ନୂଆଦିଲ୍ଲୀ: ଚଳିତ ବର୍ଷ ସାରା ବିଶ୍ୱରେ ବେକାରୀ ସଂଖ୍ୟାରେ ବୃଦ୍ଧି ପାଇବ। କାରଣ ୨୦୨୪ରେ ଦୁନିଆରେ ବିଭିନ୍ନ କ୍ଷେତ୍ରରେ ୨୦ ଲକ୍ଷରୁ ଅଧିକ ଲୋକଙ୍କୁ ଛଟେଇର ଶିକାର ହେବାକୁ ପଡିବ। ମିଳିତ ଜାତିସଂଘ (ୟୁଏନ୍ଓ)ର ଶ୍ରମ ଏଜେନ୍ସି ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍ଏ) ଅନୁଯାୟୀ ବେରୋଜଗାରି ହାର ଏବଂ ବର୍ତ୍ତମାନର ନିଯୁକ୍ତି ମଧ୍ୟରେ ଦେଖାଦେଇଥିବା ବ୍ୟବଧାନ ବିଶ୍ୱ ମହାମାରୀ ପୂର୍ବରୁ ସ୍ତରରୁ ସାମାନ୍ୟ ହ୍ରାସ ପାଇଛି, କିନ୍ତୁ ଏହା ସତ୍ତ୍ବେ ବି ବିଶ୍ୱରେ ବେକାରୀ ହାର ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଏଥିଯୋଗୁ ମହଙ୍ଗା ବଜାରରେ ଖାଉଟି ଘୋର ହନ୍ତସନ୍ତ ହେବେ। ଶ୍ରମ ବଜାରରେ ଅସନ୍ତୁଳନତା ଏହାର ମୁଖ୍ୟ କାରଣ ବୋଲି ସଂଗଠନଏହାର ରିପୋର୍ଟରେ କହିଛି।
୨୦୨୩ ମସିହାରେ ଅଧିକାଂଶ ଜି -୨୦ ରାଷ୍ଟ୍ରରେ ଦେଶରେ ପ୍ରକୃତ ବେତନରେ ହ୍ରାସ ଘଟିଛି। ମୁଦ୍ରାସ୍ଫୀତି ଯେଉଁ ହାରରେ ବଢ଼ୁଛି, କର୍ମଚାରୀଙ୍କ ବେତନ ସେହି ହାରରେ ବୃଦ୍ଧି କରାଯାଉନାହିଁ। ଉଭୟ ମଧ୍ୟରେ ତାଳମେଳ ନ ଥିବା ଆଇଏଲ୍ଏ କହିଛି। ଏଭଳି ପରିସ୍ଥିତିରେ ଚଳିତ ବର୍ଷ ବିଶ୍ୱରେ ବେକାରୀ ହାର ୫.୧ ପ୍ରତିଶତରୁ ୫.୨ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ୨୦୨୨ ମସିହାରେ ବିଶ୍ୱରେ ବେକାରୀ ହାର ୫.୩ ପ୍ରତିଶତ ରହିଥିଲା, ଯେଉଁଥିରେ ଗତ ବର୍ଷ ସାମାନ୍ୟ ବୃଦ୍ଧି ହୋଇ ୫.୧% ପ୍ରତିଶତକୁ ହ୍ରାସ ପାଇଥିଲା। ଏହା ବ୍ୟତୀତ ବିଶ୍ବ ୨୦୨୩ରେ ବୈଶ୍ବିକ ସ୍ତରରେ ରୋଜଗାରର ବ୍ୟବଧାନ ଏବଂ ଶ୍ରମ ବଜାରରେ ଲୋକଙ୍କ ଅଂଶଗ୍ରହଣ ହାର ସେତେଟା ଭଲ ନ ଥିଲା।
ଆଇଏଲ୍ଏ କହିଛି ଯେ ଶ୍ରମ ବଜାରରେ ଅସମାନତା ବଢ଼ିବାରେ ଲାଗିଛି। ଉତ୍ପାଦନ କ୍ଷେତ୍ରରେ ଦେଖାଯାଉଥିବା ମାନ୍ଦାବସ୍ଥା ଏବେ ବଡ଼ ଚିନ୍ତାର କାରଣ। ଏହି ଅଧ୍ୟୟନରେ ସର୍ବଶେଷ ଶ୍ରମ ବଜାର ଧାରାକୁ ଆକଳନ କରାଯାଇଛି। ଏଥିରେ ବେକାରୀ, ନିଯୁକ୍ତି ସୃଷ୍ଟି, ଶ୍ରମଶକ୍ତିର ଅଂଶଗ୍ରହଣ ହାରକୁ ଅନ୍ତର୍ଭୁକ୍ତ କରାଯାଇଛି। ରିପୋର୍ଟ ଅନୁଯାୟୀ, ୨୦୨୩ରେ ଚୀନ୍, ରୁଷ ଏବଂ ମେକ୍ସିକୋରେ ପ୍ରକୃତ ବେତନରେ ବୃଦ୍ଧି ଘଟିଛି। ଅନ୍ୟ ଜି -୨୦ ଦେଶଗୁଡିକରେ ପ୍ରକୃତ ବେତନ ହାର ହ୍ରାସ ପାଇଛି। ଯେପରିକି ବ୍ରାଜିଲରେ ଏହା ୬.୯ ପ୍ରତିଶତ, ଇଟାଲୀ ରେ ୫ ପ୍ରତିଶତ ଏବଂ ଇଣ୍ଡୋନେସିଆରେ ୩.୫ ପ୍ରତିଶତ ତୀବ୍ର ହ୍ରାସ ଘଟିଛି।