ଭୁବନେଶ୍ୱର: ରାଜ୍ୟର ମୋଟ ୧୨୭ଟି ପ୍ରକଳ୍ପ ପରିବେଶ ମଞ୍ଜୁରୀ ଅପେକ୍ଷାରେ ରହିଛି। ଉଭୟ ରାଜ୍ୟ ଓ କେନ୍ଦ୍ର ମନ୍ତ୍ରଣାଳୟ ନିକଟରେ ଏହି ପ୍ରକଳ୍ପଗୁଡ଼ିକ ବିଚାରାଧୀନ ଅବସ୍ଥାରେ ରହିଛି ବୋଲି ଗୁରୁବାର ରାଜ୍ୟସଭାରେ ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ପ୍ରଶ୍ନରେ ଉତ୍ତର ଦେଇ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳଯର ରାଷ୍ଟ୍ର ମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂ କହିଛନ୍ତି।
ଓଡ଼ିଶାର ଶିଳ୍ପ, ଖଣି ଓ ଭିତ୍ତିଭୂମି ଆଦି ସମ୍ପର୍କିତ କେତୋଟି ପ୍ରକଳ୍ପ ପରିବେଶ ଅନୁମତି ଅପେକ୍ଷାରେ ରହିଛି। ଏଭଳି ପ୍ରକଳ୍ପଗୁଡ଼ିକୁ ମଞ୍ଜୁରି ଦେବାରେ ବିଳମ୍ୱ ହେବାର ପ୍ରମୁଖ କାରଣ ସହ ଅଧିକ ଖଣିଜ ନିର୍ଭରଶୀଳତା ଥିବା ଓଡ଼ିଶା ଭଳି ରାଜ୍ୟଗୁଡ଼ିକ ପାଇଁ ପରିବେଶ ମଞ୍ଜୁରି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲାଗି ସରକାର କୌଣସି ପଦକ୍ଷେପ ନେଇଛନ୍ତି କି ବୋଲି ଶ୍ରୀ ମଙ୍ଗରାଜ ପ୍ରଶ୍ନ କରିଥିଲେ। ଏହା ବ୍ୟତୀତ ପ୍ରକଳ୍ପଗୁଡ଼ିକ ମଞ୍ଜୁରି ପରେ ଏହା ଯେପରି ସ୍ଥାନୀୟ ସମୁଦାୟଙ୍କ ପରିବେଶ ସନ୍ତୁଳନ ବଜାୟ ରଖିବ ଏବଂ ଜଙ୍ଗଲ ଅଧିକାରକୁ ସୁନିଶ୍ଚିତ ରଖିବ, ସେନେଇ କେଉଁ ପଦକ୍ଷେପ ନିଆଯାଉଛି ସେ ବିଷୟରେ ଅବଗତ କରାଇବାକୁ ଶ୍ରୀ ମଙ୍ଗରାଜ ପ୍ରଶ୍ନ କରିଥିଲେ।
ଏହାର ଉତ୍ତରରେ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳଯର ରାଷ୍ଟ୍ର ମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂ କହିଛନ୍ତି, ପରିବେଶ ପ୍ରଭାବ ଆକଳନ (ଇଆଇଏ) ବିଜ୍ଞପ୍ତି ୨୦୦୬ର ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ, ପ୍ରକଳ୍ପଗୁଡ଼ିକ ସହିତ ଜଡ଼ିତ ସମସ୍ତ ପରିବେଶଗତ ପ୍ରଭାବକୁ ବିଚାରକୁ ନେଇ ବିଶେଷଜ୍ଞ ମୂଲ୍ୟାଙ୍କନ କମିଟି (ଇଏସି) କିମ୍ୱା ରାଜ୍ୟସ୍ତରୀୟ ବିଶେଷଜ୍ଞ ମୂଲ୍ୟାଙ୍କନ କମିଟି (ଏସ୍ଇଏସି) ଦ୍ୱାରା ପ୍ରସ୍ତାବଗୁଡ଼ିକର ମୂଲ୍ୟାଙ୍କନ କରାଯାଇଥାଏ। ଇଏସି/ଏସ୍ଇଏସିର ସୁପାରିସ ଆଧାରରେ ପ୍ରକଳ୍ପଗୁଡ଼ିକୁ ମନ୍ତ୍ରଣାଳୟ କିମ୍ୱା ରାଜ୍ୟ ପରିବେଶ ପ୍ରଭାବ ଆକଳନ ପ୍ରାଧିକରଣ (ଏସ୍ଇଆଇଏଏ) ଦ୍ୱାରା ପରିବେଶ ମଞ୍ଜୁରୀର ଅନୁମୋଦନ କରାଯାଏ। ତେବେ ‘ପରିବେଶ’ ପୋର୍ଟାଲରେ ଉପଲବ୍ଧ ତଥ୍ୟ ଅନୁଯାୟୀ, ଗତ ୧୨ ତାରିଖ ସୁଦ୍ଧା ଓଡ଼ିଶାର ଶିଳ୍ପ, ଖଣି ଏବଂ ଭିତ୍ତିଭୂମି ସମ୍ୱନ୍ଧୀୟ ମୋଟ ୧୨୭ଟି ପ୍ରକଳ୍ପ ପରିବେଶ ମଞ୍ଜୁରୀ ପାଇଁ ରହିଛି। ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ପରିବେଶ ସମ୍ୱନ୍ଧୀୟ ପ୍ରସଙ୍ଗ ଉପରେ ବିଚାର କରିବା ଏବଂ ପରିବେଶ ପରିଚାଳନା ଯୋଜନା (ଇଏମ୍ପି) ରେ ନିର୍ଦ୍ଧାରିତ ପ୍ରଶମନ ପଦକ୍ଷେପ ସମେତ ଉପଯୁକ୍ତ ପରିବେଶ ସୁରକ୍ଷା ବ୍ୟବସ୍ଥା ଅନ୍ତର୍ଭୁକ୍ତ କରିବା ପରେ ଏଗୁଡ଼ିକୁ ପରିବେଶ ମଞ୍ଜୁରୀ ପ୍ରଦାନ କରାଯାଇଥାଏ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।