ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଚାକିରିରୁ ନିଲମ୍ବିତ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କୋର୍ଟରେ ଆତ୍ମସମର୍ପଣ କରିବା ପରେ ରାଜ୍ୟ ସରକାର ତାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି। ଓଡ଼ିଶା ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ବିଦ୍ୟାଭାରତୀଙ୍କୁ ନିଲମ୍ବିତ କରାଯାଇଛି। ପାରଳାଖେମୁଣ୍ଡି ଥାନା ଅଧିକାରୀ ଏବଂ ସ୍ଥାନୀୟ କୋର୍ଟରୁ ମିଳିଥିବା ସୂଚନା ଆଧାରରେ ବିଭାଗ ଏହି ପଦକ୍ଷେପ ନେଇଛି। 

ନିଲମ୍ବନ ସମୟରେ ବିଦ୍ୟାଭାରତୀଙ୍କ ମୁଖ୍ୟାଳୟ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ (ସିଡିଭିଓ) କାର୍ଯ୍ୟାଳୟରେ ଧାର୍ଯ୍ୟ କରାଯାଇଛି। ସୂଚନାଯୋଗ୍ୟ ଯେ, ସେ ମୟୂରଭଞ୍ଜ ଜିଲ୍ଲା ଉଦଳା ଅଧୀନସ୍ଥ ସାଳଚୁଆ ପ୍ରାଣୀ ସମ୍ପଦ ସହାୟକ କେନ୍ଦ୍ରରେ ପ୍ରାଣୀ ସମ୍ପଦ ନିରୀକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ଗତ ୨ ତାରିଖରେ ସେ କୋର୍ଟରେ ହାଜର ହେବା ପରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା ଓ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସୂଚନାଯୋଗ୍ୟ, ୨୦୨୧ ମସିହା ଜୁଲାଇ ୧୧ ତାରିଖରେ ପାରଳାଖେମୁଣ୍ଡିରେ କାର୍ଯ୍ୟରତ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ନିଜ ସରକାରୀ ବାସଭବନରେ ରହସ୍ୟଜନକ ପରିସ୍ଥିତିରେ ପ୍ରାୟ ୮୦ ପ୍ରତିଶତ ପୋଡ଼ି ଯାଇଥିଲେ। କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ମାମଲାରେ ସୌମ୍ୟରଞ୍ଜନଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଅଣାଯାଇଥିଲା। ଏଥିରେ ବିଦ୍ୟାଭାରତୀଙ୍କ ସମେତ ତତ୍କାଳୀନ ଗଜପତି ଡିଏଫଓ ସଂଗ୍ରାମ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ନାମ ରହିଥିଲା।

About The Author: Madhusudan Das