ସତର୍କ କରାଇଲା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି: ମହଙ୍ଗା ବଜାର ବିଗାଡ଼ିବ ଅର୍ଥନୀତି

ନୂଆଦିଲ୍ଲୀ:  ଆଗାମୀ ଦିନଗୁଡିକ ଭାରତୀୟ ଅର୍ଥନୀତି ପାଇଁ ଶୁଭଙ୍କର ହୋଇ ନ ପାରେ। ଦେଶରେ ଦିନକୁ ଦିନ ବଢ଼ିଚାଲିଥିବା ଅତ୍ୟାବଶ୍ୟକ ସାମଗ୍ରୀର ଦର ଭାରତ ପାଇଁ ଆହ୍ବାନ ସୃଷ୍ଟି କରିବ। ମହଙ୍ଗା ବଜାର ଦର ଭାରତୀୟ ଅର୍ଥନୀତିକୁ ବିଗାଡ଼ି ଦେଇପାରେ। ବିଶ୍ବର ଆର୍ଥିକ ସ୍ଥିତି ଉପରେ ନଜର ରଖିଥିବା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଏପ୍ରକାର ଚେତାବନୀ ଦେଇଛି। ଦେଶରେ ପେଟ୍ରୋଲ ଓ ଡିଜେଲ ବାଦ୍‌ ଗତ ୨ ବର୍ଷ ମଧ୍ୟରେ ଦେଶରେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ […]

ନୂଆଦିଲ୍ଲୀ:  ଆଗାମୀ ଦିନଗୁଡିକ ଭାରତୀୟ ଅର୍ଥନୀତି ପାଇଁ ଶୁଭଙ୍କର ହୋଇ ନ ପାରେ। ଦେଶରେ ଦିନକୁ ଦିନ ବଢ଼ିଚାଲିଥିବା ଅତ୍ୟାବଶ୍ୟକ ସାମଗ୍ରୀର ଦର ଭାରତ ପାଇଁ ଆହ୍ବାନ ସୃଷ୍ଟି କରିବ। ମହଙ୍ଗା ବଜାର ଦର ଭାରତୀୟ ଅର୍ଥନୀତିକୁ ବିଗାଡ଼ି ଦେଇପାରେ। ବିଶ୍ବର ଆର୍ଥିକ ସ୍ଥିତି ଉପରେ ନଜର ରଖିଥିବା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଏପ୍ରକାର ଚେତାବନୀ ଦେଇଛି।

ଦେଶରେ ପେଟ୍ରୋଲ ଓ ଡିଜେଲ ବାଦ୍‌ ଗତ ୨ ବର୍ଷ ମଧ୍ୟରେ ଦେଶରେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ପ୍ରାୟ ୪୫୯ ଟଙ୍କା ବୃଦ୍ଧି ଘଟିଛି। ମହଙ୍ଗା ମାଡ଼ରେ ତ୍ରାହି ତ୍ରାହି ଡାକ ଛାଡ଼ିଲେଣି ଖାଉଟି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ସରକାର ଓ ଆର୍‌ବିଆଇ ଗ୍ରହଣ କରୁଥିବା ସବୁ ପଦକ୍ଷେପ ବିଫଳ ହୋଇଛି। ମୁଦ୍ରାସ୍ଫୀତି କ୍ରମାଗତ ଭାବେ ଆର୍‌ବିଆଇର ନିର୍ଦ୍ଧାରିତ ସୀମା ଉପରେ ରହିଛି। ସାରା ବିଶ୍ବର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁଧ ହାରରେ ବୃଦ୍ଧି ଘଟାଇବା ଏବଂ ୟୁକ୍ରେନ ଯୁଦ୍ଧର ପ୍ରଭାବ ଏଭଳି ପରିସ୍ଥିତିରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଠିକ୍‌ ଏହି ସମୟରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ରିପୋର୍ଟ ଭାରତ ପାଇଁ ନିଶ୍ଚିତ ଭାବେ ଚିନ୍ତାର ବିଷୟ ହୋଇଛି। କାରଣ ଦେଶରେ ବର୍ତ୍ତମାନ ଖାଦ୍ୟ ସାମଗ୍ରୀଗୁଡିକର ଉଚ୍ଚ ଦର ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ ବୋଲି ଆଇଏମ୍‌ଏଫ୍‌ ଚେତାଇ ଦେଇଛି।

ଯଦି ପରିସ୍ଥିତି ଏଭଳି ହୁଏ ତେବେ ଦେଶର ଅର୍ଥନୀତି ପାଇଁ ଏହା ବଡ଼ ଆହ୍ବାନ ସୃଷ୍ଟି କରିବ। ନିକଟରେ ଆଇଏମଏଫ ଭାରତର ଜିଡିପି ଅଭିବୃଦ୍ଧି ପୂର୍ବାନୁମାନକୁ ୦.୬% ପ୍ରତିଶତ ହ୍ରାସ କରି ଚଳିତ ଆର୍ଥିକବର୍ଷ ପାଇଁ ଏହାକୁ ୬.୮% ରହିବା ନେଇ ଆକଳନ କରିଛି। ଆମେରିକା ପରେ ବିଶ୍ବର କୌଣସି ପ୍ରମୁଖ ଦେଶର ଜିଡିପି ଆକଳନରେ ଏହା ହେଉଛି ସବୁଠାରୁ ବଡ଼ ହ୍ରାସ। ଆଇଏମ୍ଏଫ୍ କହିଛି ଯେ ଚଳିତବର୍ଷ ଭାରତରେ ମୁଦ୍ରାସ୍ଫୀତି ହାରାହାରି ହାର ୬.୮ ପ୍ରତିଶତ ରହିପାରେ। ସମଗ୍ର ବିଶ୍ୱରେ ଦ୍ରବ୍ୟର ମୂଲ୍ୟ ହ୍ରାସ ପାଇଛି କିନ୍ତୁ ଖାଦ୍ୟ ସାମଗ୍ରୀ ମହଙ୍ଗା ହୋଇଛି। ଏଭଳି ସ୍ଥଳେ ଖାଦ୍ୟ ମୁଦ୍ରାସ୍ଫୀତିର ମୁକାବିଲା କରିବା ଭାରତ ପାଇଁ ଏକ ବଡ଼ ଆହ୍ବାନ। ଏହାଦ୍ୱାରା ଆରବିଆଇର କାର୍ଯ୍ୟ କଷ୍ଟସାଧ୍ୟ ହୋଇଛି। ମୁଦ୍ରାସ୍ଫୀତି ହ୍ରାସ ପାଇଁ ଅଧିକ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ଆଇଏମ୍ଏଫ୍ ଇଣ୍ଡିଆର ମିଶନ ମୁଖ୍ୟ ନାଡା ଚୌରୀ କହିଛନ୍ତି। ଗତ ସେପ୍ଟେମ୍ବରରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ୭.୪୧ ପ୍ରତିଶତରେ ପହଞ୍ଚିଛି, ଯାହା ବିଗତ ୫ ମାସରେ ସର୍ବାଧିକ। କ୍ରମାଗତ ୯ ମାସ ଧରି ମୁଦ୍ରାସ୍ଫୀତି ଆରବିଆଇର ସନ୍ତୋଷଜନକ ସ୍ତରଠାରୁ ଉପରେ ରହିଆସିଛି। ନିୟମ ଅନୁଯାୟୀ, ବର୍ତ୍ତମାନ ଆରବିଆଇକୁ ଏ ବାବଦରେ ସରକାରଙ୍କୁ ଉତ୍ତର ଦେବାକୁ ପଡିବ। ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ମେ’ ମାସଠାରୁ ସୁଧହାରରେ ୧୯୦ ବେସିସ୍‌ ପଏଣ୍ଟ ବୃଦ୍ଧି କରିଛି। ଡିସେମ୍ବରରେ, ଏଥÒରେ ପୁନର୍ବାର ୫୦ ବେସିସ୍‌ ପଏଣ୍ଟ ବୃଦ୍ଧି କରାଯାଇପାରେ। ତେଣୁ ଚାହିଦା ହ୍ରାସ କରିବା ଲାଗି ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାକୁ ଆର୍‌ବିଆଇ ପୁନର୍ବାର ସୁଧ ହାର ବୃଦ୍ଧି କରିବାର ଆବଶ୍ୟକତା ରହିଛି। ଚୌରୀଙ୍କ ମତରେ ଏହା ଏକ କଷ୍ଟସାଧ୍ୟ ପ୍ରକ୍ରିୟା କାରଣ ଗୋଟିଏ ପଟେ ଅଭିବୃଦ୍ଧି ବଜାୟ ରଖିବାକୁ ପଡିବ ଏବଂ ଅନ୍ୟ ପଟେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାକୁ ପଡିବ। ଏଥିରେ ସନ୍ତୁଳନ ରଖିବା ସହଜ ନୁହେଁ।

ଅପରପକ୍ଷେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଟଙ୍କାର ବିନିମୟ ମୂଲ୍ୟରେ କ୍ରମାଗତ ହ୍ରାସ ଜାରି ରହିଛି। ବର୍ତ୍ତମାନ ଟଙ୍କା ୮୨.୬୮ ସ୍ତରକୁ ଖସିଲାଣି। ଯାହା ଅନୁମାନ କରାଯାଉଛି ଆସନ୍ତା ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ଏହା ଆମେରିକୀୟ ଡଲାର ତୁଳାନରେ ୮୪-୮୫ ଟଙ୍କା ସ୍ତରକୁ ଖସିଆସିପାରେ। ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି, ଉଚ୍ଚ ବାଣିଜ୍ୟ ନିଅଣ୍ଟ ଏବଂ ବୈଦେଶିକ ମୁଦ୍ରା ଭଣ୍ଡାରରେ ହ୍ରାସ ଏହାର ମୁଖ୍ୟ କାରଣ।

About The Author: The Sakala