍ଡ ସିଲେକ୍ସନ ଏବଂ ଅକ୍ଟୋବର ୧୯ ଓ ୨୦ରେ ସ୍ପଟ୍‌‌ ନାମଲେଖା ହୋଇଥିଲା। କିନ୍ତୁ ସାମ୍‌‌ସ ଦ୍ୱାରା ହୋଇଥିବା ୩ଟି ପର୍ଯ୍ୟାୟ ନାମଲେଖା ପରେ ରେଭେନ୍ସାରେ ବହୁ ସିଟ୍‌‌ ଖାଲି ରହିଛି। ସେଗୁଡ଼ିକ ମଧ୍ୟରୁ ଏମ୍‌‌ବିଏ ବିଭାଗରେ ସର୍ବାଧିକ ୨୩ଟି ସିଟ୍‌‌ ଖାଲି ରହିଛି। ସେହିଭଳି ଆପ୍ଲାଏଡ୍‌‌ ଜିଓଲୋଜିରେ ୨, ବାୟୋ ଟେକ୍ନୋଲୋଜିରେ ୬, ବଟାନୀରେ ୩, ରସାୟନ ବିଜ୍ଞାନରେ ୪, ବାଣିଜ୍ୟରେ ୭, ଅର୍ଥନୀତିରେ ୧୭, ଶିକ୍ଷାରେ ୬, ଇଂରାଜୀରେ ୧୧, ଭୂଗୋଳରେ ୬, ହିନ୍ଦୀରେ ୪, ଇତିହାସରେ ୬, ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗରେ ୧୦, କମ୍ୟୁଟର ବିଜ୍ଞାନରେ ୧୭, ଗଣିତରେ ୮, ଏମ୍‌‌ସିଏରେ ୫, ଓଡ଼ିଆରେ ୬, ଦର୍ଶନଶାସ୍ତ୍ରରେ ୫, ପଦାର୍ଥ ବିଜ୍ଞାନରେ ୪, ରାଜନୀତି ବିଜ୍ଞାନରେ ୫, ମନସ୍ତତ୍ତ୍ୱ ବିଭାଗରେ ୫, ରୁରାଲ ଡେଭଲପ୍‌‌ମେଣ୍ଟରେ ୫, ସଂସ୍କୃତରେ ୮, ସମାଜଶାସ୍ତ୍ରରେ ୪, ପରିସଂଖ୍ୟାନରେ ୫ ଏବଂ ଜୀବ ବିଜ୍ଞାନରେ ୨ଟି ସିଟ୍‌‌ ଖାଲି ରହିଛି।

ଏହା ପୂରଣ ହୋଇ ନ ପାରିବାରୁ ଉଚ୍ଚଶିକ୍ଷା ବିଭାଗ ବିଶ୍ୱବିଦ୍ୟାଳୟକୁ ସିଟ୍‌‌ ପୂରଣ ପାଇଁ ଦାୟିତ୍ୱ ଦେଇଛି। ଆସନ୍ତା ୫ ଓ ୭ ତାରିଖରେ ଛାତ୍ରଛାତ୍ରୀମାନେ ଆପ୍ଲିକେସନ ଫର୍ମ ଦାଖଲ କରିବେ। ଏହାପରେ ୮ ତାରିଖ ଦିନ ରେଭେନ୍ସା କର୍ତ୍ତୃପକ୍ଷ ବିଶ୍ୱବିଦ୍ୟାଳୟ ୱେବ୍‌‌ସାଇଟ୍‌‌ରେ ନାମଲେଖା ପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ କରିବେ। ୧୧, ୧୭ ଏବଂ ୨୧ ତାରିଖରେ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କର ନାମଲେଖା ହେବ।

About The Author: The Sakala