ନୂଆଦିଲ୍ଲୀ: ସାର ବିଶ୍ବରେ ବର୍ଷ ୨୦୨୨ରେ ଟେକ୍ନୋଲୋଜି କ୍ଷେତ୍ରରେ କର୍ମଚାରୀ ଛଟେଇ ପର୍ବ ଆରମ୍ଭ ହାଇଥିଲା। ଏବେ ବି ଏହି କ୍ଷେତ୍ରରେ ଛଟେଇ ପ୍ରକ୍ରିୟା ଜାରି ରହିଛି। ଇତିମଧ୍ୟରେ ୨୦୨୩ର ୫ ମାସ ବିତିଗଲାଣି। ଏହି ସମୟ ମଧ୍ୟରେ ୨ ଲକ୍ଷରୁ ଅଧିକ ଲୋକ ଏହି କ୍ଷେତ୍ରରେ ଚାକିରି ହରାଇଛନ୍ତି। ବର୍ଷ ସରିବାକୁ ଆଉ ୭ ମାସ ବାକି ରହିଛି। ତେଣୁ ଏହି ପରିଭାବେ ଛଟେଇ ଜାରି ରହିଲେ ୨୦୨୩ ଶେଷ ହେବାକୁ ବେଳକୁ ପରିସ୍ଥିତି କଣ ହୋଇଥିବା ତାହା ଏବେଠାରୁ ଆକଳନ କରିବା ମୁସ୍କିଲ।
ଛଟେଇର ପରିସଂଖ୍ୟାନ ଉପରେ ନଜର ରଖୁଥିବା ଲେଅଫ୍ଡଟ୍ଏଫ୍ୱାଇଆଇର ରିପୋର୍ଟ ଅନୁଯାୟୀ, ୨୦୨୨ ମସିହାରେ ସାରା ବିଶ୍ବରେ ୧୦୫୬ଟି ଟେକ୍ କମ୍ପାନୀ ପ୍ରାୟ ୧.୬୪ ଲକ୍ଷ କର୍ମଚାରୀଙ୍କୁ ଛଟେଇ କରିଥିଲେ। ଯେତେବେଳେ କି ୨୦୨୩ର ମସିହାରେ ମେ ୧୮ ପର୍ଯ୍ୟନ୍ତ, ୧,୯୭,୯୮୫ ଲୋକ ଏହି କ୍ଷେତ୍ରରେ ଚାକିରି ହରାଇଛନ୍ତି। ଏହି ଚାକିରିଗୁଡିକ ୬୯୬ ଟେକ୍ କମ୍ପାନୀକୁ ଯାଇଛି। ଏହିପରି ଭାବେ ୨୦୨୩ର କିଛି ମାସ ମଧ୍ୟରେ କର୍ମଚାରୀ ଛଟେଇ ୨୦୨୨ର ସମ୍ପୂର୍ଣ୍ଣ ବର୍ଷ ର ସଂଖ୍ୟାକୁ ଅତିକ୍ରମ କରିଯାଇଛି। ଚଳିତବର୍ଷର ଆଗାମୀ ୭ ମାସରେ ଆହୁରି ଅଧିକ ଲୋକଙ୍କ ଚାକିରୀ ଯିବାର ସମ୍ଭାବନା ଥିବାବେଳେ ଆମାଜନ୍, ମେଟା, ମାଇକ୍ରୋସଫ୍ଟ ଏବଂ ଟ୍ୱିଟର ପରି କମ୍ପାନୀଗୁଡିକ ବହୁ ସଂଖ୍ୟାରେ ଛଟେଇ କରିସାରିଛନ୍ତି। ଆଗାମୀ ମାସଗୁଡିକରେ ମଧ୍ୟ ଏହି କମ୍ପାନୀଗୁଡିକ ଅଧିକ ଲୋକଙ୍କୁ ଛଟେଇ କରିପାରନ୍ତି। ଗୁଗୁଲ୍, ମେଟା, ଆମାଜନ ଏବଂ ମାଇକ୍ରୋସଫ୍ଟ ଆଗାମୀ ଦିନରେ ଅଧିକ ଷଳାକଙ୍କୁ ଚାକିରିରୁ ବିଦା କରିବାକୁ ହ୍ରାସ ଘୋଷଣା କରିଛନ୍ତି।
ଗତ ସପ୍ତାହରେ ୬୦୦୦ ଲୋକଙ୍କୁ ଚାକିରୀରୁ ହଟାଇବାକୁ ମେଟା ଘୋଷଣା କରିସାରିଛି। ୨୦୨୨ ନଭେମ୍ବରରେ କମ୍ପାନୀ ୧୧,୦୦୦ ଲୋକଙ୍କୁ ଚାକିରୀରୁ ବରଖାସ୍ତ କରିଥିବାବେଳେ ୨୦୨୩ ମାର୍ଚ୍ଚରେ ମୋଟ ୧୦,୦୦୦ ଚାକିରି ହ୍ରାସ କରିବାକୁ ଘୋଷଣା କରିଥିଲା। ଏଥିସହିତ ଖର୍ଚ୍ଚ ହ୍ରାସ କରିବା ପାଇଁ ଆମାଜନ ଅନେକ ବିଭାଗ ବନ୍ଦ କରିବା ବିଷୟରେ ମଧ୍ୟ ଘୋଷଣା କରିଛି। ଏଲନ୍ ମସ୍କ ଟ୍ୱିଟରର ମାଲିକ ହେବା ପରେ କମ୍ପାନୀ ଏହାର କର୍ମଚାରୀ ସଂଘ୍ୟା ଅଧା କରିଦେଇଛି। ଏଥିରେ ଭାରତରେ ଥିବା କମ୍ପାନୀ ଏହାର ସମସ୍ତ କର୍ମଚାରୀଙ୍କୁ ବରଖାସ୍ତ କରିଥିଲା। ଭାରତର ଡିଜ୍ନୀ, ଶେୟାରଚାର୍ଟ, ରିବେଲ ଫୁଡ୍, ଭାରତ ଏଗ୍ରି ଏବଂ ଓଲାରେ କର୍ମଚାରୀ ଛଟେଇ ଜାରି ରହିଛି। ଆସେଞ୍ଚର ଭଳି କମ୍ପାନୀ ୧୯,୦୦୦ କର୍ମଚାରୀଙ୍କୁ ଛଟେଇ କରିବା ପ୍ରକ୍ରିୟାରେ ରହିଛନ୍ତି। କେବଳ ଆପଲ୍ ହେଉଛି ଏକମାତ୍ର କମ୍ପାନୀ ଯେ କି ବଡ଼ ଧରଣର କୌଣସି ଚଟେଇ କରୁନାହିଁ।