ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଲାଗୁ କରିଥିବା ଶୁଳ୍କ ଏବେ ସାରା ବିଶ୍ବ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି। ଯଦିବା ଟ୍ରମ୍ପ୍ ଏହି ଶୁଳ୍କ ଲାଗୁରେ ଚୀନ୍କୁ ଛାଡି ଅନ୍ୟ ଦେଶଗୁଡିକୁ ୯୦ ଦିନିଆ ରିଆତି ଦେଇଛନ୍ତି, ହେଲେ ଏହାର ପ୍ରଭାବ ଏବେ ବିଶ୍ବ ପାଇଁ ଖରାପ ହେବାକୁ ଯାଉଛି। ଏ ସମ୍ପର୍କରେ ଏବେଠାରୁ ରେଟିଂ ଏଜେନ୍ସି ମୁଡିସ୍ ପକ୍ଷରୁ ଚେତାବନୀ ଦିଆଯାଇଛି। ରେଟିଂ ଏଜେନ୍ସି ମୁଡିସ୍ ବୁଧବାର ଦିନ କହିଛି ଯେ ଆମେରିକାର ଏହି ଶୁଳ୍କ ନୀତି ଯୋଗୁ ବିଶ୍ବ ବଜାରର ବାଣିଜ୍ୟ କାରବାର ଦୋହଲିଯିବ। ଏଥି ଯୋଗୁ ଋଣ ସ୍ଥିତି ଖରାପ ହେବା ସହ ଡିଫଲ୍ଟର ବା ଖÒଲାପୀ ସଂଖ୍ୟା ବଢ଼ିବ।
ମୁଡିସ୍ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ୍ଙ୍କ ଶୁଳ୍କ ନୀତି କ୍ରେଡିଟ୍ ସର୍ତ୍ତାବଳୀକୁ ଦୁର୍ବଳ କରିବ ଏବଂ ଋଣ ଖÒଲାପୀ ବିପଦ ବୃଦ୍ଧି କରିବ। ବିଶେଷକରି କମ୍ ରେଟିଂ ରଖୁଥିବା କମ୍ପାନୀଗୁଡ଼ିକ ଋଣ ବଜାରେରେ ନିଜର ନିର୍ଭରଶୀଳତାରେ ଅଧÒକ ପ୍ରଭାବିତ ହେବେ। ଏଥିରେ କୁହାଯାଇଛି ଯେ ଆମେରିକାର ଅନିଶ୍ଚିତ ବାଣିଜ୍ୟ ନୀତି ବିଶ୍ୱ କ୍ରେଡିଟ୍ ପରିସ୍ଥିତିକୁ ଆହୁରି ଖରାପ କରିବ ଏବଂ ଏହାର ସାମଗ୍ରିକ ଅର୍ଥନୈତିକ ପ୍ରଭାବ ଅଭିବୃଦ୍ଧିକୁ ମନ୍ଥର କରିବ ଓ ମାନ୍ଦାବସ୍ଥାର ଆଶଙ୍କା ବଢ଼ାଇବ। ଆହୁରିମଧ୍ୟ ଶୁଳ୍କ ନୀତିରେ ସବୁଠାରୁ ବଡ଼ ବିପଦ ଅଣ-ଆର୍ଥିକ କର୍ପୋରେଟ୍ କ୍ଷେତ୍ରର କମ୍ପାନୀଗୁଡିକ ପାଇଁ ରହିଛି। ନିମ୍ନ-ମୂଲ୍ୟାୟିତ କମ୍ପାନୀଗୁଡ଼ିକ କ୍ରେଡିଟ୍ ବଜାର ଉପରେ ନିର୍ଭରଶୀଳତା ଦ୍ୱାରା ପ୍ରଭାବିତ ହେବେ। ମୁଡିସ୍ ରେଟିଂସ୍ର ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଆମେରିକା ପ୍ରଶାସନ ଏପ୍ରିଲ ୯ରେ ଅଧିକାଂଶ ପ୍ରତିଶୋଧମୂଳକ ଶୁଳ୍କ କାର୍ଯ୍ୟକାରୀ କରିବା ଉପରେ ୯୦ ଦିନର ସ୍ଥଗିତାଦେଶ ଲଗାଇଥିଲା। ତଥାପି, ଏହି ଦେଶଗୁଡ଼ିକ ପାଇଁ ୧୦ ପ୍ରତିଶତ ମୌଳିକ ଶୁଳ୍କ ପ୍ରଯୁଜ୍ୟ ହେବ। ଆମେରିକା ଚୀନରୁ ଆମଦାନୀ ହେଉଥିବା ଅଧିକାଂଶ ସାମଗ୍ରୀ ଉପରେ ୧୪୫ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି କରିଥିଲା। ଏବେ ଏପ୍ରିଲ ୧୬ରେ ଏହାକୁ ଆହୁରି ୨୪୫ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏହି ଶୁଳ୍କ ଏବେ ଆର୍ଥିକ ବଜାରକୁ ସମସ୍ୟାରେ ପକାଇଛି ଏବଂ ବିଶ୍ୱ ଅର୍ଥନୈତିକ ମାନ୍ଦାବସ୍ଥାର ବିପଦ ବୃଦ୍ଧି କରିଛି। ନିରନ୍ତର ଅନିଶ୍ଚିତତା ବ୍ୟବସାୟ ଯୋଜନାକୁ ବାଧା ଦେବ, ନିବେଶରେ ପ୍ରତିବନ୍ଧକ ସାଜିବା ସହ ଗ୍ରାହକ ଭାବନାକୁ ପ୍ରଭାବିତ କରିବ। ଏଜେନ୍ସି କହିଛି ଯେ ଏହି “ବିରାମ” ବ୍ୟବସାୟଗୁଡ଼ିକୁ ଉତ୍ପାଦନ ଏବଂ ସୋର୍ସିଂକୁ ସଜାଡ଼ିବା ପାଇଁ ଅଧିକ ସମୟ ଦେବ, କିନ୍ତୁ ୯୦ ଦିନ ପରେ ଶୁଳ୍କ ବ୍ୟବସ୍ଥାରେ ସ୍ପଷ୍ଟତାର ଅଭାବ ବ୍ୟବସାୟ ଯୋଜନାକୁ ବାଧା ଦେବ, ଯାହା ନିବେଶକୁ ବାଧା ଦେବା ସହ ଅଭିବୃଦ୍ଧିକୁ ମନ୍ଥର କରିବ।