ଆଜି ବିଶ୍ବ ସ୍ବାସ୍ଥ୍ୟ ଦିବସ: ଚଳିତ ବର୍ଷର ଥିମ୍‌ – ସମସ୍ତଙ୍କ ପାଇଁ ସୁସ୍ବାସ୍ଥ୍ୟ ବା ‘ହେଲ୍‌ଥ ଫର୍‌ ଅଲ୍’

ପ୍ରତିବର୍ଷ ଏପ୍ରିଲ୍‌ ମାସ ୭ ତାରିଖକୁ ବିଶ୍ବ ସ୍ବାସ୍ଥ୍ୟ ଦିବସ ଭାବେ ପାଳନ କରାଯାଏ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି – ସମସ୍ତଙ୍କ ଆରୋଗ୍ୟ କାମନା ସହିତ ସ୍ବାସ୍ଥ୍ୟ ସମ୍ପର୍କିତ ଜନସଚେତନତା ବୃଦ୍ଧି କରିବା। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପାଳନ କରାଯାଉଥିବା ଏହି ଦିବସ ପାଇଁ ପ୍ରତ୍ୟେକ ବର୍ଷ ଏକ ସ୍ବତନ୍ତ୍ର ଥିମ୍‌ ରଖାଯାଏ। ଏହି କ୍ରମରେ ଚଳିତବର୍ଷର ଥିମ୍‌ ହେଉଛି – ‘ହେଲ୍‌ଥ ଫର୍‌ ଅଲ୍‌’। ଇତିହାସ ୧୯୪୮ ମସିହାରେ ଏହିଦିନ ବିଶ୍ବ ସ୍ବାସ୍ଥ୍ୟ […]

ପ୍ରତିବର୍ଷ ଏପ୍ରିଲ୍‌ ମାସ ୭ ତାରିଖକୁ ବିଶ୍ବ ସ୍ବାସ୍ଥ୍ୟ ଦିବସ ଭାବେ ପାଳନ କରାଯାଏ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି – ସମସ୍ତଙ୍କ ଆରୋଗ୍ୟ କାମନା ସହିତ ସ୍ବାସ୍ଥ୍ୟ ସମ୍ପର୍କିତ ଜନସଚେତନତା ବୃଦ୍ଧି କରିବା। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପାଳନ କରାଯାଉଥିବା ଏହି ଦିବସ ପାଇଁ ପ୍ରତ୍ୟେକ ବର୍ଷ ଏକ ସ୍ବତନ୍ତ୍ର ଥିମ୍‌ ରଖାଯାଏ। ଏହି କ୍ରମରେ ଚଳିତବର୍ଷର ଥିମ୍‌ ହେଉଛି – ‘ହେଲ୍‌ଥ ଫର୍‌ ଅଲ୍‌’।

ଇତିହାସ
୧୯୪୮ ମସିହାରେ ଏହିଦିନ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପ୍ରତିଷ୍ଠା ହୋଇଥିଲା। ଏହା ହେଉଛି ସଂଯୁକ୍ତ ରାଷ୍ଟ୍ରର ଏକ ସ୍ବାସ୍ଥ୍ୟ ସଂଗଠନ, ଯାହାକି ବିଶ୍ବ ସ୍ତରରେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ପ୍ରତି ଦୃଷ୍ଟି ଦେବା ସହ ବିଭିନ୍ନ ପ୍ରକାର ନୂତନ ଚିକିତ୍ସା ପ୍ରଣାଳୀକୁ ଅନୁମୋଦନ କରିଥାଏ। ତେଣୁ ଏହି ସଂସ୍ଥାର ପ୍ରତିଷ୍ଠା ହେବାର ଦୁଇବର୍ଷ ପରେ ପ୍ରଥମେ ବିଶ୍ବ ସ୍ବାସ୍ଥ୍ୟ ଦିବସ ୧୯୫୦ ମସିହା ଏପ୍ରିଲ୍‌ ୭ ତାରିଖରେ ପାଳନ କରାଯାଇଥିଲା। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବାର୍ଷିକ ଉତ୍ସବ ଭାବେ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳିତ ହୋଇଆସୁଛି।

କିପରି ପାଳନ କରାଯାଏ
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପାଳନ କରାଯାଉଥିବା ଏହି ଦିବସରେ ପ୍ରତ୍ୟେକ ଦେଶର ବିଭିନ୍ନ ଆଞ୍ଚଳିକ ସ୍ତରରେ ସରକାରୀ ଓ ବେସରକାରୀ ସ୍ବାସ୍ଥ୍ୟ ସଂସ୍ଥା, ସ୍ବାସ୍ଥ୍ୟ ସମ୍ପର୍କିତ ଏନ୍‌ଜିଓ ସଂସ୍ଥା, ସ୍ବାସ୍ଥ୍ୟ ସଚେତନତା ସୃଷ୍ଟି କରୁଥିବା କର୍ମଚାରୀ ଏବଂ ଡାକ୍ତର ସମୂହର ମିଳିତ ଉଦ୍ୟମରେ ଏହି ଦିବସ ପାଳନ କରାଯାଏ। ସମସ୍ତେ ନିଜ ନିଜ କ୍ଷେତ୍ରରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରି ଲୋକଙ୍କୁ ସ୍ବାସ୍ଥ୍ୟ ସମ୍ପର୍କିତ ଅନେକ କଥା ବୁଝାଇଥାନ୍ତି। ଏହା ସହିତ ସହରତଳି ଅଞ୍ଚଳଗୁଡ଼ିକରେ ବିଭିନ୍ନ ସ୍ବାସ୍ଥ୍ୟ ସଂସ୍ଥା ପକ୍ଷରୁ ସ୍ବାସ୍ଥ୍ୟ ଶିବିରର ଆୟୋଜନ କରାଯାଏ। ଏହି ଶିବିରଗୁଡ଼ିକରେ ମାଗଣାରେ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଏ। ଅପୁଷ୍ଟିର ଶିକାର ହୋଇଥିବା ଶିଶୁଙ୍କ ପାଇଁ ଏଠାରେ ମାଗଣାରେ ବିଭିନ୍ନ ପ୍ରକାର ଔଷଧ ବଣ୍ଟନ କାର୍ଯ୍ୟକ୍ରମର ଆୟୋଜନ କରାଯାଏ। ଏହା ସହିତ ବିଭିନ୍ନ ପ୍ରକାର ଜଟିଳ ରୋଗ ସମ୍ପର୍କିତ ଜ୍ଞାନ ଏବଂ ତାହାର ଚିକିତ୍ସା ସମ୍ବନ୍ଧରେ ମଧ୍ୟ ଲୋକଙ୍କୁ ବୁଝାଇ ଦିଆଯାଏ। ଅନେକଗୁଡ଼ିଏ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଲୋକଙ୍କ ମନରେ ଥିବା ଅନ୍ଧବିଶ୍ବାସକୁ ଦୂର କରିବା କ୍ଷେତ୍ରରେ ସଚେତନ ଶିବିର ଆଦିର ଆୟୋଜନ କରାଯାଇଥାଏ। ଖାଦ୍ୟ, ବ୍ୟାୟାମ ଓ ଯୋଗ ପ୍ରାଣାୟାମ ଦ୍ବାରା କିଭଳି ଜଣେ ବ୍ୟକ୍ତି ସୁସ୍ଥସବଳ ଓ ନୀରୋଗ ରହିପାରିବ, ସେ ସମ୍ପର୍କରେ ମଧ୍ୟ ବିଭିନ୍ନ ଆଲୋଚନାଚକ୍ର ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଏ। ଏସବୁର ମୂଳ ଲକ୍ଷ୍ୟ ହେଉଛି – ସମସ୍ତଙ୍କ ଆରୋଗ୍ୟ କାମନା କରିବା ଏବଂ ଯଥାସାଧ୍ୟ ଲୋକଙ୍କୁ ସୁସ୍ଥସବଳ ଓ ନିରୋଗ ରଖିବା।

ଚଳିତ ବର୍ଷର ଥିମ୍‌ – ସମସ୍ତଙ୍କ ପାଇଁ ସୁସ୍ବାସ୍ଥ୍ୟ
ଆଜିକାଲି ପ୍ରାୟ ସମସ୍ତଙ୍କଠାରେ କିଛି ନା କିଛି ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି। କୋଭିଡ୍‌ ପରଠାରୁ ବର୍ତ୍ତମାନ ଲୋକମାନଙ୍କଠାରେ ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଇଛି। ତେଣୁ ଦିନକୁଦିନ ସଂକ୍ରମଣଜନିତ ରୋଗ ବୃଦ୍ଧି ପାଉଛି। ଏହା ସହିତ ପୂର୍ବରୁ ରହିଥିବା ଉଚ୍ଚରକ୍ତଚାପ, ମେଦବହୁଳତା, ଅବସାଦ, ମଧୁମେହ ଇତ୍ୟାଦି ସମସ୍ୟା ମଧ୍ୟ ଲାଗି ରହୁଛି। ଏଭଳି ଜଟିଳ ପରିସ୍ଥିତିରେ ଅନେକ ଲୋକ ବୁଝିପାରୁନାହାନ୍ତି ଯେ, ସେମାନେ କେଉଁ ଭଳି ଚିକିତ୍ସା ଆପଣାଇବେ କିମ୍ବା କିଭଳି ଭାବେ ନିଜର ସୁସ୍ଥତା ଫେରିପାଇବେ। ତେଣୁ ଏ କ୍ଷେତ୍ରରେ କିପରି ଲୋକଙ୍କୁ ସଚେତନ କରାଇ, ନୀରୋଗ ରଖିହେବ, ତାହାକୁ ପ୍ରାଥମିକତା ଦେଇ ଚଳିତର୍ଷର ‘ବିଶ୍ବ ସ୍ବାସ୍ଥ୍ୟ ଦିବସ’ର ଥିମ୍‌ ରଖାଯାଇଛି – ସମସ୍ତଙ୍କ ପାଇଁ ସୁସ୍ବାସ୍ଥ୍ୟ ବା ‘ହେଲ୍‌ଥ ଫର୍‌ ଅଲ୍’।

ଏହି ଥିମ୍‌ ଅନୁଯାୟୀ ସୁସ୍ଥ ରହିବା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପରାମର୍ଶ ଦିଆଯାଇଛି ଯେ, ପୋଷକତତ୍ତ୍ବଯୁକ୍ତ ଆହାର ସହିତ ଲୁଣ ଓ ଚିନିର ସେବନ କମ୍‌ କରିବା ଉଚିତ। ନିଶାଦ୍ରବ୍ୟର ବ୍ୟବହାରଠାରୁ ଦୂରେଇ ରୁହନ୍ତୁ। ଧୂମପାନ କରୁଥିବା ବ୍ୟକ୍ତିଙ୍କଠାରୁ ଦୂରତା ବଜାୟ ରଖନ୍ତୁ। କାରଣ ସେକେଣ୍ଡହ୍ୟାଣ୍ଡ୍‌ ସ୍ମୋକିଂ ମଧ୍ୟ ଫୁସ୍‌ଫୁସ୍‌ଜନିତ ରୋଗ ସୃଷ୍ଟି କରେ। ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ନିଜ ଶରୀରର ସମ୍ପୂର୍ଣ୍ଣ ପରୀକ୍ଷା କରାଇନିଅନ୍ତୁ। ଶିଶୁଙ୍କୁ ଉପଯୁକ୍ତ ସମୟରେ ଟିକାକରଣ କରାନ୍ତୁ। ଶରୀରରୁ ଜଳୀୟ ଅଂଶ କମ୍‌ ହେବାକୁ ଦିଅନ୍ତୁ ନାହିଁ। ପ୍ରତିଦିନ ଅତିକମ୍‌ରେ ୮୦୦ ପାଦ ଚାଲନ୍ତୁ। ଖାଦ୍ୟକୁ ଭଲ ଭାବେ ଚୋବାଇ ଖାଆନ୍ତୁ। କାଶିବା କିମ୍ବା ଛିଙ୍କିବା ସମୟରେ ରୁମାଲ୍‌ ବ୍ୟବହାର କରନ୍ତୁ। ଯାତାୟାତ କରିବା ସମୟରେ ମାସ୍କ ବ୍ୟବହାର କରନ୍ତୁ। ଉପରୋକ୍ତ ନିୟମ ପାଳନ କରିବା ଦ୍ବାରା ସମସ୍ତେ ସୁସ୍ଥସବଳ ଓ ନୀରୋଗ ରହିପାରିବେ ଏବଂ ଚଳିତବର୍ଷ ଥÒମ୍‌ର ମୁଖ୍ୟ ଉଦ୍ଦେଶ୍ୟ ସଫଳ ହୋଇପାରିବ।

About The Author: The Sakala