ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ବଜାରରେ ମହଙ୍ଗା ହୋଇଛି ଟମାଟୋ। ବଢ଼ିବାରେ ଲାଗିଛି ବଜାର ଦର। ଗୋଟିଏ ପଟେ ତେଜରାତି ସାମଗ୍ରୀଠାରୁ ଆରମ୍ଭ କରି ପନିପରିବା ଦର ସବୁ ଆକାଶଛୁଆଁ। ପିଆଜ ପରେ ଏବେ ବଜାରରେ ଟମାଟୋ ଦର ବଢ଼ିଛି। ଦୀପାବଳି ପୂର୍ବରୁ କିଲୋ ପିଛା ୩୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ମୂଲ୍ୟ ଏବେ ୬୦ ଟଙ୍କା ଛୁଇଁଛି। ମାତ୍ର ତିନି ଦିନ ମଧ୍ୟରେ ଟମାଟୋ କିଲୋ ପିଛା ଦର ୨୦ ଟଙ୍କା ବଢ଼ିବା ଖାଉଟିଙ୍କୁ ବେଶ ବାଧୁଛି। ଅପରପକ୍ଷେ ଟମାଟୋ ଉତ୍ପାଦନର ପେଣ୍ଠସ୍ଥଳରୁ ଆମଦାନୀ କମିବା ଦର ବୃଦ୍ଧିର ମୁଖ୍ୟ କାରଣ ବୋଲି କୁହାଯାଉଛି। ଇତିି ମଧ୍ୟରେ ବଜାରରେ ୧୫ ଦିନ ହେବ ପିଆଜ କିଲୋ ୬୦ ଟଙ୍କାରେ ବିକ୍ରି ହେଉଛି। ଖାଉଟିଙ୍କ ମନରୁ ପିଆଜ ଦର ବୃଦ୍ଧି ଚିନ୍ତା ନ ଯାଉଣୁ ଟମାଟୋ ମୂଲ୍ୟ ବୃଦ୍ଧି ଏବେ କନ୍ଦାଇବା ଆରମ୍ଭ କଲାଣି।
ଜୁନ୍ ଏବଂ ଜୁଲାଇ ମାସଠାରୁ ବଜାରରେ ଟମାଟୋ ଦର କିଲୋ ପିଛା ୨୫୦ ଟଙ୍କା ଟପି ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା ହୋଇଥିଲା। ମାତ୍ର ଏକ ମାସ ହେବ ଦର କମିବା ପରେ ଏବେ ହଠାତ୍ ପୁଣି ବଢ଼ିଛି। ଆଉ ମାସକ ପରେ ଓଡ଼ିଶାରେ ଟମାଟୋ ଉତ୍ପାଦନ ଆରମ୍ଭ ହୋଇଯିବ।ବର୍ତ୍ତମାନ କେବଳ ବେଙ୍ଗାଲୁରୁ ଏବଂ ମହାରାଷ୍ଟ୍ରରୁ ଟମାଟୋ ଉତ୍ପାଦନ ଆରମ୍ଭ ହେଉଛି। ଘରୋଇ ବଜାରରେ ଷ୍ଟକ୍ ଶେଷ ହୋଇଯାଇଥିବାରୁ ଏଠାରେ ଟମାଟୋ ଦର ଉଚ୍ଚା ହେବାରେ ଲାଗିଛି। କଟକ ଏବଂ ଭୁବନେଶ୍ବରର ହାଟ ଏବଂ ବଜାରରେ ଟମାଟୋ କିଲୋ ପିଛା ୬୦ ଟଙ୍କାରେ ବିକ୍ରି ହେଉଛି।
ଭୁବନେଶ୍ବରସ୍ଥିତ ଏକ ନମ୍ବର ଏବଂ ଆଇଗିଣିଆ ଭଳି ପାଇକାରୀ ବଜାରରେ ଖୁଚୁରା ବ୍ୟବସାୟୀଙ୍କୁ ଗୋଟିଏ କ୍ୟାରେଟ୍ (୨୫ କେଜି) ଟମାଟୋ ମୂଲ୍ୟ ୧୨୦୦ ଟଙ୍କା ପଡ଼ୁଛି। ଅପରପକ୍ଷେ ଖୁଚୁରା ବଜାରରେ ଟମାଟୋ କିଲୋ ପିଛା ୬୦ ଟଙ୍କାରେ ବିକ୍ରି ହେଉଛି। ତେବେ ମାତ୍ର ଦୁଇ ତିନି ଦିନ ତଳେ ଖୁଚୁରା ବଜାରରେ ଟମାଟୋ କିଲୋ ପିଛା ୩୦ ଟଙ୍କା ରହିଥିଲା। ଏବେ ଉତ୍ପାଦନ ଜନିତ ସମସ୍ୟା ଯୋଗୁ ଯୋଗାଣ କମ୍ ହେଉଛି। ଫଳରେ ବଜାରରେ ଦର ବୃଦ୍ଧି ଘଟୁଛି। ଏ ସମ୍ପର୍କରେ କୁବେରପୁରୀ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ଶକ୍ତିଶଙ୍କର ମିଶ୍ର କହିଛନ୍ତି ଯେ, ବର୍ତ୍ତମାନ ବେଙ୍ଗାଲୁରୁ ଏବଂ ମହାରାଷ୍ଟ୍ର ଭଳି ବାହାର ରାଜ୍ୟରୁ ରାଜ୍ୟକୁ ଟମାଟୋ ଯୋଗାଣ କମ୍ ରହିଛି। ଦୀପାବଳି ପାଇଁ ସେଠାରେ ମଣ୍ଡି ବନ୍ଦ ରହିଥିବାଯୋଗୁ ଯୋଗାଣ ବନ୍ଦ ରହିଥିଲା। ଯାହାର ପ୍ରଭାବ ଘରୋଇ ବଜାରରେ ଦେଖ୍ଖବାକୁ ମିଳିଛି। ଏବେ ଧୀରେ ଧୀରେ ଯୋଗାଣ ବଢ଼ୁଛି। ଦୁଇ ତିନି ଦିନ ମଧ୍ୟରେ ଦର କମିଯିବ। ଅପରପକ୍ଷେ କିଛି ଦିନ ହେବ ପିଆଜ କିଲୋ ପିଛା ୬୦ ଟଙ୍କାରେ ହିଁ ଅଟକି ରହିଛି। ବଜାରକୁ କର୍ଣ୍ଣୋଲ ଏବଂ ଗୁଡ୍ଡମ୍ର ନାଲି ପିଆଜ ଆସିଥିଲେ ସୁଦ୍ଧା ଏହାର ଦର କମିବାର ନାମ ଧରୁନାହିଁ।