ନୂଆଦିଲ୍ଲୀ: ବିଗତ କିଛି ମାସ ହେବ ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ସୁନା ଓ ରୁପା ଦର। ମାତ୍ର କିଛି ଦିନର ବ୍ୟବଧାନ ପରେ ଦେଶରେ ସୁନା ଓ ରୁପାର ଚାହିଦା ପୁଣି ଥରେ ବଢ଼ିଛି। ସୁନା ଦର ୧୦ ଗ୍ରାମ ପିଛା ୧ ଲକ୍ଷ ଟଙ୍କା ନିକଟତର ହେଉଥବାବେଳେ ରୁପା ମୂଲ୍ୟ ମଧ୍ୟ ଲକ୍ଷେ ଟଙ୍କା ଉପରକୁ ଯାଇଛି। ଏଥିରେ ସୁନା ମୂଲ୍ୟକୁ ରୁପା ଦର ଟପିଯାଇଛି। ଯାହାଫଳରେ ଆଜି ଘରୋଇ ବଜାରରେ ରୁପା କିଲୋ ପିଛା ୧.୦୮ ଲକ୍ଷ ଟଙ୍କା ସ୍ତର ଅତିକ୍ରମ କରି ଏକ ନୂଆ ରେକର୍ଡ ପ୍ରତିଷ୍ଠା ହୋଇଛି। ଅପରପକ୍ଷେ ରାଜଧାନୀ ଭୁବନେଶ୍ବରରେ ରୁପା ମୂଲ୍ୟ ଦିଲ୍ଲୀ ଦରକୁ ଟପିଯାଇଛି। ସହରରେ ରୁପା କିଲୋ ପିଛା ୧.୧୦ ଲକ୍ଷ ଟଙ୍କାରେ ପହଞ୍ଚିଛି।
ସୋମବାର ଘରୋଇ ବଜାରରେ ପୁଣି ଥରେ ରୁପା ମୂଲ୍ୟରେ ବୃଦ୍ଧି ଘଟିଛି। ଭୁବନେଶ୍ବରରେ ଆଜି ରୁପା କିଲୋ ପିଛା ୧,୧୦,୪୦୦ ଟଙ୍କା ଛୁଇଁଛି। ୨୨ କ୍ୟାରେଟ୍ ସୁନା ମୂଲ୍ୟରେ ୧୦ ଗ୍ରାମ ପିଛା ୮୯,୫୫୦ ଟଙ୍କା ରହିଥିବାବେଳେ ୨୪ କ୍ୟାରେଟ୍ ସୁନା ଦର ୯୭,୬୯୦ ଟଙ୍କା ରହିଛି। ନୂଆଦିଲ୍ଲୀରେ ଆଜି ଗୋଟିଏ ଦିନରେ ରୁପା କିଲୋ ପିଛା ୧୦୦୦ ଟଙ୍କା ବୃଦ୍ଧି ପାଇ ୧,୦୮,୧୦୦ ଟଙ୍କାରେ ପହଞ୍ଚିଛି। ଏହି ସମୟରେ ୯୯.୯ ପ୍ରତିଶତ ଶୁଦ୍ଧ ବା ୨୪ କ୍ୟାରେଟ୍ ସୁନା ମୂଲ୍ୟରେ ୨୮୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୯୭,୭୮୦ ଟଙ୍କା ହୋଇଛି। ଦୃଢ଼ ବିଶ୍ୱ ସଙ୍କେତ ମଧ୍ୟରେ ଦିଲ୍ଲୀରେ ରୁପା ମୂଲ୍ୟ ପୁଣି ଥରେ ଶୀର୍ଷ ସ୍ତର ଛୁଇଁଛି। ରୁପା ମୂଲ୍ୟ ୧.୦୮ ଲକ୍ଷ ଟଙ୍କା ପ୍ରତି କିଲୋଗ୍ରାମରେ ପହଞ୍ଚିବା ଏକ ନୂତନ ରେକର୍ଡ। ସେହିପରି ୨୨ କ୍ୟାରେଟ୍ ସୁନା ମୂଲ୍ୟରେ ୨୫୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ଏହା ୯୭,୩୫୦ ଟଙ୍କା ରହିଥିବା ଅଲ୍ ଇଣ୍ଡିଆ ସରାଫା ଆସୋସିଏସନ୍ ପକ୍ଷରୁ କୁହାଯାଇଛି। ପୂର୍ବରୁ, ଶନିବାର ଦିନ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୧,୬୩୦ ଟଙ୍କା ହ୍ରାସ ପାଇ ୯୮,୦୬୦ ଟଙ୍କାରେ ପହଞ୍ଚିଥିଲା। ସେହି ସମୟରେ, ରୁପାର ମୂଲ୍ୟ ପ୍ରତି କିଲୋଗ୍ରାମ ପିଛା ୧,୦୭,୧୦୦ ଟଙ୍କାରେ ସ୍ଥିର ରହିଥିଲା। ବ୍ୟବସାୟୀମାନେ କହିଛନ୍ତି ଯେ ନିବେଶକଙ୍କ ପ୍ରବଳ ଚାହିଦା, ଦୁର୍ବଳ ଡଲାର, ଭୂ-ରାଜନୈତିକ ଉତ୍ତେଜନା ଏବଂ ଇଭି ଏବଂ ସୌର ଶିଳ୍ପରେ ଚାହିଦାରେ ବୃଦ୍ଧି ଯୋଗୁଁ ରୁପା ମୂଲ୍ୟ ଏପରି ଉପରମୁହଁା ହେଉଛି। ଆମେରିକା-ଚୀନ୍ ବାଣିଜ୍ୟ ଆଲୋଚନା ଏବଂ ପେରୋଲ୍ ରିପୋର୍ଟ ଯୋଗୁଁ ସୁନା ଦୁର୍ବଳ ହୋଇଛି। ବିଶ୍ୱ ବଜାରରେ ସ୍ପଟ୍ ବଜାରରେ ସୁନା ମୂଲ୍ୟ ସାମାନ୍ୟ ବୃଦ୍ଧି ପାଇ ଆଉନ୍ସ ପିଛା ୩,୩୧୨.୮୪ ଡଲାରରେ ପହଞ୍ଚିଛି। ଏସବୁବାଦ୍ ଆନ୍ତର୍ଜାତୀୟ ବଜାରରେ ରୁପା ମୂଲ୍ୟରେ ୦.୯ ପ୍ରତିଶତ ବୃଦ୍ଧି ପାଇ ଆଉନ୍ସ ପ୍ରତି ଏହା ୩୬.୩୦ ଡଲାରରେ ପହଞ୍ଚିଛି।