ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗଠାରୁ ବଲିଉଡ ଅଭିନେତା ଆମୀର ଖାନଙ୍କୁ ହତ୍ୟା ଧମକ, ତଦନ୍ତ ଆରମ୍ଭ କଲା ମୁମ୍ବାଇ ପୋଲିସ

ସଲମାନ ଖାନଙ୍କ ପରେ ଏବେ ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ (Aamir Khan) ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି। ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ସହଯୋଗୀଙ୍କ ପକ୍ଷରୁ ଆମୀର ଖାନଙ୍କୁ ହତ୍ୟା ଧମକ ଦିଆଯାଇଥିବା ନେଇ ଖବର ସାମ୍ନାକୁ ଆସିଛି। ଏହି ଧମକ ଏକ ସୋସିଆଲ ମିଡିଆ ପୋଷ୍ଟ ଏବଂ ଭଏସ୍ ନୋଟ୍ ମାଧ୍ୟମରେ ଦିଆଯାଇଛି। ଘଟଣାକୁ ଗମ୍ଭୀରତାର ସହ ନେଇ ମୁମ୍ବାଇ ପୋଲିସ ଏହାର ତଦନ୍ତ ଏବଂ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଦେଇଛି।

ସୋସିଆଲ ମିଡିଆରେ ମିଳିଲା ଧମକ

ରିପୋର୍ଟ ଅନୁଯାୟୀ, ଆର୍ଜୁ ବିଷ୍ଣୋଇ ଏବଂ ଟାଇସନ୍ ବିଷ୍ଣୋଇ ନାମକ ଦୁଇ ବ୍ୟକ୍ତି ସୋସିଆଲ ମିଡିଆରେ ଏହି ପୋଷ୍ଟ କରିଛନ୍ତି, ଯେଉଁମାନେ ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ଦାବି କରିଛନ୍ତି। ଏହି ପୋଷ୍ଟରେ ଅଭିନେତାଙ୍କୁ ସିଧାସଳଖ ଚେତାବନୀ ଦିଆଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଆମୀର ଖାନ କିମ୍ବା ତାଙ୍କ ଟିମ୍ ପକ୍ଷରୁ ପୋଲିସରେ କୌଣସି ଆନୁଷ୍ଠାନିକ ଅଭିଯୋଗ କରାଯାଇ ନାହିଁ।

ଧମକ ପଛର କାରଣ

ଗ୍ୟାଙ୍ଗର ସଦସ୍ୟମାନେ ପୋଷ୍ଟରେ ଅଭିଯୋଗ କରିଛନ୍ତି ଯେ ଆମୀର ଖାନ ତାଙ୍କର ତୃତୀୟ ବିବାହ ମାଧ୍ୟମରେ 'ଲଭ୍ ଜିହାଦ'କୁ ପ୍ରୋତ୍ସାହିତ କରୁଛନ୍ତି ଏବଂ ସନାତନ ଧର୍ମକୁ ଅପମାନିତ କରୁଛନ୍ତି। ଧମକପୂର୍ଣ୍ଣ ବାର୍ତ୍ତାରେ ଲେଖାଯାଇଛି ଯେ, ଯେଉଁମାନେ ଷ୍ଟାରଡମ୍ ନାମରେ ଏଭଳି ଘୃଣ୍ୟ କାର୍ଯ୍ୟକୁ ପ୍ରୋତ୍ସାହିତ କରିବେ, ସେମାନଙ୍କୁ ଉଚିତ ଶାସ୍ତି ଦିଆଯିବ। ଏହା ସହିତ ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ଗତ ମାସରେ ଘଟିଥିବା ଏକ ୧୩ ବର୍ଷୀୟା ନାବାଳିକାର ଯୌନ ନିର୍ଯାତନା ଘଟଣାକୁ ମଧ୍ୟ ଉଲ୍ଲେଖ କରାଯାଇଛି। ଏହି ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦେଉଥିବା ରାଜନେତାମାନଙ୍କୁ ମଧ୍ୟ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଗ୍ୟାଙ୍ଗ ଚେତାବନୀ ଦେଇଛି। ଏଥିସହ ପୋଲିସ ଏନକାଉଣ୍ଟରରେ ନିହତ ହୋଇଥିବା ପରବେଶ ଓ ହିମାଂଶୁ ନାମକ ଦୁଇ ସଦସ୍ୟଙ୍କୁ ମଧ୍ୟ ପୋଷ୍ଟ ଜରିଆରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

ପୋଲିସର ତଦନ୍ତ ଜାରି

ବର୍ତ୍ତମାନ ମୁମ୍ବାଇ ପୋଲିସ ସାଇବର ସେଲ୍ ସହାୟତାରେ ଭାଇରାଲ ହେଉଥିବା ଏହି ସୋସିଆଲ ମିଡିଆ ପୋଷ୍ଟ ଏବଂ ଭଏସ୍ ନୋଟର ସତ୍ୟତା ଯାଞ୍ଚ କରୁଛି। ସଲମାନ ଖାନଙ୍କୁ ମିଳିଥିବା କ୍ରମାଗତ ଧମକ ପରେ ଏବେ ଆମୀର ଖାନଙ୍କୁ ଏଭଳି ଧମକ ବଲିଉଡରେ ଆତଙ୍କ ଖେଳାଇ ଦେଇଛି। ସୁରକ୍ଷା ଦୃଷ୍ଟିକୋଣରୁ ପୋଲିସ ପ୍ରତିଟି ଦିଗକୁ ଟିକନିଖି ଭାବେ ତଦନ୍ତ କରୁଛି।

About The Author: Suryakanta