ଭାବି ସ୍ତ୍ରୀକୁ ଉପହାର ଦେବାକୁ ଲୁଟ୍‌‌ କରୁଥିଲା ଯୁବକ, ବାନ୍ଧିଲା ପୋଲିସ

ଭୁବନେଶ୍ୱର: ପୁଲିସ ରେକର୍ଡରେ ଜଣେ ଅଭ୍ୟାସଗତ ଅପରାଧୀ ନିଜ ଭାବି ସ୍ତ୍ରୀଙ୍କୁ ସୁନା ହାର ଉପହାର ଦେବାକୁ ମନକଲେ। ହେଲେ ପାଖରେ ଟଙ୍କା ନଥିବାରୁ ଚୋରି କରି ଉପହାର ଦେବାକୁ ସାଙ୍ଗମାନଙ୍କ ସହ ଯୋଜନା କଲେ। ହେଲେ ଶେଷରେ ପୁଲିସ ହାତରେ ଧରାପଡ଼ି ଜଣେ ସାଙ୍ଗ ଏବଂ ସେ ଜେଲ ଗଲେ। ଭାବି ସ୍ତ୍ରୀଙ୍କୁ ଉପହାର ଦେବାକୁ ଯୋଜନା ତାଙ୍କୁ ବଡ଼ ମହଙ୍ଗା ପଡ଼ିଛି। ଚୋରି ଅଭିଯୋଗରେ ଗିରଫ ଅଭିଯୁକ୍ତମାନେ ହେଲେ ରାକେଶ ନାୟକ ଓ ତା ସହଯୋଗୀ ଦେବବ୍ରତ ବରାଳ।

ପୁଲିସ ସୂଚନା ମୁତାବକ, ଗତ ୪ତାରିଖ ସନ୍ଧ୍ୟା ୭.୩୦ ରୁ ୮.୩୦ ମଧ୍ୟରେ ଅଭିଯୋଗକାରିଣୀ ନିଜ ଅଫିସରୁ ଫେରୁଥିବା ବେଳେ ରାଧାବଲ୍ଲଭ ମଠ ନିକଟରେ ତିନି ଜଣ ଅଜ୍ଞାତ ଦୁର୍ବୃତ୍ତ ଏକ ବ୍ଲୁ-ବ୍ଲାକ୍‌‌ ପଲସର ବାଇକରେ ଆସି ତାଙ୍କ ହାତରୁ ଏକ ପୋକୋ ମୋବାଇଲ୍‌‌ ଫୋନ୍‌‌ ଝାମ୍ପି ନେଇ ରବି ଟକିଜ୍‌‌ ଛକ ଆଡ଼କୁ ଫେରାର ହୋଇଯାଇଥିଲେ। ବିଶ୍ୱସ୍ତ ସୂଚନା ଏବଂ ସିସିଟିଭି ଫୁଟେଜ୍‌‌ ଆଧାରରେ ପୁଲିସ ରାକେଶ ନାୟକକୁ ଗୌତମ ନଗର ଅଞ୍ଚଳରୁ କାବୁ କରିଥିଲା। ପଚରାଉଚରା ବେଳେ ସେ ସ୍ୱୀକାର କରିଥିଲା ଯେ, ଖୁବଶୀଘ୍ର ତା’ର ବିବାହ ହେବାକୁ ଯାଉଛି। ନିଜ ଭାବୀ ପତ୍ନୀଙ୍କୁ ଉପହାର ଦେବା ପାଇଁ ଟଙ୍କା ନଥିବାରୁ ସେ ତା’ର ଅନ୍ୟ ଦୁଇ ସାଙ୍ଗ ଦେବବ୍ରତ ଓ ସିଟୁଙ୍କ ସହ ମିଶି ଏହି ଲୁଟ୍‌‌ ଯୋଜନା କରିଥିଲା। 

ରାକେଶର ସୂଚନା କ୍ରମେ ପୋଲିସ କ୍ୟାପିଟାଲ୍‌‌ ହସ୍ପିଟାଲ୍‌‌ ମାର୍କେଟ୍‌‌ କମ୍ପେ୍ଲକ୍ସରୁ ତା’ର ସହଯୋଗୀ ଦେବବ୍ରତ ବରାଳକୁ କାବୁ କରିଥିଲା ଏବଂ ତା’ ନିକଟରୁ ଲୁଟ୍‌‌ ହୋଇଥିବା ମୋବାଇଲ୍‌‌ ଫୋନ୍‌‌ ଉଦ୍ଧାର କରି ଜବତ କରିଛି। ଏଥିସହ ଅପରାଧରେ ବ୍ୟବହୃତ ପଲସର ବାଇକକୁ ମଧ୍ୟ ଜବତ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ରାକେଶ ଜଣେ ଅଭ୍ୟାସଗତ ଅପରାଧୀ ହୋଇଥିବା ବେଳେ ତା’ ନାମରେ ପୂର୍ବରୁ ୨ଟି ମାମଲା ରହିଛି। ସଂଗୃହୀତ ପ୍ରମାଣ ଆଧାରରେ ଗତକାଲି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି ଏବଂ ଫେରାର ଥିବା ତୃତୀୟ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସର ଚଢ଼ାଉ ଜାରି ରହିଛି।

About The Author: Madhusudan Das