କମଲ୍ ରସିଦ୍ ଖାନ୍ ଓରଫ୍ କେଆର୍କେ ବଲିଉଡ୍ର ଅନେକ ଫିଲ୍ମର ସମୀକ୍ଷା କରି ଚର୍ଚ୍ଚାରେ ରହିଛନ୍ତି । କେଆର୍କେ ତାଙ୍କ ଟ୍ବିଟ୍ ଜରିଆରେ ଅନେକ ସମୟରେ ଶାହାରୁଖ୍ ଖାନ୍, ସଲମାନ୍ ଖାନ୍, ଅମିତାଭ ବଚ୍ଚନ, ମିକା ସିଂହ ଭଳି ଅନେକ ବଲିଉଡ୍ ସେଲିବ୍ରିଟିଙ୍କୁ ଟାର୍ଗେଟ୍ କରିଛନ୍ତି। ଏବେ କେଆର୍କେଙ୍କ ଟାର୍ଗେଟ୍ରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ ରହିଛି। ‘ବ୍ରହ୍ମାସ୍ତ୍ର’ ବକ୍ସ ଅଫିସ୍ରେ ଭଲ ବ୍ୟବସାୟ କରୁଛି ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏହାର ବକ୍ସ ଅଫିସ୍ କଲେକ୍ସନ୍କୁ ନେଇ ସୋସିଆଲ ମିଡିଆ ୟୁଜର୍ସମାନେ ପ୍ରଶ୍ନ କରୁଥିବାର ଦେଖାଯାଉଛି। ସୋସାଲ ମିଡିଆରେ ଏବେ #ବ୍ରହ୍ମାସ୍ତ୍ର ବକ୍ସ ଅଫିସ୍ େଟ୍ରଣ୍ଡ୍ ହେଉଛି। ଯଦି ଥିଏଟର୍ ଖାଲି ପଡୁଛି ‘ବ୍ରହ୍ମାସ୍ତ୍ର’ର ଆୟ କେମିତି ହେଉଛି ବୋଲି ଅନେକ ପ୍ରଶ୍ନ ଉଠାଉଛନ୍ତି। କଙ୍ଗନା ରାନାୱତ୍, ବିବେକ ଅଗ୍ନିହୋତ୍ରୀଙ୍କ ସହିତ ଅନେକ ବଲିଉଡ୍ ସେଲିବ୍ରିଟି ‘ବ୍ରହ୍ମାସ୍ତ୍ର’ର ଆୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।
ଇତିମଧ୍ୟରେ କେଆର୍କେ ତାଙ୍କ ଟ୍ବିଟ୍ ଜରିଆରେ ‘ବ୍ରହ୍ମାସ୍ତ୍ର’କୁ ଟାର୍ଗେଟ୍ କରିଛନ୍ତି। ଟ୍ବିଟର୍ରେ କମାଲ୍ ଲେଖିଛନ୍ତି ଯେ- ‘ଥିଏଟର୍ ଖାଲି ପଡିଛି, ତଥାପି ‘ବ୍ରହ୍ମାସ୍ତ୍ର’ ବମ୍ପର୍ ବିଜିନେସ୍ କରୁଛି, ବୃହସ୍ପତି ଓ ମଙ୍ଗଳ ଗ୍ରହରୁ କ’ଣ ଏଲିଏନ୍ ପୃଥିବୀ ପୃଷ୍ଠକୁ ଆସି ଫିଲ୍ମ ଦେଖୁଛନ୍ତି। ଆଉ ଦୁର୍ଭାଗ୍ୟବଶତଃ ଲୋକେ ହଲ୍ରେ ବସିଥିବା ଏଲିଏନ୍ମାନଙ୍କୁ ଦେଖିପାରୁ ନାହାନ୍ତି।’ ଏହାପୂର୍ବରୁ ମଧ୍ୟ କେଆର୍କେ ଏହି ଫିଲ୍ମର ସମୀକ୍ଷାକୁ ନେଇ ଟ୍ବିଟ୍ କରିଥିଲେ। କେଆର୍କେ ଟ୍ବିଟ୍ କରିଥିଲେ ଯେ- ‘ମୁଁ ଏହି ଫିଲ୍ମର ସମୀକ୍ଷା କରିନାହିଁ। ତଥାପି ଲୋକେ ଫିଲ୍ମ ଦେଖିବାକୁ ଥିଏଟର୍ ଗଲେନାହିଁ। ଆଶା କରୁଛି କରନ୍ ଜୋହର୍ ଅନ୍ୟ ବଲିଉଡ୍ ସେଲିବ୍ରିଟିଙ୍କ ଭଳି ତାଙ୍କ ବିଫଳତା ପାଇଁ ମତେ ଦାୟୀ କରିବେ ନାହିଁ। ’ ଏଠାରେ ପ୍ରକାଶ ଥାଉ କି, ନିକଟରେ ସୋସାଲ ମିଡିଆରେ ‘ବ୍ରହ୍ମାସ୍ତ୍ର’ର ନିର୍ଦ୍ଦେଶକ ଅୟାନ୍ ମୁଖାର୍ଜୀ ଏହା ସାରାବିଶ୍ବରେ ୩୬୦ କୋଟି ଟଙ୍କା ଆୟ କରିଛି ବୋଲି କହିଥିଲେ।