ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରୁ ଏକ ହୃଦୟ ବିଦାରକ ହତ୍ୟାକାଣ୍ଡର ଖବର ସାମ୍ନାକୁ ଆସିଛି। ରୀଲ୍ ବନାଇବା ବାହାନାରେ ନିଜ ପ୍ରେମିକାକୁ ଆଖୁ କ୍ଷେତକୁ ଡାକି ଜଣେ ଯୁବକ ତାଙ୍କ ଗଳା କାଟି ନିର୍ମମ ଭାବେ ହତ୍ୟା କରିଛି। ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ପ୍ରେମିକକୁ ଗିରଫ କରିବାରେ ସଫଳ ହୋଇଛି। ପ୍ରେମ, ସନ୍ଦେହ ଏବଂ ବ୍ଲାକମେଲିଂରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି।
ଆଖୁ କ୍ଷେତରୁ ମିଳିଥିଲା ମୃତଦେହ
ପୋଲିସ ସୂତ୍ରରୁ ପ୍ରକାଶ ଯେ, ଦେହାତ କୋତୱାଲି ଅଞ୍ଚଳର ଭିଟି ଭଦୱଲ୍ ଗାଁର ୨୫ ବର୍ଷୀୟା ଯୁବତୀ ଶୀଳା ଗତ ମାର୍ଚ୍ଚ ୨୯ ତାରିଖରୁ ନିଖୋଜ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ପୋଲିସରେ ଅଭିଯୋଗ କରିଥିଲେ। ତେବେ ଏପ୍ରିଲ ୨ ତାରିଖରେ ଗାଁ ନିକଟସ୍ଥ ଏକ ଆଖୁ କ୍ଷେତରୁ ଶୀଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏସପି ବିନୀତ ଜୟସ୍ୱାଲ୍ ୪ଟି ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ।
ଦେଢ଼ ଲକ୍ଷ ଟଙ୍କା ଏବଂ ସନ୍ଦେହ ପାଲଟିଲା କାଳ
ତଦନ୍ତ ବେଳେ ଜଣାପଡ଼ିଥିଲା ଯେ, ବିହାର ରୋହତାସ ଅଞ୍ଚଳର ବାସିନ୍ଦା ଅରୁଣ କୁମାର ଏବଂ ଶୀଳାଙ୍କ ମଧ୍ୟରେ ୨୦୨୨ ମସିହାରେ ସୋସିଆଲ ମିଡିଆ ଜରିଆରେ ବନ୍ଧୁତା ହୋଇଥିଲା। ଉଭୟଙ୍କୁ ରୀଲ୍ ବନାଇବାର ସଉକ ଥିଲା ଏବଂ ଏହି ସମୟରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଅଭିଯୁକ୍ତ ଅରୁଣ ପୋଲିସ ଆଗରେ ସ୍ୱୀକାର କରିଛି ଯେ, ସେ ଶୀଳାଙ୍କୁ ପ୍ରାୟ ୧.୫ ଲକ୍ଷ ଟଙ୍କା ଦେଇସାରିଥିଲା। ତେବେ ଶୀଳା ଅନ୍ୟ ଜଣେ ଯୁବକଙ୍କ ସହ କଥା ହେଉଥିବା ନେଇ ଅରୁଣ ସନ୍ଦେହ କରିଥିଲା। ଏହାସହ ଶୀଳା ତାଙ୍କୁ ବ୍ଲାକମେଲ୍ କରି ଆହୁରି ଟଙ୍କା ମାଗୁଥିବାରୁ ସେ ବିରକ୍ତ ହୋଇ ହତ୍ୟା କରିବାକୁ ଯୋଜନା କରିଥିଲା।
ହାତ ବାନ୍ଧି ଗଳା କାଟିଦେଲା ଅଭିଯୁକ୍ତ
ଯୋଜନା ମୁତାବକ ଗତ ମାର୍ଚ୍ଚ ୨୯ ତାରିଖରେ ଅରୁଣ ଶୀଳାଙ୍କୁ ରୀଲ୍ ବନାଇବା ବାହାନାରେ ଏକ ଆଖୁ କ୍ଷେତକୁ ଡାକିଥିଲା। ଶୀଳା ସେଠାରେ ପହଞ୍ଚିବା ପରେ ଅରୁଣ ଚାଲାକି କରି ତାଙ୍କର ଦୁଇ ହାତ ପଛକୁ ବାନ୍ଧି ଦେଇଥିଲା ଏବଂ ପରେ ଏକ ଧାରୁଆ ଛୁରୀରେ ତାଙ୍କ ବେକ କାଟି ହତ୍ୟା କରିଥିଲା। ପୋଲିସ ବୈଷୟିକ ପ୍ରମାଣ ଏବଂ ସର୍ଭିଲାନ୍ସ ଟିମ୍ ସହାୟତାରେ ଅଭିଯୁକ୍ତ ଅରୁଣକୁ ଟ୍ରାକ୍ କରି ଗିରଫ କରିଛି ଏବଂ ହତ୍ୟାରେ ବ୍ୟବହୃତ ଛୁରୀ ମଧ୍ୟ ଜବତ କରିଛି। ବର୍ତ୍ତମାନ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇ ଜେଲ୍ ପଠାଇ ଦିଆଯାଇଛି।