ଭୁବନେଶ୍ୱର : ଭୁବନେଶ୍ୱରରୁ ସିମ୍ ବକ୍ସ ଜବତ ହେବା ମାମଲାରେ ମିଳିଛି ସାଂଘାତିକ ତଥ୍ୟ। ଚାଇନାର ଜଣେ ଅଦୃଶ୍ୟ ଠକ ଏହି ସିମ୍ ବକ୍ସ ରାକେଟ୍ର ମୁଖ୍ୟ। ସେ ବାଂଲାଦେଶୀ ଅସଦୁର ସାହାଯ୍ୟରେ ଭାରତରେ ସିମ୍ ବକ୍ସ ରାକେଟ୍ ଚଲାଉଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ଆଜି ଗିରଫ ରାଜୁ ମଣ୍ଡଳକୁ କମିସନରେଟ୍ ପୁଲିସ ପୁଣି ୨ଦିନିଆ ରିମାଣ୍ଡରେ ଆଣିଛି। ସକାଳୁ ଝାରପଡ଼ା ଜେଲ୍ରୁ ରାଜୁକୁ ଅଣାଯିବା ପରେ ଏନ୍ଆଇଏ ଏବଂ ପୁଲିସ ମାରାଥନ ଜେରା କରିଥିଲେ। ରାଜୁକୁ ଆତଙ୍କୀ ଲିଙ୍କ୍ ନେଇ ଏନ୍ଆଇଏ ଜେରା କରିଛି। ରାଜୁର ଆକାଉଣ୍ଟକୁ ଅନ୍ୟ ରାଜ୍ୟରୁ ଆସିଥିବା କିଛି ଟଙ୍କା ଟ୍ରାଞ୍ଜାକ୍ସନକୁ ନେଇ ପୁଲିସର ସନ୍ଦେହ ବଢ଼଼ିଛି। ଟଙ୍କା ଅନ୍ୟ ରାଜ୍ୟରୁ କିଏ ପଠାଇଛି ସେନେଇ ମଧ୍ୟ ଛାନ୍ଭିନ୍ କରାଯାଉଛି। ଏନ୍ଆଇଏ ତଦନ୍ତରୁ ଜଣାପଡ଼ିଛି ଏହି ପଚରା ରାକେଟ୍ ପଛରେ ଚୀନ୍ କିଙ୍ଗ୍ପିନ୍ର ହାତ ରହିଛି। ଜବତ ୧୭ଟି ସିମ୍ବକ୍ସ ଚୀନ୍ରୁ ଆସିଥିଲା କାମ୍ୱୋଡିଆ, ଥାଇଲାଣ୍ଡ, ଲାଓସ୍ରେ ଖୋଲିଥିଲା କଲ୍ ସେଣ୍ଟର।
ସିମ୍ ବକ୍ସ ରାକେଟର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ପୁଲିସ ସିବିଆଇ ମାଧ୍ୟମରେ ଇଣ୍ଡରପୋଲର ସହାୟତା ନେଇଛି। ଚାଇନାରୁ ବାଂଲାଦେଶ ଦେଇ ପଶ୍ଚିମବଙ୍ଗ ପରେ ଓଡ଼ିଶା ଆସିଥିଲା ସିମବକ୍ସ। ଦେଶ ବାହାରେ କଲ୍ସେଣ୍ଟର କରି ଭରତୀୟ ଯୁବକଙ୍କୁ ଚାକିରି ଦେଇ ସାଇବର ଠକେଇ କରୁଥିଲା ଚାଇନା ଠକ। ଚୀନ୍ରେ ବସି ସିମବକ୍ସ ଜରିଆରେ ସାଇବର ନେଟ୍ୱର୍କ ଚଳାଇ ଥିଲା ଅଦୃଶ୍ୟ ଠକ। ଖାଲି ସେତିକି ନୁହେଁ; କାମ୍ୱୋଡ଼ିଆ, ଥାଇଲାଣ୍ଡ, ଲାଓସ୍ରେ ଖୋଲିଥିଲା କଲ୍ ସେଣ୍ଟର। ଆଉ ଏହି କଲ୍ ସେଣ୍ଟରରେ ଭାରତୀୟ ଯୁବକ ଯୁବତୀଙ୍କୁ ମିଳିଥିଲା ନିଯୁକ୍ତି। ଭଲ ହିନ୍ଦୀ ଆଉ ଇଂରାଜୀ କହୁଥିବା ଯୁବକ ଯୁବତୀଙ୍କୁ ଦିଆଯାଇଥିଲା ନିଯୁକ୍ତି। ଲୋକଙ୍କୁ ଫୋନ୍ ଓ ମେସେଜ ପଠା ଯାଉଥିଲା ଏହି କଲ ସେଣ୍ଟରରୁ। ଯେଉଁମାନଙ୍କ ପାଖକୁ ଫୋନ୍ ଯାଉଥିଲା ସେମାନଙ୍କର ଟିକିଏ ବି ସନ୍ଦେହ ହେଉନଥିଲା ଏହି ଠକଙ୍କ ଉପରେ।
ମୁଖ୍ୟ ଅଭିଯୁକ୍ତ ରାଜୁ ମଣ୍ଡଳକୁ ଦ୍ୱିତୀୟ ଥର ରିମାଣ୍ଡରେ ନେଇଛି କମିଶନରେଟ ପୁଲିସ। ଦୁଇଦିନ ରିମାଣ୍ଡରେ ଥିବା ରାଜୁଙ୍କୁ ଲଗାତାର ଦ୍ୱିତୀୟ ଦିନରେ ଜେରା କରିଛି ଏନ୍ଆଇ ଟିମ୍। ଆତଙ୍କୀ କାର୍ଯ୍ୟକାଳପରେ ରାଜୁର ସମ୍ପୃକ୍ତି ରହିଛି କି ନାହିଁ ତଦନ୍ତ କରୁଛି ଏନ୍ଆଇଏ ଟିମ୍। ବାଂଲାଦେଶ ଢାକାରେ ଥିବା ମାଷ୍ଟରମାଇଣ୍ଡ ଅସଦୁର ଜମାନଙ୍କୁ ଧରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ପୁଲିସ। ଯେଉଁ ଘରେ ସିମ୍ବକ୍ସ ଅପରେଟ ହେଉଥିଲା ସେହି ଘର ମାଲିକଙ୍କ ସହ ରାଜୁ ମଣ୍ଡଳକୁ ମୁହାଁମୁହିଁ ଜେରା କରିବ ପୁଲିସ। ସିମ୍ ବକ୍ସ ଜବତ ଘଟଣାରେ କଲିକତା ଲିଙ୍କ୍ ଥିବା ପୁଲିସ ପ୍ରମାଣ ପାଇଛି। ତେଣୁ ଏହି ରିମାଣ୍ଡ ସମୟରେ ରାଜୁ ମଣ୍ଡଳକୁ ପୁଲିସ କଲିକତା ଧରିଯିବ ବୋଲି କୁହାଯାଉଛି। ଏନେଇ ପୁଲିସ କମିସନର ସଞ୍ଜୀବ ପଣ୍ଡା କହିଛନ୍ତି, ସିମ୍ ରାକେଟ୍ ପଛରେ ଇଣ୍ଟରନ୍ୟାସନାଲ ଅପରାଧୀଙ୍କ ଲିଙ୍କ୍ ରହୁଥିବାରୁ କମିସନରେଟ୍ ପୁଲିସ ଗୁରୁତର ସହ ତଦନ୍ତ କରୁଛି।
ଏନ୍ଆଇଏ ଟିମ୍ ମଧ୍ୟ ରାଜୁ ମଣ୍ଡଳକୁ ଦ୍ୱିତୀୟ ଦିନରେ ଆତଙ୍କବାଦୀ ଲିଙ୍କ୍ରେ ପଚରାଉଚରା କରିଛନ୍ତି। ପୁଲିସ ସବୁ ଦିଗକୁ ନେଇ ତନ୍ନତନ୍ନ କରି ତଦନ୍ତ କରୁଛି। ଗତକାଲି ଅସାଦୁର୍ର ଫଟୋ ଜାରି କରିଥିଲା କମିସନରେଟ ପୁଲିସ। ଢାକାରେ ଏକ ସଫ୍ଟୱେର କମ୍ପାନୀ ଚଳାଉଥିଲା ଅସାଦୁର। ଫ୍ୟାଶନ ଟେକ୍ନୋଲୋଜି ଇନଷ୍ଟିଚ୍ୟୁଟରୁ ପାଠ ପଡ଼ିଥିଲା। ପୁଲିସ ହାତରେ ସିଡ଼ିଆର ରିପୋର୍ଟ ଲାଗିବା ପରେ ଗୋଟିଏ ପରେ ଗୋଟିଏ ଆତଙ୍କୀ ଲିଙ୍କ ନେଇ ଅଧିକ ଖୋଲତାଡ଼ କରୁଛି ପୁଲିସ। ରାଜୁ କେବଳ ମେଣ୍ଟେନାନ୍ସ କାମ କରୁଥିଲା। ଚାଇନାରେ ଥିବା ମୁଖ୍ୟ ଅଭିଯୁକ୍ତ ବାଂଲାଦେଶ ଅସାଦୁରଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଥିଲା। ଆଉ ଏହି ଟଙ୍କା ହାୱଲା ମାଧ୍ୟମରେ ରାଜୁ ନିକଟକୁ ଆସୁଥିଲା। କେବଳ ଟଙ୍କା ନୁହେଁ; ଅସାଦୁର ମଧ୍ୟ ଚାଇନାରୁ ସିମ୍ବକ୍ସ ଆଣି ଭୁବନେଶ୍ୱର, କଟକ ଏବଂ ରାଞ୍ଚିରେ ଇନ୍ଷ୍ଟଲ୍ କରିବା ପାଇଁ ରାଜୁକୁ ଦେଇଥିଲା। ଢାକାରେ ବସି ଅସାଦୁର ସ୍ମାର୍ଟ ସୁଇଚ୍ ମାଧ୍ୟମରେ ସିମ୍ ବକ୍ସକୁ ଅପରେଟ୍ କରୁଥିଲା ଓ ରାଜୁକୁ ୧ଲକ୍ଷ ଟଙ୍କା ପଠାଉଥିଲା।