ଉତ୍ତରପ୍ରଦେଶର କୁଶୀନଗରରେ ପାର୍କିଂ ବିବାଦରୁ ୩୦ ବର୍ଷୀୟ ଯୁବକଙ୍କୁ ଲାଠିରେ ପିଟି ପିଟି ହତ୍ୟା

ଉତ୍ତରପ୍ରଦେଶର କୁଶୀନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗାଡ଼ି ପାର୍କିଂକୁ ନେଇ ହୋଇଥିବା ଏକ ଛୋଟ ବିବାଦ ଶେଷରେ ଜଣେ ଯୁବକଙ୍କ ଜୀବନ ନେଇଛି। ଏଠାରେ ଜଣେ ୩୦ ବର୍ଷୀୟ ଯୁବକଙ୍କୁ କିଛି ଲୋକ ମିଶି ଲାଠିରେ ପିଟି ପିଟି ହତ୍ୟା କରିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି।

ବଜାରକୁ ପରିବା ଆଣିବାକୁ ଯାଇଥିଲେ ଯୁବକ

ପୋଲିସର ସୂଚନା ଅନୁଯାୟୀ, ମୃତ ଯୁବକଙ୍କ ନାମ ହେଉଛି ଗୋବିନ୍ଦ ସାହାନୀ। ଶୁକ୍ରବାର ସନ୍ଧ୍ୟାରେ ସେ ନିଜ ଘର ନିକଟରେ ଥିବା ବୋଦରୱାର ବଜାର ଅଞ୍ଚଳକୁ ପନିପରିବା କିଣିବାକୁ ଯାଉଥିଲେ। ଏହି ସମୟରେ ସେହି ବଜାର ନିକଟରେ ରହୁଥିବା ସୁଭାଷ ନାମକ ଜଣେ ବ୍ୟକ୍ତି ଏବଂ ତାଙ୍କ ପରିବାରର କିଛି ସଦସ୍ୟ ମିଶି ରାସ୍ତାରେ ଗୋବିନ୍ଦଙ୍କୁ ଅଟକାଇଥିଲେ। କିଛି ବୁଝିବା ଆଗରୁ ସେମାନେ ମିଳିତ ଭାବେ ଗୋବିନ୍ଦଙ୍କ ଉପରେ ଲାଠି ମାଡ଼ କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଆକ୍ରମଣକାରୀମାନେ ତାଙ୍କୁ ଅତି ନିର୍ମମ ଭାବେ ପିଟିଥିଲେ।

ପୋଲିସର ତଦନ୍ତ ଜାରି

ରାସ୍ତାରେ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଗୋବିନ୍ଦଙ୍କ ପରିବାରକୁ ଖବର ଦେଇଥିଲେ। ଗୋବିନ୍ଦଙ୍କ ମାଆ ସୁଭଦ୍ରା ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ପୁଅ ରକ୍ତାକ୍ତ ଏବଂ ଅଚେତ ଅବସ୍ଥାରେ ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ କପ୍ତାନଗଞ୍ଜ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କପ୍ତାନଗଞ୍ଜ ଥାନା ଅଧିକାରୀ (ଏସଏଚଓ) ଦୀପକ ସିଂହ କହିଛନ୍ତି ଯେ, କିଛି ଦିନ ପୂର୍ବରୁ ଅଭିଯୁକ୍ତ ଏବଂ ମୃତକଙ୍କ ମଧ୍ୟରେ ମୋଟରସାଇକେଲ ପାର୍କିଂକୁ ନେଇ ବଚସା ହୋଇଥିଲା। ଏହି ପୁରୁଣା ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବର୍ତ୍ତମାନ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ଫେରାର ଥିବା ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

About The Author: Suryakanta