ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଏକ ଅତି ଅମାନବୀୟ ତଥା ବର୍ବରୋଚିତ ଘଟଣା ସାମ୍ନାକୁ ଆସିଛି। ଜଣେ ୨୫ ବର୍ଷୀୟ ଆଦିବାସୀ ଯୁବକଙ୍କୁ ଅପହରଣ କରାଯିବା ପରେ ତାଙ୍କୁ ଗଛରେ ଓଲଟା ଟାଙ୍ଗି ନିର୍ଦ୍ଦୟ ଭାବେ ପିଟିଛନ୍ତି ଜଣେ ଇଟାଭାଟି ମାଲିକ। ଏପରିକି ଯୁବକଙ୍କ କ୍ଷତ ସ୍ଥାନରେ ଲଙ୍କାଗୁଣ୍ଡ ଲଗାଇଦେବା ଭଳି ସାଂଘାତିକ ଅଭିଯୋଗ ହୋଇଛି। ପୀଡ଼ିତଙ୍କ ବଡ଼ ଭାଇ ନେଇଥିବା ୫୦,୦୦୦ ଟଙ୍କା ଉଧାରକୁ କେନ୍ଦ୍ର କରି ଏହି ଜଘନ୍ୟ କାଣ୍ଡ ଘଟିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।
ଟଙ୍କା ଉଧାର ନେଇ ଫେରାର ଥିଲା ଭାଇ
ପୋଲିସର ସୂଚନାନୁସାରେ, ପୀଡ଼ିତ ଯୁବକ ଜଣକ ହେଉଛନ୍ତି ପାଲଘର ଅଞ୍ଚଳର ବାସିନ୍ଦା ସୁଭାଷ ଶିନୱାର ଭୋଇର (୨୫)। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଭିୱଣ୍ଡି ଅଞ୍ଚଳର ଇଟାଭାଟି ମାଲିକ ନନ୍ଦୁ ଦେଓଲିକର ଏବଂ ତାଙ୍କର ଜଣେ ସହଯୋଗୀ। ଅଭିଯୋଗ ଅନୁଯାୟୀ, ଗତ ବୁଧବାର ଦିନ ଅଭିଯୁକ୍ତମାନେ ସୁଭାଷଙ୍କୁ ତାଙ୍କ ବଡ଼ ଭାଇଙ୍କୁ ଖୋଜିବା ବାହାନାରେ ଜୋରଜବରଦସ୍ତି ଏକ ଚାରିଚକିଆ ଯାନରେ ଉଠାଇ ନେଇଥିଲେ। ସୁଭାଷଙ୍କ ବଡ଼ ଭାଇ ଇଟାଭାଟି ମାଲିକଙ୍କଠାରୁ ୫୦ ହଜାର ଟଙ୍କା ଉଧାର ନେଇ ଫେରାର ଥିଲେ। ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ ବଡ଼ ଭାଇଙ୍କର କୌଣସି ପତ୍ତା ନ ମିଳିବାରୁ ସେମାନେ ସୁଭାଷଙ୍କୁ ଭିୱଣ୍ଡିର ପାୟେ ଅଞ୍ଚଳରେ ଥିବା ନିଜ ଇଟାଭାଟିକୁ ନେଇଯାଇଥିଲେ।
ଗଛରେ ଓଲଟା ଟାଙ୍ଗି କଲେ ନିର୍ମମ ମାଡ଼
ସେଠାରେ ପହଞ୍ଚିବା ପରେ ଅଭିଯୁକ୍ତମାନେ କ୍ରୂରତାର ସମସ୍ତ ସୀମା ପାର କରିଥିଲେ। ସେମାନେ ଯୁବକଙ୍କ ହାତ ଓ ଗୋଡ଼କୁ ରଶିରେ ବାନ୍ଧି ଏକ ଗଛରେ ଓଲଟା ଟାଙ୍ଗି ଦେଇଥିଲେ। ଏହାପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ତାଙ୍କୁ ବେଧଡ଼କ ପିଟିଥିଲେ। ଏତିକିରେ ସେମାନଙ୍କ ରାଗ ଶାନ୍ତ ହୋଇନଥିଲା, ସେମାନେ ସୁଭାଷଙ୍କ କ୍ଷତ ସ୍ଥାନରେ ଲଙ୍କାଗୁଣ୍ଡ ଭର୍ତ୍ତି କରିଦେଇଥିଲେ। ଯନ୍ତ୍ରଣାରେ ଛଟପଟ ହୋଇ ଯୁବକ ଜଣକ ଚିତ୍କାର କରିଥିଲେ ମଧ୍ୟ କେହି ତାଙ୍କୁ ବଞ୍ଚାଇବାକୁ ଆସିନଥିଲେ।
ପୋଲିସରେ ମାମଲା ରୁଜୁ
ଅଭିଯୁକ୍ତମାନେ ଯୁବକଙ୍କୁ ରାତିସାରା ବନ୍ଦୀ କରି ରଖିଥିଲେ। ତେବେ କୌଣସି ମତେ ସୁଯୋଗ ପାଇ ସୁଭାଷ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ସେ ସେଠାରୁ ବାହାରି ନାଗାଭେ ଅଞ୍ଚଳରେ ପହଞ୍ଚିବା ପରେ ପୋଲିସକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ପୀଡ଼ିତଙ୍କ ଅଭିଯୋଗ ଭିତ୍ତିରେ ପୋଲିସ ନନ୍ଦୁ ଦେଓଲିକର ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ଅପହରଣ, ବେଆଇନ ଆଟକ, ଏବଂ ମାରଣାସ୍ତ୍ରରେ ଆକ୍ରମଣ କରିବା ଆଦି ଅଭିଯୋଗରେ ଭାରତୀୟ ନ୍ୟାୟ ସଂହିତା (BNS)ର ବିଭିନ୍ନ ସଙ୍ଗିନ ଦଫାରେ ମାମଲା ରୁଜୁ କରିଛି। ଫେରାର ଥିବା ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।