EPFO ବେତନ ସୀମା ୨୫,୦୦୦ ଟଙ୍କାକୁ ବୃଦ୍ଧି, ଉପକୃତ ହେବେ ୫୧ ଲକ୍ଷ କର୍ମଚାରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରିଛି। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ଅଧୀନରେ ବାଧ୍ୟତାମୂଳକ କଭରେଜ୍ ପାଇଁ ବେତନ ସୀମାକୁ ମାସିକ ୧୫,୦୦୦ ଟଙ୍କାରୁ ବୃଦ୍ଧି କରାଯାଇ ୨୫,୦୦୦ ଟଙ୍କା କରାଯାଇଛି। ଏହି ନିଷ୍ପତ୍ତି ଦ୍ୱାରା ଅତିରିକ୍ତ ୫୧ ଲକ୍ଷ କର୍ମଚାରୀ ସାମାଜିକ ସୁରକ୍ଷା ପରିସରଭୁକ୍ତ ହେବେ ବୋଲି ଜଣାପଡିଛି।

ବର୍ତ୍ତମାନ ସୁଦ୍ଧା ମାସିକ ୧୫,୦୦୦ ଟଙ୍କାରୁ ଅଧିକ ବେତନ ପାଉଥିବା ନୂଆ କର୍ମଚାରୀମାନେ ଇପିଏଫ୍ ନିୟମ ଅଧୀନରେ ସ୍ୱୟଂଚାଳିତ ଭାବରେ ଅନ୍ତର୍ଭୁକ୍ତ ହେଉନଥିଲେ। ଫଳରେ ସେମାନେ ପ୍ରୋଭିଡେଣ୍ଟ୍ ଫଣ୍ଡ, ପେନସନ୍ ଏବଂ ଆନୁଷଙ୍ଗିକ ବୀମା ସୁରକ୍ଷାରୁ ବଞ୍ଚିତ ହେଉଥିଲେ। ବର୍ତ୍ତମାନ ସୀମା ୨୫,୦୦୦ ଟଙ୍କାକୁ ବୃଦ୍ଧି ହେବା ଫଳରେ ୧୫,୦୦୦ ରୁ ୨୫,୦୦୦ ଟଙ୍କା ବେତନ ବର୍ଗର କର୍ମଚାରୀମାନେ ମଧ୍ୟ ବୈଧାନିକ ସାମାଜିକ ସୁରକ୍ଷା ଆଇନ ଅଧୀନକୁ ଆସିପାରିବେ।

ଏହି ଅନୁମୋଦନ ଦ୍ୱାରା କର୍ମଚାରୀମାନେ ଏମ୍ପ୍ଲୟିଜ୍ ପେନସନ୍ ସ୍କିମ୍ (EPS) ଏବଂ ଏମ୍ପ୍ଲୟିଜ୍ ଡିପୋଜିଟ୍ ଲିଙ୍କଡ୍ ଇନ୍ସୁରାନ୍ସ ସ୍କିମ୍ (EDLI) ଆଦି ସୁବିଧା ପାଇପାରିବେ। ଏକ କ୍ୟାବିନେଟ୍ ବିବୃତ୍ତି ଅନୁଯାୟୀ, ଆନୁମାନିକ ଭାବେ ବାର୍ଷିକ ସରକାରୀ ଖର୍ଚ୍ଚ ୧୧,୩୩୯ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଆସନ୍ତା ୫ ବର୍ଷ ମଧ୍ୟରେ ଏହି ଖର୍ଚ୍ଚ ପାଖାପାଖି ୫୬,୬୯୬ କୋଟି ଟଙ୍କା ରହିବ।

EPFO ବର୍ତ୍ତମାନ ବିଶ୍ୱର ଅନ୍ୟତମ ବୃହତ୍ ସାମାଜିକ ସୁରକ୍ଷା ବ୍ୟବସ୍ଥା ପରିଚାଳନା କରୁଛି। ସର୍ବଶେଷ ତଥ୍ୟ ଅନୁଯାୟୀ, ଦେଶରେ ପ୍ରାୟ ୭.୬୮ ଲକ୍ଷ ପ୍ରତିଷ୍ଠାନରୁ ପ୍ରାୟ ୭.୯୮ କୋଟି ଅବଦାନକାରୀ ସଦସ୍ୟ ଏହା ସହ ଜଡିତ ଅଛନ୍ତି। ସେହିପରି EPS ଯୋଜନାରେ ପାଖାପାଖି ୮୨ ଲକ୍ଷ ପେନସନଭୋଗୀ ସୁବିଧା ପାଉଛନ୍ତି। ଏହି ସଂଖ୍ୟା ଆଗାମୀ ଦିନରେ ଆହୁରି ବୃଦ୍ଧି ପାଇବ।

ଗତ ଦଶନ୍ଧିରେ ଅର୍ଥାତ୍ ୨୦୦୪ ରୁ ୨୦୧୪ ମଧ୍ୟରେ ଏହି ବେତନ ସୀମା ଅପରିବର୍ତ୍ତିତ ରହିଥିଲା। ପରେ ସେପ୍ଟେମ୍ବର ୨୦୧୪ ରେ ଏହାକୁ ୧୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଭାରତର ଆର୍ଥିକ ଅଭିବୃଦ୍ଧି, ବେତନ ବୃଦ୍ଧି ଏବଂ ଔପଚାରିକ ନିଯୁକ୍ତିରେ ସମ୍ପ୍ରସାରଣକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଏହାକୁ ପୁଣିଥରେ ୨୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସରକାରଙ୍କ ଏହି ପଦକ୍ଷେପ ଶ୍ରମିକମାନଙ୍କ ଆର୍ଥିକ ତଥା ଅବସରକାଳୀନ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବ ଏବଂ କର୍ମଚାରୀମାନଙ୍କ ପାଇଁ ଏକ ନିରାପଦ ଭବିଷ୍ୟତ ଗଠନ କରିବାରେ ସହାୟକ ହେବ।

About The Author: Madhusudan Das