ମହାକୁମ୍ଭ ଫେମ୍ ମୋନାଲିସା କ’ଣ ନାବାଳିକା? ବାଲ୍ୟ ବିବାହ ଅଭିଯୋଗ ଉପରେ ସ୍ୱାମୀ ଫରମାନ ଖାନ ଦେଲେ ପ୍ରମାଣ

ମହାକୁମ୍ଭରେ ରୁଦ୍ରାକ୍ଷ ମାଳା ବିକ୍ରି କରି ରାତାରାତି ଇଣ୍ଟରନେଟ୍ ସେନ୍ସେସନ୍ ପାଲଟିଥିବା ମୋନାଲିସା ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ନିଜ ପରିବାରର ଇଚ୍ଛା ବିରୋଧରେ ଯାଇ ନିଜ ପ୍ରେମିକ ଫରମାନ ଖାନ୍‌ଙ୍କୁ କେରଳରେ ବିବାହ କରିଛନ୍ତି। ତେବେ ଏହି ଆନ୍ତଃଧର୍ମୀୟ ବିବାହ ପରେ ଏବେ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ସୋସିଆଲ୍ ମିଡିଆରେ ଗୁଜବ ସୃଷ୍ଟି ହୋଇଛି ଯେ, ମୋନାଲିସା ଜଣେ ନାବାଳିକା ଏବଂ ଏହା ଏକ ବାଲ୍ୟ ବିବାହ।

ସ୍ୱାମୀ ଫରମାନ ଦେଲେ ପ୍ରମାଣ

ଏହି ବାଲ୍ୟ ବିବାହ ଅଭିଯୋଗ ଉପରେ ଏବେ ପ୍ରତିକ୍ରିୟା ରଖିଛନ୍ତି ମୋନାଲିସାଙ୍କ ସ୍ୱାମୀ ଫରମାନ ଖାନ। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ ଏହି ସମସ୍ତ ଗୁଜବକୁ ଖଣ୍ଡନ କରିବା ସହ ପ୍ରମାଣ ସ୍ୱରୂପ ମ୍ୟାରେଜ୍ ସାର୍ଟିଫିକେଟ୍ ଦେଖାଇଛନ୍ତି। ଫରମାନ କହିଛନ୍ତି ଯେ, "ଅନେକ ସ୍ଥାନରେ ଖବର ପ୍ରସାରିତ ହେଉଛି ଯେ ମୋନାଲିସା ଜଣେ ଛୋଟ ପିଲା ଏବଂ ସେ ନାବାଳିକା। କିନ୍ତୁ ଏହା ସମ୍ପୂର୍ଣ୍ଣ ମିଥ୍ୟା। ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ ଯେ, ମୋନାଲିସା ସାବାଳିକା ଏବଂ ତାଙ୍କୁ ୧୮ ବର୍ଷରୁ ଅଧିକ ବୟସ ହୋଇଛି। ଆମର ମ୍ୟାରେଜ୍ ସାର୍ଟିଫିକେଟ୍ ଏବଂ ଆଧାର କାର୍ଡରେ ତାଙ୍କର ଜନ୍ମ ତାରିଖ ଉଲ୍ଲେଖ ରହିଛି, ଯାହା ଏହାର ସବୁଠାରୁ ବଡ଼ ପ୍ରମାଣ"।

ପୋଲିସ୍ ସୁରକ୍ଷା ବଳୟରେ କେରଳରେ ହୋଇଥିଲା ବିବାହ

ସୂଚନାଯୋଗ୍ୟ ଯେ, ମୋନାଲିସା ଏବଂ ଫରମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ମୋନାଲିସାଙ୍କ ପରିବାର ଲୋକେ ତୀବ୍ର ବିରୋଧ କରିଥିଲେ, କାରଣ ଫରମାନ ଜଣେ ମୁସଲମାନ ସମ୍ପ୍ରଦାୟର ଯୁବକ ଅଟନ୍ତି। ଏପରିକି ତାଙ୍କ ବାପା ତାଙ୍କୁ ଜୋରଜବରଦସ୍ତି ଅନ୍ୟତ୍ର ବିବାହ କରାଇବାକୁ ଚେଷ୍ଟା କରିଥିଲେ। ଏଥିରୁ ବର୍ତ୍ତିବା ପାଇଁ ଏହି ପ୍ରେମୀଯୁଗଳ କେରଳ ପଳାଇଥିଲେ ଏବଂ ସେଠାକାର ପୋଲିସର ସୁରକ୍ଷା ଲୋଡ଼ିଥିଲେ। ପୋଲିସ୍ ଉଭୟଙ୍କ ବୟସ ଯାଞ୍ଚ କରିବା ପରେ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେଇଥିଲା। ଏହାପରେ ସେମାନେ ପ୍ରଥମେ ସିଭିଲ୍ ମ୍ୟାରେଜ୍ କରିଥିଲେ ଏବଂ ପରେ ଥିରୁଭାନନ୍ତପୁରମର ଏକ ମନ୍ଦିରରେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

ବାଲ୍ୟ ବିବାହ ଗୁଜବର ଅନ୍ତ

ମନ୍ଦିରରେ ବିବାହ ପରେ ମୋନାଲିସାଙ୍କର ନାଲି ଶାଢ଼ି, ବେକରେ ବରମାଳା ଏବଂ ମଥାରେ ସିନ୍ଦୂର ଲଗାଇଥିବା ଫଟୋ ଇଣ୍ଟରନେଟରେ ଭାଇରାଲ୍ ହୋଇଥିଲା। ଏହି ଫଟୋ ସାମ୍ନାକୁ ଆସିବା ପରେ କିଛି ଲୋକ ତାଙ୍କ ବୟସକୁ ନେଇ ପ୍ରଶ୍ନ ଉଠାଇଥିଲେ ଏବଂ ସେ ନାବାଳିକା ବୋଲି ଦାବି କରିଥିଲେ। ତେବେ ପୋଲିସ୍ ଏବଂ ସ୍ୱାମୀ ଫରମାନଙ୍କ ଦ୍ୱାରା ଦିଆଯାଇଥିବା ଆଧାର କାର୍ଡ ଓ ମ୍ୟାରେଜ୍ ସାର୍ଟିଫିକେଟ୍ ପ୍ରମାଣ ପରେ ଏବେ ଏହି ସମସ୍ତ ବିବାଦର ଅନ୍ତ ଘଟିଛି।

About The Author: Suryakanta