ପେଟରେ ଗ୍ୟାସ୍‌ ସମସ୍ୟାରୁ ମୁକ୍ତି ପାଇଁ ଜାଣନ୍ତୁ ଏଲୋପାଥି, ଆୟୁର୍ବେଦ ଓ ହୋମିଓପାଥି ଉପଚାର

ଅନିୟମିତ, ଅସ୍ବାସ୍ଥ୍ୟକର, ତେଲମସଲାଯୁକ୍ତ ଗରିଷ୍ଠ ଖାଦ୍ୟ ଓ ହଜମ ସମସ୍ୟା ଯୋଗୁଁ ପେଟରେ ଗ୍ୟାସ୍‌ ହୋଇଥାଏ। ଏହାଦ୍ବାରା ଉପର ପେଟରେ ଯନ୍ତ୍ରଣା ହେବା, ବାନ୍ତି ହେବା, ତଣ୍ଟି ଓ ଛାତି ଜଳାପୋଡ଼ା ହେବା, ଭୋକ ନଲାଗିବା, ମୁଣ୍ଡ ବିନ୍ଧିବା ଓ ଅଣନିଃଶ୍ବାସୀ ଲାଗିବା ଭଳି ଅନୁଭୂତ ହୁଏ। ଅନେକଙ୍କ କ୍ଷେତ୍ରରେ ପେଟଗ୍ୟାସ୍‌ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ। ଗ୍ୟାସ୍‌ ହେବା ଭଳି ଅନୁଭବ ହେଲେ, ପ୍ରାୟ ସମସ୍ତେ କୋଲଡ୍ରିଙ୍କ୍ସ ପିଇଦିଅନ୍ତି କିମ୍ବା ହଜମ ପାଇଁ କୌଣସି […]

ଅନିୟମିତ, ଅସ୍ବାସ୍ଥ୍ୟକର, ତେଲମସଲାଯୁକ୍ତ ଗରିଷ୍ଠ ଖାଦ୍ୟ ଓ ହଜମ ସମସ୍ୟା ଯୋଗୁଁ ପେଟରେ ଗ୍ୟାସ୍‌ ହୋଇଥାଏ। ଏହାଦ୍ବାରା ଉପର ପେଟରେ ଯନ୍ତ୍ରଣା ହେବା, ବାନ୍ତି ହେବା, ତଣ୍ଟି ଓ ଛାତି ଜଳାପୋଡ଼ା ହେବା, ଭୋକ ନଲାଗିବା, ମୁଣ୍ଡ ବିନ୍ଧିବା ଓ ଅଣନିଃଶ୍ବାସୀ ଲାଗିବା ଭଳି ଅନୁଭୂତ ହୁଏ। ଅନେକଙ୍କ କ୍ଷେତ୍ରରେ ପେଟଗ୍ୟାସ୍‌ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ। ଗ୍ୟାସ୍‌ ହେବା ଭଳି ଅନୁଭବ ହେଲେ, ପ୍ରାୟ ସମସ୍ତେ କୋଲଡ୍ରିଙ୍କ୍ସ ପିଇଦିଅନ୍ତି କିମ୍ବା ହଜମ ପାଇଁ କୌଣସି ଔଷଧ ଖାଆନ୍ତି। ଔଷଧ ଦୋକାନରେ ପଚାରି ଗ୍ୟାସ୍‌ ମେଡିସିନ୍‌ ମଧ୍ୟ ଖାଇଥାନ୍ତି। ଏସବୁ କରିବା ଆଦୌ ଉଚିତ ନୁହେଁ। ପେଟଗ୍ୟାସ୍‌ ସମସ୍ୟାକୁ ଅଣଦେଖା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରି ଔଷଧ ଖାଇବା ଆବଶ୍ୟକ। ଏହା ସହିତ ନିମ୍ନଲିଖିତ ତିନୋଟି ମାଧ୍ୟମରେ ଏହାର ଉପଚାର କରିପାରିବେ। ଯଥା –

ଏଲୋପାଥି
ପେଟ ଗ୍ୟାସ୍‌ ବା ଏସିଡିଟି ସମସ୍ୟା ମୁଖ୍ୟତଃ ‘ହେଲିକୋବ୍ୟାକଟର ପାଇଲୋରି’ ନାମକ ଏକ ଜୀବାଣୁ ଦ୍ବାରା ହୋଇଥାଏ। ଯନ୍ତ୍ରଣା ଉପଶମକାରୀ ଔଷଧର ଅଧିକ ସେବନ, ମାଦକ ଦ୍ରବ୍ୟର ସେବନ, ଚାହା, କଫି ଓ ଟୋବାକୋର ଅଧିକ ସେବନ ଏବଂ ତେଲ ମସଲାଯୁକ୍ତ ଖାଦ୍ୟ ପାଇଁ ପେଟଗ୍ୟାସ୍‌ ସମସ୍ୟା ଅଧିକ ହୋଇଥାଏ। ଗ୍ୟାସ୍‌ ସମସ୍ୟାର ଉପଚାର ପାଇଁ ସାଧାରଣତଃ ପି.ପି. ଆଇ ଏବଂ ଆଣ୍ଟିବାୟୋଟିକ୍‌ ଆଦି ଔଷଧ ଖାଇବା ପାଇଁ ଡାକ୍ତରମାନେ ପରାମର୍ଶ କରିଥାନ୍ତି। ପ୍ରଥମେ ଡାକ୍ତରଙ୍କ ସହିତ ପରାମର୍ଶ କରି ସ୍ବାସ୍ଥ୍ୟ ପରୀକ୍ଷା କରାଇ ନେବା ଉଚିତ। ଏହା ପରେ ଡାକ୍ତରଙ୍କ କହିବା ଅନୁସାରେ କୌଣସି ଔଷଧ ଖାଆନ୍ତୁ। ତେଲମସଲାଯୁକ୍ତ ଖାଦ୍ୟ ଓ ଚାହା କଫିର ସେବନ ବନ୍ଦ କରନ୍ତୁ। ଅଧିକ ସମୟ ଖାଲିପେଟରେ ରୁହନ୍ତୁ ନାହିଁ।

ଆୟୁର୍ବେଦ

ଖାଦ୍ୟ ଓ ପାନୀୟକୁ ସୁଦ୍ଧ କରିବାଦ୍ବାରା ପେଟଗ୍ୟାସ୍‌ ସମସ୍ୟାରୁ ମୁକ୍ତି ମିଳିଥାଏ, ଯାହାକି ପଞ୍ଚବଗ୍ୟ ବା ଆର୍ୟୁବେଦ ଚିକିତ୍ସାର ମୂଳସୂତ୍ର। ରିଫାଇନ୍‌ ତେଲ, ମଇଦାରୁ ତିଆରି ଜିନିଷ, ଚିନି, ଆମିଷ, ପ୍ରେସର୍‌ କୁକର୍‌ରେ ରନ୍ଧା ଖାଦ୍ୟ, ଫାଷ୍ଟ୍‌ ଫୁଡ୍‌, ପ୍ୟାକେଟ୍‌ ଫୁଡ୍‌, ମୃଦୁପାନୀୟ, ଅତ୍ୟଧିକ ତେଲ ଓ ମସଲାଯୁକ୍ତ ଖାଦ୍ୟ ଏବଂ ଅଧିକ ଦୁଗ୍ଧଜାତୀୟ ଖାଦ୍ୟ ବର୍ଜନ କରିବା ଦ୍ବାରା ପେଟଗ୍ୟାସ୍‌ ସମସ୍ୟାରୁ ମୁକ୍ତି ମିଳେ। ଏହା ବ୍ୟତୀତ ଦୁଇଟି ଉପାୟ ଦ୍ବାରା ଗ୍ୟାସ୍‌ ସମସ୍ୟା ଦୂର ହୁଏ। ପ୍ରଥମଟି ହେଉଛି ଖାଦ୍ୟ ଖାଇବାର ୧ ଘଣ୍ଟା ପରେ ପାଣି ପିଅନ୍ତୁ। ଦ୍ବିତୀୟରେ ସକାଳୁ ଉଠିବା ପରେ ଅଧୁଆ ମୁହଁରେ ଗରମ ପାଣି ପିଇବା ଉଚିତ। ରାତ୍ରି ଭୋଜନରେ ଅଳ୍ପ ଖାଦ୍ୟ ଖାଆନ୍ତୁ। ପଞ୍ଚଗବ୍ୟ ଔଷଧ ଆକାରରେ ଗୋମୂତ୍ର ଅର୍କ, ଜୀବନଧାରା, ଗାୟତ୍ରୀ ଚୂର୍ଣ୍ଣ, ହରଡ଼ ଚୂର୍ଣ୍ଣ ଆଦି ସେବନ କଲେ, ଗ୍ୟାସ୍‌ ସମସ୍ୟାରୁ ମୁକ୍ତି ମିଳିଥାଏ।

ହୋମିଓପାଥି
ବର୍ତ୍ତମାନ ପେଟ ଗ୍ୟାସ୍‌ ଏକ ମୁଖ୍ୟ ସ୍ବାସ୍ଥ୍ୟ ସମସ୍ୟା। ଆଧୁନିକ ଜୀବନଶୈଳୀ, ଖାଦ୍ୟପାନୀୟର ଅନିୟମିତତା, ଖାଲି ପେଟରେ ରହିବା, ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟ ଖାଇବା ପେଟଗ୍ୟାସ୍‌ର ମୁଖ୍ୟ କାରଣ। ହୋମିଓପାଥିରେ ମଧ୍ୟ ଏହାର ସମ୍ପୂର୍ଣ୍ଣ ଚିକିତ୍ସା କରାଯାଇପାରୁଛି। ହୋମିଓପାଥି ଲକ୍ଷଣଭିତ୍ତିକ ଚିକିତ୍ସା ହୋଇଥିବାରୁ ରୋଗୀର ଲକ୍ଷଣ ଅନୁଯାୟୀ ଔଷଧ ଦିଆଯାଇଥାଏ। କାର୍ବୋଭେଜ୍‌, ଲାଇକୋପୋଡିୟମ୍‌, ଆନାକାଡିୟମ୍‌, ଏବିସନାଇଗ୍ରା ଓ ଆଇରସ୍‌-ଭର୍‌ ଭଳି ଅନେକ ଔଷଧ ଅଛି। କିନ୍ତୁ ଏସବୁ ଔଷଧ ଡାକ୍ତରଙ୍କୁ ପରାମର୍ଶ ଅନୁଯାୟୀ ଗ୍ରହଣ କରିବା ଉଚିତ।

About The Author: The Sakala