ଅମିତାଭ ବଚ୍ଚନଙ୍କ ରହସ୍ୟମୟ ପୋଷ୍ଟକୁ ନେଇ ବଢିଲା ପ୍ରଶଂସକଙ୍କ ଚିନ୍ତା: ଅସ୍ତ୍ରୋପଚାର ଏବଂ ଆଇସିୟୁ ନେଇ ଦେଲେ ସୂଚନା

ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆ ଏବଂ ନିଜ ବ୍ଲଗ୍ ମାଧ୍ୟମରେ ସର୍ବଦା ନିଜ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିଥାନ୍ତି। କିନ୍ତୁ ନିକଟରେ ତାଙ୍କର ଏକ ରହସ୍ୟମୟ ବ୍ଲଗ୍ ପୋଷ୍ଟ ପ୍ରଶଂସକଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହି ପୋଷ୍ଟରେ ସେ ଡାକ୍ତରଖାନାରେ ଭର୍ତ୍ତି ହେବା, ଅସ୍ତ୍ରୋପଚାର ଏବଂ ଆଇସିୟୁ (ICU) ରହଣି ବିଷୟରେ ଉଲ୍ଲେଖ କରିଛନ୍ତି। ଏହାସହ ସେ ଘରକୁ ଫେରିବା ସମୟକୁ ସବୁଠାରୁ କଷ୍ଟକର ପର୍ଯ୍ୟାୟ ବୋଲି ବର୍ଣ୍ଣନା କରିଛନ୍ତି, ଯାହା ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି।

ବ୍ଲଗ୍‌ରେ କ'ଣ ଲେଖିଛନ୍ତି ବିଗ୍ ବି?

ସୋମବାର ଦିନ ନିଜ ବ୍ୟକ୍ତିଗତ ବ୍ଲଗ୍‌ରେ ବିଗ୍ ବି ଲେଖିଛନ୍ତି, ".. ଡାକ୍ତରଖାନାରେ ଏକ ଅସ୍ତ୍ରୋପଚାର ଏବଂ ଆଇସିୟୁରେ, ଦକ୍ଷ ଡାକ୍ତର ତଥା ମେଡିକାଲ୍ ଷ୍ଟାଫ୍‌ଙ୍କ ଯତ୍ନରେ.. ଡିସଚାର୍ଜ.. ଏବଂ ଘରକୁ ଫେରିବା .."। ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ଆସୁଥିବା ଆହ୍ୱାନଗୁଡିକ ବିଷୟରେ ସେ ଆହୁରି ଲେଖିଛନ୍ତି ଯେ, "ଘରକୁ ଫେରିବା ପରର ଏହି ସମୟ ଶାରୀରିକ, ମାନସିକ ଏବଂ ବ୍ୟବହାରିକ ଭାବରେ ସବୁଠାରୁ କଷ୍ଟକର ପର୍ଯ୍ୟାୟ ଅଟେ। ଆପଣ ଜଣେ ସମ୍ମାନିତ ବିଜେତା ହୋଇପାରନ୍ତି ଏବଂ ଦିନେ ପରାଜୟ ଆପଣଙ୍କୁ ଚାହିଁ ରହିଥାଏ.. ଏହା ଆପଣଙ୍କ ଜୀବନର ସବୁଠାରୁ କଠିନ ସମୟ"।

ଦାର୍ଶନିକ ଅନ୍ଦାଜରେ ଦେଲେ ବାର୍ତ୍ତା

ଏହି ପୋଷ୍ଟର ଶେଷରେ ଏକ ଦାର୍ଶନିକ ବାର୍ତ୍ତା ଦେଇ ଅମିତାଭ ବଚ୍ଚନ ଲେଖିଛନ୍ତି, "କେହି କେହି ଏହାକୁ ସାହସର ସହ ସାମ୍ନା କରନ୍ତି.. କେହି କେହି ହାରିଯାଆନ୍ତି.. ଯେଉଁମାନେ ସଂଘର୍ଷ କରନ୍ତି ଏବଂ ସାହସୀ ହୁଅନ୍ତି ସେମାନେ ସର୍ବଦା ବିଜେତା ହୋଇ ରୁହନ୍ତି... ଆଉ ଯେଉଁମାନେ ତାହା କରନ୍ତି ନାହିଁ, ସେମାନେ ପୁରୁଣା ଗୌରବରେ ବଞ୍ଚିବାକୁ ଆପଣେଇ ନିଅନ୍ତି। ଏହା ପ୍ରତ୍ୟେକ ବ୍ୟକ୍ତିଙ୍କ ନିଜସ୍ୱ ପସନ୍ଦ। ଏଥିରେ କିଛି ଭୁଲ୍ ନାହିଁ। ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ"।

ପ୍ରଶଂସକଙ୍କ ମଧ୍ୟରେ ଉଦ୍‌ବେଗ

ଏହି ବ୍ଲଗ୍ ପୋଷ୍ଟ ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ନେଟ୍‌ଦୁନିଆରେ ନିଜର ପ୍ରତିକ୍ରିୟା ପ୍ରକାଶ କରିବା ସହ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, "ପ୍ରିୟ ଅମିତ ଜୀ, ଆଶା କରୁଛୁ ଆପଣ ନିଜ ସ୍ୱାସ୍ଥ୍ୟ ବିଷୟରେ ଏପରି କହୁନାହାଁନ୍ତି! ଆଶା କରୁଛୁ ଆପଣ ଡାକ୍ତରଖାନା କିମ୍ବା ଆଇସିୟୁରେ ନଥିଲେ! ଆପଣ ଯାହାଙ୍କ ବିଷୟରେ ବି ପୋଷ୍ଟ କରିଛନ୍ତି ଆମେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛୁ"। ସେହିପରି ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, "ଆପଣ କାହା ବିଷୟରେ କହୁଛନ୍ତି ଅମିତାଭ ଜୀ? ମୁଁ ବହୁତ ଚିନ୍ତିତ"। ଏହି ରହସ୍ୟମୟ ପୋଷ୍ଟଟି ପ୍ରକୃତରେ ତାଙ୍କ ନିଜ ସ୍ୱାସ୍ଥ୍ୟାବସ୍ଥା ନେଇ ନା ଅନ୍ୟ କାହା ପାଇଁ ଉଦ୍ଦିଷ୍ଟ, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ।

About The Author: Suryakanta