ମଧ୍ୟପ୍ରଦେଶର ଏକ ପ୍ରେମୀଯୁଗଳଙ୍କ ପ୍ରେମ କାହାଣୀ ଗୁଜୁରାଟର ଗାନ୍ଧୀନଗର ସ୍ଥିତ ଏକ ହୋଟେଲରେ ଅତି ଭୟାନକ ଏବଂ ଦୁଃଖଦ ମୋଡ଼ ନେଇଛି। ପୋଲିସ ଏବଂ ପରିବାର ଲୋକଙ୍କ ଉପସ୍ଥିତିରେ, ଗୋଟିଏ ରୁମରେ ଶୋଇଥିବା ବେଳେ ପ୍ରେମିକ ନିଜ ପ୍ରେମିକାର ତଣ୍ଟି କାଟି ଅତି ନିର୍ମମ ଭାବେ ହତ୍ୟା କରିଛି। କେବଳ ସେତିକି ନୁହେଁ, ପ୍ରେମିକାର ମୁଣ୍ଡକୁ ନିଜ କୋଳରେ ରଖି ସେ ନିଜେ ମଧ୍ୟ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛି। ଏହି ଛାତିଥରା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
କିପରି ଆରମ୍ଭ ହୋଇଥିଲା ପ୍ରେମ କାହାଣୀ?
ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ମଧ୍ୟପ୍ରଦେଶର ପିପରସମା ଗାଁର ବାସିନ୍ଦା ୨୧ ବର୍ଷୀୟା ରଜନୀ ଏବଂ ସେହି ଗାଁର ସନ୍ତୋଷ ଜାଟଭଙ୍କ ମଧ୍ୟରେ ଗତ ତିନି ବର୍ଷ ଧରି ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପେଶାରେ ଜଣେ ବିଲ୍ଡର ଥିବା ସନ୍ତୋଷ ପ୍ରାୟ ସାଢ଼େ ତିନି ବର୍ଷ ପୂର୍ବେ ରଜନୀଙ୍କ ବାପାଙ୍କ ନୂଆ ଘର ନିର୍ମାଣ କାମର ଦାୟିତ୍ୱ ନେଇଥିଲା। ରଜନୀଙ୍କ ପରିବାର ଚାଷବାସ ସହିତ ଜଡ଼ିତ ଥିବାରୁ ଘର ତିଆରିର ସମସ୍ତ ଆର୍ଥିକ ଦାୟିତ୍ୱ ରଜନୀଙ୍କ ଉପରେ ନ୍ୟସ୍ତ ଥିଲା। ଏହି କାରଣରୁ ଉଭୟ ପରସ୍ପରର ସମ୍ପର୍କରେ ଆସିଥିଲେ ଏବଂ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।
ଘରୁ ଫେରାର୍ ହେବା ପରେ ପୋଲିସର ଖୋଜାଖୋଜି
ଗତ ଜୁନ୍ ୭ ତାରିଖରେ ରଜନୀ ନିଜ ପ୍ରେମିକ ସନ୍ତୋଷଙ୍କ ସହିତ ଘରୁ ଫେରାର୍ ହୋଇଯାଇଥିଲେ। ଝିଅ ନିଖୋଜ ହେବା ନେଇ ବାପା ବ୍ରଜଲାଲ ଧାକଡ଼ ଦେହାତ ଶିବପୁରୀ ପୋଲିସ ଷ୍ଟେସନରେ ଏତଲା ଦେଇଥିଲେ। ଏହାପରେ ଜୁନ୍ ୧୦ ତାରିଖରେ ରଜନୀଙ୍କ ଦୁଇ ଭାଇ ପ୍ରବେନ୍ଦ୍ର ଏବଂ ନୀରଜ, ହେଡ୍ କନଷ୍ଟେବଲ ଦୀପଚାନ୍ଦ ଏବଂ କନଷ୍ଟେବଲ ବଦନସିଂହଙ୍କ ସହିତ ମିଶି ଏକ କିଆ କାରେନ୍ସ କାର୍ରେ ଝିଅକୁ ଖୋଜିବାକୁ ବାହାରିଥିଲେ।
ହୋଟେଲ ରୁମରେ ଘଟିଲା କାଳରାତିର ଘଟଣା
ଖୋଜାଖୋଜି କରିବା ପରେ ପୋଲିସ ଏବଂ ପରିବାର ଲୋକେ ପ୍ରେମୀଯୁଗଳଙ୍କୁ ଠାବ କରିଥିଲେ। ଜୁନ୍ ୧୨ ତାରିଖ ରାତିରେ ସମସ୍ତେ ଗାନ୍ଧୀନଗରର ଏକ ହୋଟେଲ ରୁମରେ ଏକାଠି ରାତ୍ରିଭୋଜନ କରିଥିଲେ ଏବଂ ସେହି ଗୋଟିଏ ରୁମରେ ଶୋଇବାକୁ ପ୍ରସ୍ତୁତ ହୋଇଥିଲେ। ଗୋଟିଏ ବିଛଣାରେ ଭାଇ ପ୍ରବେନ୍ଦ୍ର, ନୀରଜ ଏବଂ କନଷ୍ଟେବଲ ବଦନସିଂହ ଶୋଇଥିବା ବେଳେ, ଅନ୍ୟ ଏକ ବିଛଣାରେ ହେଡ୍ କନଷ୍ଟେବଲ ଦୀପଚାନ୍ଦ ଶୋଇଥିଲେ। ରଜନୀ ତଳେ ଏକ ଗଦି ଉପରେ ଶୋଇଥିଲେ ଏବଂ ସନ୍ତୋଷ ଦୁଇ ବିଛଣା ମଝିରେ ଥିବା ଖାଲି ଜାଗାରେ ଶୋଇଥିଲା। ସମସ୍ତେ ଗଭୀର ନିଦରେ ଶୋଇପଡ଼ିଥିଲେ, କିନ୍ତୁ ସନ୍ତୋଷ ଆଖିରେ ନିଦ ନଥିଲା।
ଲାଇଟ୍ ଜଳିବା ପରେ ଉଡ଼ିଗଲା ହୋସ୍
ରାତି ପ୍ରାୟ ୧୨ଟାରୁ ୨:୩୦ ମଧ୍ୟରେ ସନ୍ତୋଷ ନିଜ ପାଖରେ ଲୁଚାଇ ରଖିଥିବା ଏକ ଛୁରୀରେ ତଳେ ଶୋଇଥିବା ରଜନୀଙ୍କ ତଣ୍ଟି କାଟି ଦେଇଥିଲା। ପ୍ରେମିକାର ମୃତ୍ୟୁ ପରେ ସେହି ଛୁରୀରେ ନିଜ ବେକ କାଟି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା। ରାତି ପ୍ରାୟ ଅଢ଼େଇଟା ବେଳେ ହେଡ୍ କନଷ୍ଟେବଲ ଦୀପଚାନ୍ଦଙ୍କ ନିଦ ଭାଙ୍ଗିଯାଇଥିଲା। ସେ ତୁରନ୍ତ ଲାଇଟ୍ ଜଳାଇବା ପରେ ଯାହା ଦେଖିଲେ, ତାହା ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ରଜନୀଙ୍କ ମୃତଦେହ ସନ୍ତୋଷର କୋଳରେ ପଡ଼ିଥିଲା ଏବଂ ସନ୍ତୋଷ ହାତରେ ଛୁରୀ ଧରି ବସିଥିଲା।
ଏହି ଘଟଣା ପରେ ତୁରନ୍ତ ହୋଟେଲ ମ୍ୟାନେଜରଙ୍କୁ ସୂଚନା ଦିଆଯିବା ସହ ୧୦୮ ଆମ୍ବୁଲାନ୍ସ ଏବଂ ୧୧୨ ନମ୍ବରରେ ପୋଲିସକୁ ଡକାଯାଇଥିଲା। ଗୁରୁତର ଅବସ୍ଥାରେ ସନ୍ତୋଷକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଚିଲୋଡ଼ା ପୋଲିସ ବର୍ତ୍ତମାନ ଏହି ମାମଲାର ତଦନ୍ତ କରୁଛି।