ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦିୟା ମିର୍ଜା (Dia Mirza) ନିକଟରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରଚଳିତ ସୌନ୍ଦର୍ଯ୍ୟର ମାନଦଣ୍ଡ ଏବଂ କସ୍ମେଟିକ୍ ସର୍ଜରୀକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିବା ସମୟରେ ତାଙ୍କୁ ନିଜ ଶରୀରରେ ପରିବର୍ତ୍ତନ ଆଣିବା ପାଇଁ ଅନେକ ପୁରୁଷ ଅଦରକାରୀ ପରାମର୍ଶ ଦେଉଥିଲେ। 'ଶି ଦ ପିପୁଲ' (SheThePeople) ର 'ଦି ଶୈଳୀ ଚୋପ୍ରା ଶୋ' (The Shaili Chopra Show) ରେ ଯୋଗ ଦେଇ ସେ ନିଜର ଏହି ତିକ୍ତ ଅନୁଭୂତି ବାଣ୍ଟିଛନ୍ତି।
ଅଦରକାରୀ ପରାମର୍ଶ ଏବଂ କସ୍ମେଟିକ୍ ସର୍ଜରୀର ଚାପ
ଦିୟା ମିର୍ଜା ପ୍ରକାଶ କରିଛନ୍ତି ଯେ, କମ୍ ବୟସରେ ଯେତେବେଳେ ସେ ଇଣ୍ଡଷ୍ଟ୍ରିରେ ପ୍ରବେଶ କଲେ, ସେତେବେଳେ ତାଙ୍କୁ ଓଠ ଏବଂ ବ୍ରେଷ୍ଟ ସର୍ଜରୀ (Lip and breast enhancement) କରିବାକୁ କୁହାଯାଇଥିଲା। ସେ କହିଛନ୍ତି, "ମୋତେ ମୋ ଶରୀରରେ କଣ ପରିବର୍ତ୍ତନ କରିବା ଉଚିତ୍, ସେ ବିଷୟରେ ଅନେକ ଥର ପରାମର୍ଶ ଦିଆଯାଇଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ସବୁ ପରାମର୍ଶ କେବଳ ପୁରୁଷମାନେ ହିଁ ଦେଇଥିଲେ। ମୋତେ କେବେ କୌଣସି ମହିଳା ଆସି କହିନାହାଁନ୍ତି ଯେ ମୋର ଓଠ ପତଳା ଅଛି ବା ବ୍ରେଷ୍ଟ ସାଇଜ୍ ଛୋଟ ଅଛି।
ପୁରୁଷ-ନିୟନ୍ତ୍ରିତ ଇଣ୍ଡଷ୍ଟ୍ରି ଉପରେ କ୍ଷୋଭ
ଆଜିକାଲି କମ୍ ବୟସର ଝିଅମାନେ କସ୍ମେଟିକ୍ ସର୍ଜରୀ ପ୍ରତି ଆକର୍ଷିତ ହେଉଥିବା ଦେଖି ଦିୟା ଚିନ୍ତା ପ୍ରକଟ କରିଛନ୍ତି। ତାଙ୍କ ମତରେ ଏହି ମନୋରଞ୍ଜନ ଶିଳ୍ପ ମୁଖ୍ୟତଃ ପୁରୁଷମାନଙ୍କ ଦ୍ୱାରା ପରିଚାଳିତ ହେଉଛି। ଦିୟା କହିଛନ୍ତି, "ଯଦି ମହିଳାମାନେ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପ୍ରତ୍ୟାଖ୍ୟାନ କରି ସର୍ଜରୀ ମାଧ୍ୟମରେ ନିଜକୁ ଆହୁରି ସୁନ୍ଦର କରିବାକୁ ଚେଷ୍ଟା କରୁଛନ୍ତି, ତେବେ ସେମାନେ ଏକ ବିପଜ୍ଜନକ ଜାଲରେ ଫସି ଯାଉଛନ୍ତି। ଏହା ମହିଳାମାନଙ୍କୁ ସେମାନଙ୍କ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପରେ ସନ୍ଦେହ କରିବାକୁ ବାଧ୍ୟ କରୁଛି।
୨୦ ବର୍ଷରୁ କମ୍ ବୟସରେ ମିଳିଥିଲା ଏଭଳି ପରାମର୍ଶ
ଅଭିନେତ୍ରୀ ଜଣକ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ତାଙ୍କୁ ଏହି ସବୁ ପରାମର୍ଶ ଦିଆଯାଉଥିଲା, ସେତେବେଳେ ତାଙ୍କ ବୟସ ୨୦ ବର୍ଷ ରୁ ମଧ୍ୟ କମ୍ ଥିଲା ଏବଂ ସେ ଦୁଇଟି ଆନ୍ତର୍ଜାତୀୟ ବିଉଟି ଟାଇଟଲ୍ (International Beauty Titles) ଜିତି ସାରିଥିଲେ। ଏତେ କମ୍ ବୟସରେ ନିର୍ଦ୍ଦେଶକ, ନିର୍ମାତା ଏବଂ ନିଜକୁ ବିଶେଷଜ୍ଞ ମାନୁଥିବା ପୁରୁଷମାନଙ୍କ ଠାରୁ ଏଭଳି କଥା ଶୁଣିବା ତାଙ୍କ ପାଇଁ ଅତ୍ୟନ୍ତ ଅସ୍ୱାଭାବିକ ଥିଲା। ଏହି ଘଟଣା ବଲିଉଡରେ ମହିଳାମାନଙ୍କ ଉପରେ ଥିବା ଚାପ ଏବଂ ସୌନ୍ଦର୍ଯ୍ୟର ଅବାସ୍ତବ ମାନଦଣ୍ଡକୁ ପଦାରେ ପକାଇଛି।