ଶୀତଦିନେ ହୃଦ୍‌ରୋଗୀଙ୍କ ପାଇଁ ସତର୍କତା...

ଶୀତଋତୁରେ ବାୟୁମଣ୍ଡଳର ତାପମାତ୍ରା କମିଯାଏ। ଏହି ପରିବର୍ତ୍ତନ ମନୁଷ୍ୟର ଶରୀର ଉପରେ ପ୍ରଭାବ ପକାଇଥାଏ। ତାପମାତ୍ରା ସର୍ବାଧିକ ହ୍ରାସ ପାଇଲେ, ଧମନୀ ସଙ୍କୁଚିତ ହୁଏ। ଏହାଦ୍ବାରା ରକ୍ତଚାପସ୍ତର ବଢ଼ିଯାଇଥାଏ। ରକ୍ତଚାପ ବଢ଼ିଲେ ହୃଦୟ ଉପରେ ପ୍ରଭାବ ପଡ଼ିପାରେ। ତେଣୁ ଉଚ୍ଚରକ୍ତଚାପରେ ପୀଡ଼ିତ ଓ ହୃଦ୍‌ରୋଗୀ ଥଣ୍ଡା ସମୟରେ ସତର୍କ ରହିବା ଜରୁରି।

ଶୀତଋତୁରେ ବୟସ୍କ ବ୍ୟକ୍ତି, ମଧୁମେହ, ଉଚ୍ଚରକ୍ତଚାପ, କୋଲେଷ୍ଟ୍ରଲରେ ପୀଡ଼ିତ, ହୃଦ୍‌ଜନିତ ସମସ୍ୟାରେ ପୀଡ଼ିତ ବ୍ୟକ୍ତି ଥଣ୍ଡା ପବନରେ ବୁଲିବା ଅନୁଚିତ। ଏହା ଦ୍ବାରା ରକ୍ତ ଜମାଟ ବାନ୍ଧିଥାଏ। ରକ୍ତସଞ୍ଚାଳନରେ ବାଧାପ୍ରାପ୍ତ ହୋଇ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇପାରେ। ତେଣୁ ବାହାରକୁ ଯାଉଥିଲେ,  ଗରମ ପୋଷାକ, ମୋଜା, ଟୋପି, ହ୍ୟାଣ୍ଡ ଗ୍ଲୋବ୍‌ସ ଆଦି ପିନ୍ଧନ୍ତୁ। ଏହାଦ୍ବାରା ରକ୍ତଚାପ ନିୟନ୍ତ୍ରଣ ରହିପାରେ।

କଠିନ ବ୍ୟୟାମ ଅନୁଚିତ: ନିୟମିତ ୨୦ରୁ ୩୦ ମିନିଟ୍‌ ଚାଲିବା, ବ୍ୟାୟାମ ଓ ଯୋଗ ଦ୍ବାରା ରକ୍ତଚାପ ନିୟନ୍ତ୍ରଣ ହୁଏ। ମାଂସପେଶୀରେ ରକ୍ତସଞ୍ଚାଳନ ହୋଇଥାଏ। ଏହା ହୃଦୟ ପାଇଁ ଭଲ। ତେବେ ହୃଦ୍‌ରୋଗୀ ଥଣ୍ଡା ସମୟରେ ଅଧିକ କଠିନ ବ୍ୟାୟାମ କରିବା ଅନୁଚିତ।  

ଜୀବନଶୈଳୀରେ ପରିବର୍ତ୍ତନ : ଶୀତଦିନେ ଶରୀରରେ ଜଳୀୟ ଅଂଶ କମ୍‌ ହୁଏ। ଦିନକୁ ୩ଲିଟର ପାଣି ପିଇ ହୃଦ୍‌ପିଣ୍ଡକୁ ସୁସ୍ଥ ରଖିପାରିବେ। ମାସ୍କ ଲଗାଇବା ଉଚିତ। ଧୂମପାନଠାରୁ ଦୂରେଇ ରୁହନ୍ତୁ।  କମ୍‌ ଲୁଣଯୁକ୍ତ ସନ୍ତୁଳିତ ଖାଦ୍ୟ ଗ୍ରହଣ ସହ ଖାଦ୍ୟରେ  ଓମେଗା-୩ଯୁକ୍ତ ଖାଦ୍ୟ, ଫାଇବର, ଭିଡାମିନ୍‌ ଡି ଆଦି ସାମିଲ କରିପାରିବେ। ମୁଣ୍ଡବିନ୍ଧା, ଛାତିରେ ଯନ୍ତ୍ରଣା ଆଦି ଲକ୍ଷଣ ଦେଖିବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରି। ନିୟମିତ  ଉଚ୍ଚରକ୍ତଚାପସ୍ତର, ରକ୍ତ ଶର୍କରା, କୋଲେଷ୍ଟ୍ରଲ ଆଦିକୁ ପରୀକ୍ଷା କରାଇ ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କରିବା ଜରୁରି।

About The Author: Madhusudan Das