ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ଙ୍କୁ ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ (କଳାଧନ ବୈଧ) ମାମଲାରେ ବଡ଼ ଝଟକା ଲାଗିଛି। ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ଏହି ମାମଲାରେ ସରକାରୀ ସାକ୍ଷୀ (ଆପ୍ରୁଭର୍) ହେବା ପାଇଁ ଜ୍ୟାକଲିନ୍ କରିଥିବା ଆବେଦନକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଡ଼ା ବିରୋଧ କରିଛି। ଇଡି ଦାବି କରିଛି ଯେ, ଅଭିନେତ୍ରୀ ଜଣକ ଏହି ମାମଲାରେ କେବଳ ଜଣେ ପୀଡ଼ିତା ନୁହଁନ୍ତି, ବରଂ ଜଣେ 'ସକ୍ରିୟ ଅଂଶଗ୍ରହଣକାରୀ' ଏବଂ ଅପରାଧରୁ ମିଳିଥିବା ଅର୍ଥର ବଡ଼ ଲାଭାର୍ଥୀ ଅଟନ୍ତି।
ଜାଣିଶୁଣି ଉପହାର ନେଇଥିଲେ ଜ୍ୟାକଲିନ୍
ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ନିଜର ଜବାବ ଦାଖଲ କରି ଇଡି କହିଛି ଯେ, ସୁକେଶର ଅପରାଧିକ ପୃଷ୍ଠଭୂମି ସମ୍ପର୍କରେ ଜାଣିବା ସତ୍ତ୍ୱେ ଜ୍ୟାକଲିନ୍ ତାଙ୍କ ସହ ନିୟମିତ ଯୋଗାଯୋଗରେ ଥିଲେ। ମୁଖ୍ୟ ଅଭିଯୁକ୍ତ ସୁକେଶଙ୍କଠାରୁ ସେ ଜାଣିଶୁଣି ବହୁ ମୂଲ୍ୟବାନ ଉପହାର ଏବଂ ଆର୍ଥିକ ସୁବିଧା ଗ୍ରହଣ କରିଥିଲେ। ତେଣୁ ସେ ନିଜକୁ ଜଣେ 'ଅଜ୍ଞାତ ପୀଡ଼ିତା' ବୋଲି ଦାବି କରିବା ସମ୍ପୂର୍ଣ୍ଣ ଭିତ୍ତିହୀନ ଅଟେ। ଇଡିର କହିବା ଅନୁଯାୟୀ, ଅଭିନେତ୍ରୀ ଜଣକ ମନି ଲଣ୍ଡରିଂ ପ୍ରକ୍ରିୟାରେ ସକ୍ରିୟ ଭାବେ ସାମିଲ ହୋଇଥିଲେ ଏବଂ ଅପରାଧିକ ଅର୍ଥର ଉତ୍ସକୁ ଅଣଦେଖା କରିଥିଲେ।
ସରକାରୀ ସାକ୍ଷୀ କଲେ ନ୍ୟାୟ ପ୍ରକ୍ରିୟା ବାଧାପ୍ରାପ୍ତ ହେବ
ଇଡି ପକ୍ଷରୁ କୋର୍ଟରେ କୁହାଯାଇଛି ଯେ, ଏହି ଗମ୍ଭୀର ଅପରାଧରେ ଜ୍ୟାକଲିନଙ୍କୁ ସରକାରୀ ସାକ୍ଷୀ ଭାବେ ଗ୍ରହଣ କଲେ ତାହା ନ୍ୟାୟ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବ ଏବଂ ଅପରାଧର ଗମ୍ଭୀରତାକୁ ହ୍ରାସ କରିବ। ଏହା ସହିତ ତଦନ୍ତ ସମୟରେ ଅଭିନେତ୍ରୀ ଜଣକ ସମ୍ପୂର୍ଣ୍ଣ ସହଯୋଗ କରିନଥିଲେ ଏବଂ ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅଧୀନରେ ରେକର୍ଡ କରାଯାଇଥିବା ବୟାନରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୁଚାଇଥିଲେ ବୋଲି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଅଭିଯୋଗ କରିଛି।
ମେ' ୧୨ ରେ ପରବର୍ତ୍ତୀ ଶୁଣାଣି
ପଟିଆଲା ହାଉସ୍ କୋର୍ଟର ଅତିରିକ୍ତ ଦୌରା ଜଜ୍ ପ୍ରଶାନ୍ତ ଶର୍ମା ଏହି ମାମଲାର ଶୁଣାଣି କରି ଇଡିର ଆପତ୍ତି ଉପରେ ଜବାବ ରଖିବାକୁ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ଙ୍କ ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ' ୧୨ ତାରିଖରେ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ ଯେ, ଗତ ମାସରେ ଜ୍ୟାକଲିନ୍ ଏହି ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ସରକାରୀ ସାକ୍ଷୀ ହେବା ପାଇଁ କୋର୍ଟରେ ଆବେଦନ କରିଥିଲେ।