ଭୁବନେଶ୍ବର: ଲୁଟକୁ ନେଇ ସାଇବର ଠକଙ୍କ ନୂଆ ତରିକା। ମାଟ୍ରିମୋନି ସାଇଟରେ ମାତିଛନ୍ତି ସାଇବର ଠକ। ସୁନ୍ଦରୀ ଝିଅଙ୍କ ପ୍ରୋଫାଇଲ୍ ତିଆରି କରି ଲୁଟୁଛନ୍ତି ଲକ୍ଷାଧିକ ଟଙ୍କା । ଏମିତି ଏକ ଠକକୁ ଗିରଫ କରିଛି ଭୁବନେଶ୍ୱର ସାଇବର ଥାନା ପୁଲିସ । ଅନ୍ୟ ଏକ ଝିଅର ଫଟୋ ଲଗାଇ ମାଟ୍ରିମୋନି ସାଇଟରେ ପ୍ରୋଫାଇଲ୍ ତିଆରି କରୁଚନ୍ତି। ପରେ ସେହି ଫେକ ପ୍ରୋଫାଇଲରୁ ଏକାଧିକ ଯୁବକଙ୍କୁ ଠକିଥିବା ନେଇ ଅଭିଯୋଗ ହୋଇଛି । ଗିରଫ ଯୁବକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଜବତ କରିଛି ପୁଲିସ ।
ସୂଚନା ଅନୁଯାୟୀ, ମାଟ୍ରିମୋନି ସାଇଟରେ ଯୁବତୀଙ୍କ ପ୍ରୋଫାଇଲ ଓ ଫଟୋ ରଖି ବିବାହ ଆଶାୟୀ ମାନସ ରଞ୍ଜନ ପଣ୍ଡାଙ୍କ ଠାରୁ ବିଭିନ୍ନ ବାହାନାରେ ୩ ଲକ୍ଷ ୧୮ ହଜାର ଟଙ୍କା ଠକି ନେଇଥିଲା ଠକ। ନବମ ଶ୍ରେଣୀ ପାଠପଢିଥିବା ଏହି ଚତୁର ଠକ ଦୀପା ପ୍ରଧାନ ନାମରେ ମାଟ୍ରିମୋନି ସାଇଟରେ ଗୋଟିଏ ଆକାଉଣ୍ଟ ଖୋଲି ଭୁଆଁ ବୁଲାଉଥିଲା । ସମ୍ପର୍କୀୟଙ୍କ ଦେହ ଖରାପ କହି ୩ ଥରରେ ଅନଲାଇନରେ ୩ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ନେଇଯାଇଥିଲା । ଅଭିଯୋଗକାରୀ ନିଜେ ଠକାମିର ଶିକାର ହୋଇଥିବା ନେଇ ଖବର ପାଇବା ପରେ ୨୦୨୩ ନଭେମ୍ବର ୧୫ ରେ ସାଇବର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁରୀ ସଦର ଥାନା ଭାତକୁଡି ଗାଁର ନୃସିଂହ ବିଶ୍ୱାଳକୁ ଗିରଫ କରିଛି ପୁଲିସ ।