ଅଜିତ କୁମାରଙ୍କ ୫୫ତମ ଜନ୍ମଦିନରେ ଉପହାର: ରେସିଂ ଡକ୍ୟୁମେଣ୍ଟାରୀ 'ଗ୍ଲାଡିଏଟର୍ସ'ର ଫାଷ୍ଟ ଲୁକ୍ ରିଲିଜ୍

ତାମିଲ ସୁପରଷ୍ଟାର ଅଜିତ କୁମାର (Ajith Kumar) ନିଜର ଚମତ୍କାର ଅଭିନୟ ସହିତ ମୋଟରସ୍ପୋର୍ଟସ୍ (Motorsports) ପ୍ରତି ଥିବା ଦୁର୍ବଳତା ପାଇଁ ମଧ୍ୟ ବେଶ୍ ଜଣାଶୁଣା। ତାଙ୍କର ୫୫ତମ ଜନ୍ମଦିନ (55th Birthday) ଅବସରରେ ପ୍ରଶଂସକଙ୍କୁ ଏକ ସ୍ୱତନ୍ତ୍ର ଭେଟି ମିଳିଛି। ଅଜିତଙ୍କ ବୃତ୍ତିଗତ ରେସିଂ କ୍ୟାରିୟର ଉପରେ ଆଧାରିତ ଏକ ନୂଆ ଡକ୍ୟୁମେଣ୍ଟାରୀ ଫିଲ୍ମ 'ଗ୍ଲାଡିଏଟର୍ସ' (Gladiators) ର ଫାଷ୍ଟ ଲୁକ୍ ବା ପ୍ରଥମ ଝଲକ ସାମ୍ନାକୁ ଆସିଛି। ଏହି ଡକ୍ୟୁମେଣ୍ଟାରୀ ମାଧ୍ୟମରେ ଅଜିତଙ୍କ ରେସିଂ ଦୁନିଆର ସଂଘର୍ଷ, ତାଲିମ ଏବଂ ସଫଳତାକୁ ପରଦା ଉପରକୁ ଅଣାଯିବ।

'ଗ୍ଲାଡିଏଟର୍ସ: ଇନ୍ ପରସୁଟ୍ ଅଫ୍ ଚାଲେଞ୍ଜେସ୍'

ଏହି ଡକ୍ୟୁମେଣ୍ଟାରୀର ପୂରା ନାମ ହେଉଛି 'ଗ୍ଲାଡିଏଟର୍ସ - ଇନ୍ ପରସୁଟ୍ ଅଫ୍ ଚାଲେଞ୍ଜେସ୍' (Gladiators - In Pursuit of Challenges)। ଏହାର ନିର୍ଦ୍ଦେଶନା ଭାର ଲୋକପ୍ରିୟ ନିର୍ଦ୍ଦେଶକ ଏ.ଏଲ୍. ବିଜୟ (AL Vijay) ଗ୍ରହଣ କରିଥିବା ବେଳେ ଏଥିରେ ସଙ୍ଗୀତ ଦେଇଛନ୍ତି ଜି.ଭି. ପ୍ରକାଶ କୁମାର (GV Prakash Kumar)। ଏହି ପ୍ରୋଜେକ୍ଟକୁ ଅଜିତ କୁମାର ସ୍ପୋର୍ଟସ୍ ସର୍ଭିସେସ୍ ଏଲଏଲସି (Ajith Kumar Sports Services LLC) ପକ୍ଷରୁ ପ୍ରସ୍ତୁତ କରାଯାଇଛି। ୫୦ ସେକେଣ୍ଡର ଏହି ଆନିମେଟେଡ୍ ଭିଡିଓରେ ଅଜିତଙ୍କୁ ରେସିଂ ଗିଅର୍ ଏବଂ ହେଲମେଟ୍ ଧରି ଟ୍ରାକ୍ ଆଡକୁ ଯାଉଥିବାର ଦେଖିବାକୁ ମିଳିଛି।

ସିନେମାଘରେ ରିଲିଜ୍ ହେବ ଡକ୍ୟୁମେଣ୍ଟାରୀ

ପ୍ରାୟ ୯୦ ମିନିଟ୍ ଅବଧିର ଏହି ଡକ୍ୟୁମେଣ୍ଟାରୀ ଫିଲ୍ମଟି ଓଟିଟି (OTT) ପରିବର୍ତ୍ତେ ସିଧାସଳଖ ସିନେମାଘରେ ରିଲିଜ୍ ହେବ ବୋଲି ନିର୍ମାତା ସ୍ପଷ୍ଟ କରିଛନ୍ତି। ଏଥିରେ ଏସିଆନ୍ ଲେ ମାନ୍ସ ସିରିଜ୍ (Asian Le Mans Series) ଏବଂ ଦୁବାଇ ୨୪ ଘଣ୍ଟିଆ ସିରିଜ୍ (Dubai 24H Series) ଭଳି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଜିତଙ୍କ ଅଂଶଗ୍ରହଣ ଏବଂ ତାଙ୍କ ରେସିଂ ଟିମର ପ୍ରସ୍ତୁତିକୁ ଦର୍ଶାଯିବ। ଭାରତରେ ମୋଟରସ୍ପୋର୍ଟସକୁ ଅଧିକ ଲୋକପ୍ରିୟ କରାଇବା ତଥା ଜଣେ ପେସାଦାର ରେସର୍ ଭାବରେ ନିଜର ପରିଚୟକୁ ସାମ୍ନାକୁ ଆଣିବା ଦିଗରେ ଏହା ଅଜିତଙ୍କର ଏକ ବଡ଼ ପ୍ରୟାସ ବୋଲି କୁହାଯାଉଛି। ଫିଲ୍ମର ରିଲିଜ୍ ତାରିଖ ଏଯାଏଁ ଘୋଷଣା ହୋଇନଥିଲେ ମଧ୍ୟ ଖୁବଶୀଘ୍ର ଏହା ପ୍ରେକ୍ଷାଳୟକୁ ଆସିବ |

About The Author: Suryakanta