ନୂଆଦିଲ୍ଲୀ : ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ନୀତି ଏବେ ଚର୍ଚ୍ଚାରେ, ଏଥିରେ ଏବେ ଟାର୍ଗେଟକୁ ଆସିଛି ଆପଲର ଆଇଫୋନ। ରିପୋର୍ଟ ଅନୁସାରେ ଯଦି ଆପଲ ଅତିରିକ୍ତ ଟ୍ୟାକ୍ସ ଉପଭୋକ୍ତାଙ୍କ ଉପରେ ପକାଏ ତେବେ ଏକ ହାଇଏଣ୍ଡ ଆଇଫୋନର ମୂଲ୍ୟ ପାଖାପାଖି ୨,୩୦୦ ଡଲାର ପର୍ଯ୍ୟନ୍ତ ପହଞ୍ଚିପାରେ। ଆଇଫୋନର ମେନୁଫେକ୍ଚରିଂ ମୁଖ୍ୟତଃ ଚୀନରେ ହୋଇଥାଏ, ଯେଉଁଠି ଏବେ ୫୪%ର ଭାରି ଟ୍ୟାକ୍ସ ଲଗାଇ ଦିଆଯାଇଛି। ଏଣୁ ଆଇଫୋନ ପାଇଁ ଆପଲ ନିକଟରେ ଦୁଇଟି ରାସ୍ତା ଅଛି ହୁଏତ ଏହି ବୋଝ ନିଜେ ବହନ କରିବ ନଚେତ ଗ୍ରାହକଙ୍କ ଉପରେ ଲଦିବ।
ଟ୍ରମ୍ପଙ୍କ ନୀତିଙ୍କ ଯୋଗୁ ଏହି ଆମେରିକୀୟ ଉତ୍ପାଦର ଦର ୩୦ରୁ ୪୦% ପର୍ଯ୍ୟନ୍ତ ବଢି ଯାଇପାରେ। ଉଦାହରଣ ଭାବେ ଆଇଫୋନ-୧୬ ଯାହା ୭୯୯ ଡଲାରରେ ଲଞ୍ଚ ହୋଇଥିଲା ତାର ମୂଲ୍ୟ ଏବେ ୧,୧୪୨ ଡଲାରକୁ ଛୁଇଁପାରେ। ସେହିପରି ଆଇଫୋନ ୧୬ ପ୍ରୋ ମାକ୍ସର ମୂଲ୍ୟ ୨,୩୦୦ ଡଲାର ଆଖପାଖକୁ ପହଞ୍ଚି ଯାଇପାରେ। କେବଳ ଏତିକି ନୁହେଁ ଆଇଫୋନର ସବୁଠୁ ଶସ୍ତା ମଡେଲ ଆଇଫୋନ ୧୬ଇ ମୂଲ୍ୟ ୫୯୯ ଡଲାରରୁ ବଢି ୮୫୬ ଡଲାର ପର୍ଯ୍ୟନ୍ତ ଯାଇପାରେ। କେବଳ ଆଇଫୋନ ନୁହେଁ ଅନ୍ୟ ଆପଲ ଡିଭାଇସ ମଧ୍ୟ ମହଙ୍ଗା ହୋଇପାରେ।