ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ପତ୍ନୀ ସଙ୍ଗୀତା ଫେରାଇ ନେଲେ ଛାଡ଼ପତ୍ର ଆବେଦନ, ବନ୍ଦ ହେଲା ମାମଲା

ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ସୁପରଷ୍ଟାର ସି. ଜୋସେଫ୍ ବିଜୟ ଏବଂ ତାଙ୍କ ପତ୍ନୀ ସଙ୍ଗୀତାଙ୍କ ବୈବାହିକ ଜୀବନକୁ ନେଇ ଚାଲିଥିବା ବିବାଦର ଅନ୍ତ ଘଟିଛି। ଶୁକ୍ରବାର ଦିନ ଚେଙ୍ଗଲପଟ୍ଟୁ ପାରିବାରିକ ଅଦାଲତରେ ସଙ୍ଗୀତା ନିଜର ଛାଡ଼ପତ୍ର ଆବେଦନକୁ ପ୍ରତ୍ୟାହାର କରିନେଇଛନ୍ତି। ଫଳରେ କୋର୍ଟ ଏହି ବହୁଚର୍ଚ୍ଚିତ ମାମଲାକୁ ଆନୁଷ୍ଠାନିକ ଭାବେ ବନ୍ଦ କରିଦେଇଛନ୍ତି।

ଭିଡିଓ କନଫରେନ୍ସିଂ ଜରିଆରେ ହାଜର

ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ମାମଲାର ଶୁଣାଣି ସମୟରେ ସଙ୍ଗୀତା ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର ହୋଇଥିଲେ। ସେ ବିଚାରପତିଙ୍କୁ ସୂଚିତ କରିଥିଲେ ଯେ ସେ ଆଉ ଏହି ମାମଲାକୁ ଆଗକୁ ବଢ଼ାଇବାକୁ ଚାହୁଁନାହାନ୍ତି ଏବଂ ନିଜ ଆବେଦନ ଫେରାଇ ନେଉଛନ୍ତି। ଏହା ପରେ ଚେଙ୍ଗଲପଟ୍ଟୁ ପାରିବାରିକ କୋର୍ଟ ତାଙ୍କ ଅନୁରୋଧକୁ ଗ୍ରହଣ କରି ମାମଲାକୁ ରଦ୍ଦ କରିଦେଇଥିଲେ।

ଆପୋଷ ବୁଝାମଣା ଓ ପରିବାରରେ ସୁଧାର

ବିଶେଷ ସୂତ୍ରରୁ ପ୍ରକାଶ ଯେ, ବିଜୟ ଏବଂ ସଙ୍ଗୀତାଙ୍କ ମଧ୍ୟରେ କୋର୍ଟ ବାହାରେ ଏକ ଆପୋଷ ବୁଝାମଣା ହୋଇଛି। ନିକଟରେ ସେମାନଙ୍କ ପୁଅ ତଥା ଉଦୀୟମାନ ଚଳଚ୍ଚିତ୍ର ନିର୍ଦ୍ଦେଶକ ଜେସନ୍ ଏକ ସାକ୍ଷାତକାରରେ ନିଜ ପିତାଙ୍କୁ ପ୍ରଶଂସା କରିଥିଲେ। ପୂର୍ବରୁ ସର୍ବସାଧାରଣରେ ବାପାଙ୍କ ବିଷୟରେ କିଛି କହୁନଥିବା ଜେସନ୍‌ଙ୍କ ଏହି ସକାରାତ୍ମକ ବୟାନରୁ ସ୍ପଷ୍ଟ ହୋଇଥିଲା ଯେ ପରିବାର ମଧ୍ୟରେ ସମ୍ପର୍କରେ ଧୀରେ ଧୀରେ ସୁଧାର ଆସୁଛି।

ପୂର୍ବରୁ କଣ ଥିଲା ଅଭିଯୋଗ?

ଚଳିତ ବର୍ଷ ଆରମ୍ଭରେ ସଙ୍ଗୀତା ସ୍ୱତନ୍ତ୍ର ବିବାହ ଆଇନ, ୧୯୫୪ ଅନୁଯାୟୀ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ବିଜୟଙ୍କର ଜଣେ ସହ-ଅଭିନେତ୍ରୀଙ୍କ ସହ ସମ୍ପର୍କ ରହିଛି, ଯାହା ତାଙ୍କୁ ମାନସିକ ଆଘାତ ଦେଇଛି। ଉଲ୍ଲେଖଯୋଗ୍ୟ ଯେ, ଅଗଷ୍ଟ ୨୫, ୧୯୯୯ ରେ ଉଭୟଙ୍କର ବିବାହ ହୋଇଥିଲା। ବର୍ତ୍ତମାନ ଅଭିନୟ ଦୁନିଆରୁ ବିଦାୟ ନେଇ ସକ୍ରିୟ ରାଜନୀତିରେ ପାଦ ଦେଇଥିବା ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଉଛନ୍ତି। ତାଙ୍କ ବ୍ୟକ୍ତିଗତ ଜୀବନର ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତି ଓ ସାଧାରଣ ମହଲରେ ବହୁ ଚର୍ଚ୍ଚା ଦେଖିବାକୁ ମିଳିଥିଲା।

About The Author: Suryakanta