Priyanka Chopra: ପ୍ରିୟଙ୍କା ଚୋପ୍ରା କାହିଁକି ଛାଡିଲେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରି, କଲେ ବଡ ଖୁଲାସା

ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ନିକଟରେ ଏକ ସାକ୍ଷାତକାରରେ ବଲିଉଡ ଛାଡିବାର ପ୍ରକୃତ କାରଣ ବିଷୟରେ ଖୁଲାସା କରିଛନ୍ତି। ନିଜ କ୍ୟାରିୟରର ଶୀର୍ଷରେ ଥିବା ସମୟରେ ସେ କାହିଁକି ହଠାତ ହଲିଉଡ ମୁହାଁ ହୋଇଥିଲେ, ସେ ନେଇ ଅନେକ ଦିନରୁ ଚର୍ଚ୍ଚା ଲାଗି ରହିଥିଲା। ଏବେ ପ୍ରିୟଙ୍କା କହିଛନ୍ତି ଯେ, ସେହି ସମୟରେ ତାଙ୍କୁ ଇଣ୍ଡଷ୍ଟ୍ରିରେ ସୀମିତ ଅନୁଭବ ହେଉଥିଲା ଏବଂ ସେଠାରେ ରହିଥିବା ରାଜନୀତି ବା ଗନ୍ଦଗୀ ମଧ୍ୟରେ ସେ ଆଉ ରହିବାକୁ ଚାହୁଁନଥିଲେ।

ବଲିଉଡର କଟୁ ଅନୁଭୂତି

ପ୍ରିୟଙ୍କା କହିଛନ୍ତି ଯେ, ବଲିଉଡରେ ସେହି ସମୟରେ ତାଙ୍କର କିଛି ସମ୍ପର୍କ ଭଲ ନଥିଲା ଏବଂ ତାଙ୍କୁ କୋଣଠେସା କରାଯାଇଥିଲା। ଅମାଣ୍ଡା ହିର୍ଶଙ୍କ ପୋଡକାଷ୍ଟ 'ନଟ୍ ସ୍କିନି ବଟ୍ ନଟ୍ ଫ୍ୟାଟ୍'ରେ ଯୋଗ ଦେଇ ସେ କହିଛନ୍ତି ଯେ, ମୋତେ ଗନ୍ଦଗୀ ବା କାଦୁଅରେ ରହିବାକୁ ପସନ୍ଦ ନୁହେଁ, କାରଣ ଏଥିରେ ରହିଲେ ଆପଣଙ୍କୁ ତା'ର ଗନ୍ଧରେ ଅଭ୍ୟସ୍ତ ହେବାକୁ ପଡେ। ସେ ପରିବର୍ତ୍ତନ ଉପରେ ବିଶ୍ୱାସ କରନ୍ତି ଏବଂ ଜୀବନ ଯେତେବେଳେ କଷ୍ଟକର ହୁଏ, ସେତେବେଳେ ନିଜକୁ ସମ୍ଭାଳି ଆଗକୁ ବଢିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।

ଆଇଶ୍ୱର୍ଯ୍ୟା ରାୟଙ୍କୁ ନେଇ କହିଲେ ଏହି କଥା

ଯେତେବେଳେ ପ୍ରିୟଙ୍କାଙ୍କୁ ପଚରାଗଲା ଯେ ସେ ଆମେରିକୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବାକୁ କାହିଁକି ସ୍ଥିର କଲେ, ସେ ଆଇଶ୍ୱର୍ଯ୍ୟା ରାୟ ଏବଂ ମିଣ୍ଡି କାଲିଙ୍ଗଙ୍କ ନାମ ନେଇଥିଲେ। ସେ କହିଥିଲେ ଯେ ସେହି ସମୟରେ ହଲିଉଡରେ ଭାରତୀୟ କଳାକାରଙ୍କ ପ୍ରତିନିଧିତ୍ୱ ବହୁତ କମ ଥିଲା। ସେ ଜଣେ ନବମ ଶ୍ରେଣୀର ଝିଅ ଭଳି ଅନୁଭବ କରୁଥିଲେ ଯାହାର ଚେହେରା ସେଠାରେ ଅନ୍ୟମାନଙ୍କ ସହ ମିଶୁନଥିଲା। ଏହି ଅଭାବକୁ ଦୂର କରିବା ଏବଂ ନିଜର ସାମର୍ଥ୍ୟ ପରଖିବା ପାଇଁ ସେ ହଲିଉଡରେ କାମ ଖୋଜିବା ଆରମ୍ଭ କରିଥିଲେ।

୨୦୧୫ ମସିହାରେ 'କ୍ୱାଣ୍ଟିକୋ' ସିରିଜ ଜରିଆରେ ସେ ନିଜର ଆନ୍ତର୍ଜାତୀୟ ଯାତ୍ରା ଆରମ୍ଭ କରିଥିଲେ। ପ୍ରିୟଙ୍କାଙ୍କ କହିବା ଅନୁଯାୟୀ, ସେ ଜଣେ ପରିଶ୍ରମୀ ମଣିଷ ଏବଂ ନିଜ କାମକୁ ଭଲ ଭାବେ ଜାଣନ୍ତି। ବର୍ତ୍ତମାନ ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ବାରାଣସୀ' ପାଇଁ ପ୍ରସ୍ତୁତି ଚଳାଇଛନ୍ତି, ଯାହା ଆସନ୍ତା ବର୍ଷ ମୁକ୍ତିଲାଭ କରିବ।

About The Author: Tapas Ranjan Nanda