Arijit Singh: ପ୍ଲେବ୍ୟାକ୍ ସିଙ୍ଗିଂ ଛାଡ଼ିବେ ଅରିଜିତ୍ ସିଂହ, ସୋସିଆଲ ମିଡିଆରେ କଲେ ଭାବବିହ୍ୱଳ ପୋଷ୍ଟ

ବଲିଉଡର ଲୋକପ୍ରିୟ ଗାୟକ ଅରିଜିତ୍ ସିଂହ ନିଜର କୋଟି କୋଟି ପ୍ରଶଂସକଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ସେ ଘୋଷଣା କରିଛନ୍ତି ଯେ ସେ ଆଉ ପ୍ଲେବ୍ୟାକ୍ ଗାୟକ ଭାବରେ କାମ କରିବେ ନାହିଁ। ମଙ୍ଗଳବାର ଦିନ ଇନଷ୍ଟାଗ୍ରାମରେ ଏକ ଭାବବିହ୍ୱଳ ପୋଷ୍ଟ ମାଧ୍ୟମରେ ସେ ଏହି ସୂଚନା ଦେଇଛନ୍ତି, ଯାହା ଶୁଣି ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି।

ନିଜର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ନୋଟ୍ ସେୟାର କରି ଅରିଜିତ୍ ଲେଖିଛନ୍ତି, "ମୁଁ ଆପଣ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହେଁ ଯେ ଆପଣମାନେ ଏତେ ବର୍ଷ ଧରି ମୋତେ ଭଲପାଇବା ଦେଇଛନ୍ତି। ମୁଁ ଘୋଷଣା କରୁଛି ଯେ ଏବେଠାରୁ ମୁଁ ପ୍ଲେବ୍ୟାକ୍ ଗାୟକ ଭାବରେ କୌଣସି ନୂଆ କାମ ହାତକୁ ନେବି ନାହିଁ। ଏହା ଏକ ଚମତ୍କାର ଯାତ୍ରା ଥିଲା।"

ତେବେ ଆଶ୍ୱସ୍ତିର କଥା ହେଉଛି ଯେ ଅରିଜିତ୍ ସଙ୍ଗୀତ ଦୁନିଆରୁ ସମ୍ପୂର୍ଣ୍ଣ ବିଦାୟ ନେଉନାହାନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ସେ ସ୍ୱାଧୀନ ଭାବରେ ସଙ୍ଗୀତ ସାଧନା ଜାରି ରଖିବେ। ସେ କହିଛନ୍ତି, "ମୁଁ କେବଳ ପ୍ଲେବ୍ୟାକ୍ ସିଙ୍ଗିଂ ଛାଡୁଛି, କିନ୍ତୁ ସଙ୍ଗୀତ ତିଆରି କରିବା ବନ୍ଦ କରିବି ନାହିଁ। ଜଣେ ଛୋଟ କଳାକାର ଭାବରେ ମୁଁ ନିଜେ କିଛି ନୂଆ ଶିଖିବାକୁ ଏବଂ କରିବାକୁ ଚାହେଁ।" ଏହା ସହିତ ସେ ଜଣାଇଛନ୍ତି ଯେ ତାଙ୍କର କିଛି ପୁରୁଣା କମିଟମେଣ୍ଟ ବାକି ଅଛି, ଯାହାକୁ ସେ ଶେଷ କରିବେ। ତେଣୁ ଚଳିତ ବର୍ଷ ତାଙ୍କର କିଛି ନୂଆ ଗୀତ ରିଲିଜ୍ ହୋଇପାରେ।

'ତୁମ୍ ହି ହୋ', 'କେସରିୟା' ଏବଂ 'ଚନ୍ନା ମେରେୟା' ପରି ଅନେକ ସୁପରହିଟ୍ ଗୀତ ଗାଇଥିବା ଅରିଜିତଙ୍କ ଏହି ନିଷ୍ପତ୍ତି ଇଣ୍ଡଷ୍ଟ୍ରି ପାଇଁ ଏକ ବଡ଼ କ୍ଷତି। ୨୦୧୩ ମସିହାରେ 'ଆଶିକି-୨' ଚଳଚ୍ଚିତ୍ରରୁ ସେ ଯେଉଁ ସଫଳତା ପାଇଥିଲେ, ତାହା ତାଙ୍କୁ ଦେଶର ଏକ ନମ୍ବର ଗାୟକର ମାନ୍ୟତା ଦେଇଥିଲା। ତାଙ୍କର ଏହି ଘୋଷଣା ପରେ ସୋସିଆଲ ମିଡିଆରେ ପ୍ରଶଂସକମାନେ ଦୁଃଖ ପ୍ରକାଶ କରିବା ସହ ତାଙ୍କୁ ନିଷ୍ପତ୍ତି ବଦଳାଇବାକୁ ଅନୁରୋଧ କରୁଛନ୍ତି।

About The Author: Sakala Desk