ବିଭିନ୍ନ ସଂକ୍ରମଣରୁ ଜିଭ ଧଳା ତଥା ଶ୍ବେତା ଦିଶିଥାଏ। ନଚେତ୍ ଲ୍ୟୁକୋପ୍ଲାକିୟାରେ ମଧ୍ୟ ଜିଭର ରଙ୍ଗ ଧଳା ଦେଖାଯାଏ। ମୁଖ୍ୟତଃ ଛୋଟ ପିଲା ତଥା ବୟସ୍କଙ୍କ ଠାରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳେ। ଧଳା ରଙ୍ଗର ଜିଭ ଡିହାଇଡ୍ରେଶନ ସମସ୍ୟାକୁ ଦର୍ଶାଇଥାଏ।
ଜିଭର ରଙ୍ଗ କଳା ଦେଖାଯିବା ଗଳା ସଂକ୍ରମଣ କିମ୍ବା ଜୀବାଣୁର ସଙ୍କେତ ଦେଇଥାଏ। ମାତ୍ରାଧିକ ଔଷଧ ସେବନ, ଅଧିକ କେରାଟିନ୍ରୁ ଜିଭର ରଙ୍ଗ କଳା ମଧ୍ୟ ହୋଇଯାଏ। ମଧୁମେହ ରୋଗୀ, କର୍କଟ ରୋଗ କିମ୍ବା ପେଟରେ ଘା’ ହେଲେ ମଧ୍ୟ ଜିଭ କଳା ରଙ୍ଗ ହୁଏ। ସେହିପରି ଜିଭ ହଳଦିଆ ରଙ୍ଗ ଦେଖାଗଲେ, ଏହା କାମଳ ରୋଗକୁ ସୂଚାଏ। ସର୍ବଦା ଡାକ୍ତରଙ୍କ ପରାମର୍ଶ ନେଇ ଜିଭ ରଙ୍ଗ ଅନୁସାରେ ଚିକିତ୍ସା କରିବା ନିହାତି ଜରୁରି।
ଜିଲ୍ ଲାଲ୍ ହେବା କାୱାସାକି ରୋଗ, ଭିଟାମିନ୍ ଅଭାବ କିମ୍ବା ଏଲାର୍ଜିର ସଙ୍କେତ ଦେଇଥାଏ। ପିଲାଙ୍କୁ ଜ୍ବର ଥÒଲେ ମଧ୍ୟ ଜିଭ ଲାଲ୍ ରଙ୍ଗ ହୋଇଥାଏ। ନୀଳ ରଙ୍ଗ ଜିଭକୁ ସବୁଠୁ ଅଧିକ ବିପଜ୍ଜନକ କୁହାଯାଏ। କାରଣ ଜିଭ ନୀଳ ରଙ୍ଗ ହେବା ହୃତ୍ ସମସ୍ୟାର ସଙ୍କେତ ଦିଏ। ହୃତ୍ପିଣ୍ଡରେ ରକ୍ତ ସଞ୍ଚାଳନ ଧୀର ହେଲେ ତଥା ଶରୀରରେ କମ୍ ଅମ୍ଳଜାନ ଯୋଗୁଁ ଜିଭ ରଙ୍ଗ ନୀଳ ଦେଖାଯାଏ। ତେଣୁ ହୃତ୍ଜନିତ ଏକ ଗମ୍ଭୀର ସମସ୍ୟା ହୋଇଥିବାରୁ ଏଥିପ୍ରତି ସତର୍କ ରହିବା ଆବଶ୍ୟକ।
ଯଦି ଜିଭ ରଙ୍ଗ ଫିକା କିମ୍ବା ହାଲୁକା ଗୋଲାପି ରଙ୍ଗ ଦେଖାଯାଏ, ରକ୍ତର ଅଭାବକୁ ଏହା ସଙ୍କେତ ଦିଏ। ଫଳରେ ରକ୍ତହୀନତା, ଭିଟାମିନ୍ ବି-୧୨ର ଅଭାବ ପରିଲକ୍ଷିତ ହୁଏ। ଏହା ସହ ହଜମଜନିତ ସମସ୍ୟା ଥିଲେ ମଧ୍ୟ ଏହି ରଙ୍ଗ ଦେଖାଯାଏ।
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଫିକା ଗୋଲାପି ତଥା କୌଣସି ଦାଗ ନ ଥିବା ଜିଭ ହିଁ ସୁସ୍ଥତାକୁ ସୂଚାଏ।