ନୂଆଦିଲ୍ଲୀ: ପ୍ରଯୁକ୍ତିବିଦ୍ୟା ଏବଂ ଜ୍ଞାନକୌଶଳ ଯେତେ ଉନ୍ନତ ହୋଇ ଚାଲିଛି ଲୁଟ୍ ମଧ୍ୟ ସେହଭଳି ଭାବେ ବଢ଼ି ଚାଲିଛି। ଭାରତରେ ଅନ୍ଲାଇନ ସ୍କାମ ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତ୍ୟେକ ଦିନ ଅନେକ ବ୍ୟକ୍ତି ସ୍କାମର୍ସଙ୍କ ଜାଲରେ ଫସି ଲୁଟ୍ର ଶିକାର ହେଉଛନ୍ତି। ଲୋକଙ୍କ ସାରା ଜୀବନର ଆୟକୁ ଏମାନେ ଲୁଟି ନେଇ ସର୍ବସ୍ବାନ୍ତ କରିଦେଉଛନ୍ତି। ୨୦୨୪-୨୫ର ପ୍ରଥମ ୧୦ ମାସରେ ‘ଡିଜିଟାଲ ଫାଇନାନ୍ସିଆଲ ଫ୍ରଡ୍’ ଯୋଗୁ ଲୋକେ ୪୨୪୫ କୋଟି ଟଙ୍କା ହରାଇଛନ୍ତି। ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରାଳୟ ପକ୍ଷରୁ ରାଜ୍ୟସଭାରେ ଏହି ସୂଚନା ଦିଆଯାଇଛି। ଏହା ପୂର୍ବରୁ ୨୦୨୨-୨୩ରେ ଏଭଳି ଠକେଇର ପ୍ରାୟ ୨୦ ଲକ୍ଷ ମାମଲା ସାମ୍ନାକୁ ଆସିଥିଲା। ଏଥିରେ ସ୍କାମର୍ସ ୨୫୩୭ କୋଟି ଟଙ୍କା ଲୁଟି ନେଇଥିଲେ। ୨୦୨୩-୨୪ରେ ମଧ୍ୟରେ ୨୮ ଲକ୍ଷ ଠକେଇ ମାମଲା ରୁଜୁ ହୋଇଥିଲା। ଏହା ମାଧ୍ୟମରେ ଲୋକେ ୪୪୦୩ କୋଟି ଟଙ୍କା ହରାଇ ଥିଲେ। ଅର୍ଥମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଠକେଇ ସମ୍ବନ୍ଧିତ ମାମଲା ପାଇଁ ଆର୍ବିଆଇ ‘ଫ୍ରଡ ରିପୋର୍ଟିଂ ସିଷ୍ଟମ’ ପ୍ରସ୍ତୁତ କରିଛି।
ବ୍ୟାଙ୍କ, ନନ୍-ବ୍ୟାଙ୍କ ପ୍ରିପେଡ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ ଇସୁଅର୍ସ ଏବଂ ନନ୍-ବ୍ୟାଙ୍କିଂ କ୍ରେଡିଟ୍ କାର୍ଡ ଇସୁଅର୍ସ ମାଧ୍ୟମରେ ଲୋକେ ଠକେଇ ଘଟଣାର ରିପୋର୍ଟ ଦେଇପାରିବେ। ଆର୍ଥିକ ଠକେଇର ତତ୍କାଳ ରିପୋର୍ଟିଂ ଏବଂ ଏହାକୁ ବନ୍ଦ କରିବା ପାଇଁ ‘ସିଟିଜେନ ଫାଇନାନ୍ସିଆଲ ସାଇବରଫ୍ରଡ୍ ରିପୋର୍ଟିଂ ଆଣ୍ଡ ମ୍ୟାନେଜମେଣ୍ଟ ସିଷ୍ଟମ’ ଆରମ୍ଭ କରାଯାଇଛି। ଏ ପର୍ଯ୍ୟନ୍ତ ୧.୩ ନିୟୁତ ଅଭିଯୋଗକୁ ଆଧାର କରି ସିଷ୍ଟମ ମାଧ୍ୟମରେ ୪୩୮୬ କୋଟି ଟଙ୍କା ବଞ୍ଚାଇ ଦିଆଯାଇଛି। ରାଜ୍ୟସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି ଯେ ଡିଜିଟାଲ ଠକେଇକୁ ରୋକିବା ପାଇଁ ଆରବିଆଇ, ସରକାର ଏବଂ ଏନପିସିଆଇ ଅନେକ ପଦକ୍ଷେପ ନେଇଛି। ଅନ୍ଲାଇନ ସ୍କାମରୁ ବର୍ତ୍ତିବା ଲାଗି ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସନ୍ଦେହଜନକ ଇମେଲ କିମ୍ବା ମେସେଜ ଉପରେ କ୍ଲିକ୍ ନ କରିବା ପାଇଁ ସରକାରଙ୍କ ପକ୍ଷରୁ ସତର୍କ କରାଇ ଦିଆଯାଉଛି। ଏହା ସହିତ ୱେବସାଇଟ ଖୋଲିବା ସମୟରେ ଏହା ବିଶ୍ବସନୀୟ କି ନୁହେଁ ତାହା ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଉଛି। ଅନ୍ଲାଇନ ଠକେଇର ଶିକାର ହେଲେ ତୁରନ୍ତ ସାଇବର କ୍ରାଇମ ହେଲ୍ପଲାଇନ ନମ୍ବର ୧୯୩୦କୁ କଲ୍ କରି ଅଭିଯୋଗ କରିବାକୁ କୁହାଯାଇଛି।